୧୭ଦିନ ପରେ ଉଦ୍ଧାର ହେଲା ୪୧ ଜୀବନ
ଉତ୍ତରକାଶୀ(ଏଜେନ୍ସି): ବହୁ କଳ୍ପନା ଜଳ୍ପନାର ଅନ୍ତ ଘଟାଇ ଦୀର୍ଘ ୧୭ ଦିନ ପରେ ୪୧ଜଣ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଏହା ଜଣାପଡ଼ିବା ପରେ ସାରା ଦେଶରେ ଆସ୍ୱସ୍ତିର ବାତାବରଣ ଖେଳିଯାଇଛି । ଉତ୍ତରାଖଣ୍ଡର ଉତ୍ତରକାଶୀସ୍ଥିତ ନିର୍ମାଣାଧୀନ ସିଲ୍କନ୍ୟାରା ଟନେଲରୁ ଶ୍ରମିକଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି । ଫସିରହିଥିବା ସମସ୍ତ ୪୧ ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି । ସେମାନଙ୍କ ମଧ୍ୟରେ ଓଡ଼ିଶାର ୫ଜଣ ରହିଥିଲେ । ଉଦ୍ଧାର ପରେ ସେମାନଙ୍କୁ ଆମ୍ବୁଲାନ୍ସ ଯୋଗେ ହରିଦ୍ୱାର ଏମ୍ସ ନିଆଯାଇଛି । ପ୍ରାଥମିକ ସ୍ୱାସ୍ଥ୍ୟ ଯାଞ୍ଚ ପରେ ସମସ୍ତଙ୍କୁ ସ୍ୱତନ୍ତ୍ର ହସ୍ପିଟାଲରେ ରଖାଯାଇଛି । ସମସ୍ତଙ୍କ ଅବସ୍ଥା ସଂପୂର୍ଣ୍ଣ ଭାବେ ଠିକ ଥିଲେ ମଧ୍ୟ ସେମାନଙ୍କୁ ମେଡିକାଲ ନୀରକ୍ଷଣରେ ରଖାଯିବ ବୋଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ସୂଚନା ଦେଇଛନ୍ତି । ଏହି ଉଦ୍ଧାର ଅପରେସନ ସଫଳ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀଙ୍କ ସହ କଥା ହୋଇଛନ୍ତି ଓ ଶ୍ରମିକଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଗତ ୧୭ ଦିନ ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିଦିନ ମୁଖ୍ୟମନ୍ତ୍ରୀ ଧାମୀଙ୍କ ସହ କଥା ହୋଇ ଉଦ୍ଧାର କାର୍ଯ୍ୟ ସମ୍ପର୍କରେ ଅପଡେଟ୍ ନେଉଥିଲେ । ଉଦ୍ଧାର କାର୍ଯ୍ୟ ଉପରେ ପିଏମଓ ନିରନ୍ତର ନଜର ରଖିଥିଲା । ଏହି ସଫଳ ଅପରେସନ ସଫଳ ହୋଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସନ୍ତୋଷ ପ୍ରକାଶ କରିଛନ୍ତି । ଏକ ଟୁଇଟ କରି ସେ ଶ୍ରମିକମାନଙ୍କ ଧୈର୍ଯ୍ୟକୁ ସଲାମ ଜଣାଇଛନ୍ତି । ଏଥିସହ ଉଦ୍ଧାର ହୋଇଥିବା ସମସ୍ତ ୪୧ ଜଣ ଶ୍ରମିକଙ୍କୁ ଉତ୍ତରାଖଣ୍ଡ ସରକାର ଲକ୍ଷେ ଟଙ୍କା ଲେଖାଏ ଦେବେ । ଏହାବାଦ ସୁସ୍ଥ ହେବା ପରେ ସମସ୍ତଙ୍କୁ ନିଜ ନିଜର ରାଜ୍ୟକୁ ପଠାଇବେ ବୋଲି ଧାମି ସୂଚନା ଦେଇଛନ୍ତି । ଉଦ୍ଧାର କାର୍ଯ୍ୟ ବେଳେ ଘଟଣା ସ୍ଥଳରେ ମୁଖ୍ୟମନ୍ତ୍ରୀ ଧାମି ଉପସ୍ଥିତ ରହିଥିଲେ । ତାଙ୍କ ସହ କେନ୍ଦ୍ରମନ୍ତ୍ରୀ ଭିକେ ସିଂହ ମଧ୍ୟ ଉଦ୍ଧାର କାର୍ଯ୍ୟର ନିୟମିତ ସମୀକ୍ଷା କରୁଥିଲେ । ଉଭୟେ ଉଦ୍ଧାର ହେଉଥିବା ଶ୍ରମିକମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା କଥା ମଧ୍ୟ ବୁଝିଥିଲେ । ସମସ୍ତ ୪୧ ଜଣ ଶ୍ରମିକ ଉଦ୍ଧାର ହେବା ପରେ ଧାମି ସାମ୍ବାଦିକ ସମ୍ମିଳନୀ କରି ବିସ୍ତୃତ ତଥ୍ୟ ଦେଇଛନ୍ତି ।