୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ
ସମ୍ବଲପୁର (ଏନ୍.ଏମ୍.): ସମ୍ବଲପୁରରେ ଜାଲ୍ ନୋଟ କାରବାର ହେଉଥିବା ଘଟଣାର ପୁଲିସ ପର୍ଦ୍ଦାଫାସ କରିଛି । ଆଜି ପୁଲିସ ୧୩ ଲକ୍ଷ ୮୫ ହଜାର ଟଙ୍କାର ଜାଲ୍ ନୋଟ ଜବତ କରିଛି । ଏହି ଜବତ ନୋଟ ମଧ୍ୟରେ ୬୦୦ଟି ୨ହଜାର ଟଙ୍କିଆ ନୋଟ, ୩୬୨ଟି ୫ଶହ ଟଙ୍କିଆ ନୋଟ ଓ ୪୪ଟି ଶହେ ଟଙ୍କିଆ ନୋଟ ରହିଛି । ଏହି ଜାଲ ନୋଟ କାରବାରରେ ସମ୍ପୃକ୍ତ ଥିବା ୬ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବାବେଳେ ସେମାନଙ୍କ ପାଖରୁ ନକଲି ନୋଟ୍ ପ୍ରସ୍ତୁତ କରିବାକୁ ବ୍ୟବହୃତ ହେଉଥିବା ମେସିନ୍, ନକଲି ଷ୍ଟାମ୍ପ, ରଙ୍ଗ ଓ କାଗଜ ସହିତ ମୋବାଇଲ୍ ଆଦି ଜବତ କରାଯାଇଛି । ଗିରଫ ଅଭିଯୁକ୍ତଙ୍କ ମଧ୍ୟରୁ ୪ ଜଣଙ୍କ ଘର ବରଗଡ଼ ଜିଲ୍ଲାରେ ହୋଇଥିବାବେଳେ ମୁଖ୍ୟ ୨ ଅଭିଯୁକ୍ତଙ୍କ ଘର ଛତିଶଗଡ଼ର ରାୟଗଡ଼ରେ । ଗିରଫ ଅଭିଯୁକ୍ତମାନେ ହେଲେ ସାଗର ସାହୁ (୨୬), ଅଶୋକ ସାହୁ (୨୭), ଶିବ ଶଙ୍କର ବଣିଆ (୩୦), ଗୁଣନିଧି ଭୋଇ (୩୮), ସତ୍ୟନାରାୟଣ ନିରଳ (୨୬) ଓ ଅଭିରାମ ଝାଙ୍ଗଡ଼େ (୪୮) ବୋଲି ଜଣାପଡ଼ିଛି । ସାଗର ଓ ଅଶୋକର ଘର ବରଗଡ଼ ଜିଲ୍ଲା ଭଟ୍ଟଲୀର ଗୋପାଳପୁରରେ ହୋଇଥିବା ବେଳେ ଶିବ ଶଙ୍କର ଓ ଗୁଣନିଧିର ଘର ଯଥାକ୍ରମେ ଅମ୍ବାଭୋନାର କୁମ୍ବୋ ଓ କାଶୀପାଲି ଗାଁରେ । ସେହିପରି ସତ୍ୟନାରାୟଣ ଓ ଅଭିରାମର ଘର ଛତିଶଗଡ଼ର ରାୟଗଡ଼ ଅଞ୍ଚଳରେ । ତେବେ ଚା’ ପିଇବା ପରେ ଜାଲ୍ ଦେବାକୁ ନେଇ ଝଗଡ଼ା ହେବାରୁ ଘଟଣା ଥାନାରେ ପହଞ୍ଚିଥିଲା । ପୁଲିସ ଏହାର ତଦନ୍ତ କରିବା ସମୟରେ ଜାଲ୍ ନୋଟ କାରବାରର ପର୍ଦ୍ଦାଫାସ ହୋଇଥିଲା । ସମ୍ବଲପୁରରେ ଜାଲ ନୋଟ କାରବାର ଛତିଶଗଡ଼ରୁ ଅପରେଟ୍ ହେଉଥିବା ଜଣାପଡ଼ିଥିଲା । ଏନେଇ ଅଧିକ ତଦନ୍ତରୁ ଜଣାପଡ଼ିଥିଲା ଯେ, ଛତିଶଗଡ଼ର ରାୟଗଡ଼ରେ ଟଙ୍କା ଛପା ଯାଇ ଏଠାକୁ ଆସୁଥିଲା । ଏହାପରେ ସେମାନଙ୍କ ଆକାଉଣ୍ଟକୁ ଅଚଳ କରି ଦିଆଯାଇଛି । ତେବେ ସମସ୍ତଙ୍କୁ କୋର୍ଟରେ ହଜାର ପରେ ରିମାଣ୍ଡରେ ଆଣିବାକୁ ସମ୍ବଲପୁର ପୁଲିସ ଯୋଜନା କରିଛି ।