୧୧ରେ ଖୋଲିବ ହୀରାକୁଦ ଗେଟ: ବଢ଼ିବ ଶାଖା ନଦୀର ଜଳସ୍ତର
ଭୁବନେଶ୍ୱର (ଏନ୍.ଏମ୍.): ଆସନ୍ତା ୧୧ତାରିଖ ପୂର୍ବାହ୍ନ ୧୧ଟାରେ ହୀରାକୁଦରୁ ବନ୍ୟା ଜଳ ନିଷ୍କାସନ ପାଇଁ ଗେଟ ଖୋଲିବ । ଉପର ମୁଣ୍ଡରେ ବର୍ଷା ହେବା ସହ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି । ଆଜି ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ସ୍ଥିତି ୬୦୭.୯୦ଫୁଟ ରହିଥିବା ଜଳସମ୍ପଦ ବିଭାଗ ପକ୍ଷରୁ ସୂଚନା ମିଳିଛି । ହୀରାକୁଦ ଜଳଭଣ୍ଡାରର ଜଳଧାରଣ କ୍ଷମତା ୬୩୦ ଫୁଟ ହୋଇଥିବାବେଳେ ୬୧୦ ଫୁଟ ଜଳ ହୋଇଗଲେ ଏହି ଉଦ୍ବୁଦ୍ଦ ଜଳକୁ ନିଷ୍କାସନ କରାଯାଇଥାଏ । ତେବେ ସମ୍ପ୍ରତି ଉପର ମୁଣ୍ଡରେ ବର୍ଷା ହେଉଥିବା ଏବଂ ମୌସୁମୀ ସକ୍ରିୟ ଥିବା ଦୃଷ୍ଟିରୁ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇବ । ତେଣୁ ଏହାକୁ ଆସନ୍ତା ୧୧ତାରିଖ ବେଳକୁ ଜଳସ୍ତର ୬୧୦ଫୁଟ କିମ୍ବା ତାହା ଠାରୁ ଅଧିକ ହୋଇଯିବ ବୋଲି ଆକଳନ କରାଯାଇଛି । ତେଣୁ ଏହି ଦିନ ଚଳିତ ବର୍ଷ ପ୍ରଥମ ବନ୍ୟାଜଳ ନିଷ୍କାସନ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ଏ ନେଇ ସୂଚନା ଦେଇଛନ୍ତି । ବନ୍ୟା ଜଳ ନିଷ୍କାସନ ଦ୍ୱାରା ମହାନଦୀ ଓ ଶାଖା ନଦୀର ଜଳସ୍ତର ବୃଦ୍ଧି ପାଇବ । ତେଣୁ ନଦୀକୁ ପ୍ରବେଶ ଓ ଅନ୍ୟାନ୍ୟ ବ୍ୟବହାର ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସତର୍କ ରହିବା ପାଇଁ ପରାମର୍ଶ ଦେଇଛନ୍ତି । ହୀରାକୁଦରୁ ଜଳ ନିଷ୍କାସନ ପରେ ମହାନଦୀର ସମସ୍ତ ଶାଖା ନଦୀରେ ଜଳସ୍ତର ବୃଦ୍ଧି ପାଇବ ବୋଲି ଜଳସମ୍ପଦ ବିଭାଗ ପକ୍ଷରୁ କୁହାଯାଇଛି ।