ଓଡ଼ିଶା ପୁଷ୍ଟି ମହୋତ୍ସବ: ପ୍ରତି ଥାଳିରେ ପୁଷ୍ଟିକର ଖାଦ୍ୟ
୨୫ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କ ଦ୍ୱାରା ୨୫ ହଜାର ଗ୍ରାମରେ ଖାଦ୍ୟମେଳା
ଭୁବନେଶ୍ୱର(ଏନ୍.ଏମ୍.): ଗ୍ରାମୀଣ ଓଡ଼ିଶାରେ ପୁଷ୍ଟିକର ଖାଦ୍ୟର ପ୍ରସାର ଏବଂ ପ୍ରଚାର ନିମନ୍ତେ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନ ଆନୁକୂଲ୍ୟରେ ଚଳିତ ବର୍ଷ ୨୫୦୦ ଗ୍ରାମ ପଞ୍ଚାୟତରେ ସପ୍ତାହବ୍ୟାପୀ ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟବାସୀଙ୍କ ମଧ୍ୟରେ ମୋ ଉପକାରୀ ବଗିଚାର ପ୍ରଚାରପ୍ରସାର ଏବଂ ଉତ୍ତମ ସ୍ୱାସ୍ଥ୍ୟ ଓ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ସୃଷ୍ଟି ଏହି ମହୋତ୍ସବର ମୁଖ୍ୟ ଲକ୍ଷ୍ୟ । ଚଳିତ ବର୍ଷ ଡିସେମ୍ବର ୬ରୁ ୧୨ ତାରିଖ ମଧ୍ୟରେ ମହିଳା ଓ ଶିଶୁ ବିକାଶ ବିଭାଗ, ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ବିଭାଗ, ଅଜିମ ପ୍ରେମ୍ଜୀ ଫାଉଣ୍ଡେସନ୍ର ମିଳିତ ସହଯୋଗରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ଅକ୍ସଫାମ୍ର ରିପୋର୍ଟ ଅନୁଯାୟୀ ମୋ ଉପକାରୀ ବଗିଚା ଅଧୀନରେ ରାଜ୍ୟରେ ୪ ଲକ୍ଷ ୭୪ ହଜାର ପୁଷ୍ଟି ବଗିଚା ସ୍ଥାପନ କରାଯାଇଛି । ୪ ଲକ୍ଷ ୭୦ ହଜାର ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାମାନଙ୍କୁ ପିଏଲ୍ଏ-ଲାନ୍ ଶିକ୍ଷଣୀୟ କାର୍ଯ୍ୟକ୍ରମ ଅଧୀନରେ ସ୍ୱାସ୍ଥ୍ୟ ଏବଂ ପୁଷ୍ଟି ସମ୍ବନ୍ଧୀୟ ତାଲିମ ପ୍ରଦାନ କରାଯାଇଛି । ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନର ୧୧ ହଜାର ୭୦୪ ଦକ୍ଷ ଗୋଷ୍ଠୀଭିତ୍ତିକ କର୍ମଚାରୀ ଗ୍ରାମୀଣ ଓଡ଼ିଶାର ଘରେ ଘରେ ପୁଷ୍ଟି ବଗିଚା ସ୍ଥାପନ ନିମନ୍ତେ ଆବଶ୍ୟକୀୟ ସହାୟତା ପ୍ରଦାନ କରୁଛନ୍ତି । ମୋ ଉପକାରୀ ବଗିଚା କାର୍ଯ୍ୟକ୍ରମ ‘ସେଫ ଓ ନ୍ୟୁଟ୍ରି ଫୁଡ୍’ ବର୍ଗରେ ‘ଆଉଟ୍ଲୁକ୍ ପୋଷଣ ଆୱାର୍ଡ-୨୦୧୯’ ପୁରସ୍କାରରେ ପୁରସ୍କୃତ ହୋଇଛି । ମୋ ଉପକାରୀ ବଗିଚା ମିଶନ ଶକ୍ତି ବିଭାଗର ଏକ ସଫଳ ପ୍ରୟାସ ଏବଂ ଏହାର ସଫଳତା ଆଧାରରେ ମଧ୍ୟପ୍ରଦେଶ ଓ ଝାରଖଣ୍ଡ ମଧ୍ୟ ସେମାନଙ୍କ ରାଜ୍ୟରେ ଏହାକୁ କାର୍ଯ୍ୟକାରୀ କରିଛନ୍ତି । ମିଶନ ଶକ୍ତି ବିଭାଗର କମିଶନର ତଥା ଶାସନ ସଚିବ ସୁଜାତା ଆର କାର୍ତ୍ତିକେୟନ ଏହି ଉତ୍ସବର ସଫଳତାରେ ଖୁସି ବ୍ୟକ୍ତ କରି କହିଛନ୍ତି, ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନେତୃତ୍ୱରେ ଅନୁଷ୍ଠିତ ଉତ୍ସବ । ଯାହାକି ରାଜ୍ୟର ଘରେ ଘରେ ପୁଷ୍ଟି ସମ୍ବନ୍ଧରେ ସଚେତନତା ସୃଷ୍ଟି କରିଛି । ରାଜ୍ୟରେ ମୋ ଉପକାରୀ ବଗିଚାର ସଫଳତା ନିଶ୍ଚିନ୍ତ ପ୍ରଶଂସାଯୋଗ୍ୟ ।ଏହି ଅବସରରେ ମିଶନ ଶକ୍ତି ବିଭାଗ ଅଧୀନସ୍ଥ ଓଡ଼ିଶା ଜୀବିକା ମିଶନର ନିର୍ଦ୍ଦେଶିକା ମାନସୀ ନିମ୍ବାଲ କହିଛନ୍ତି, ‘ଓଡ଼ିଶା ପୁଷ୍ଟି ମହୋତ୍ସବ’ ଦେଶର ବିଶାଳ ପୁଷ୍ଟି ଉତ୍ସବ ଅଟେ । ଏହା ରାଜ୍ୟରେ ପୁଷ୍ଟି ସମ୍ବନ୍ଧୀୟ ସଚେତନତା ଦର୍ଶାଉଛି । ମୋ ଉପକାରୀ ବଗିଚା ଲୋକମାନଙ୍କର ପୁଷ୍ଟିକର ଖାଦ୍ୟର ଆବଶ୍ୟକତା ପୂରଣ କରିପାରିଛି ।