ହାଣ୍ଡିଶାଳରୁ ଯାଇ ଦୁବାଇରୁ ଫେରିଲେ ମିଶନ ଶକ୍ତି ସଭାନେତ୍ରୀ: ରାଇରଙ୍ଗପୁରରେ ବିପୁଳ ସ୍ୱାଗତ ଓ ସମ୍ବର୍ଦ୍ଧନା
#ରାଇରଙ୍ଗପୁର(ଏନ୍.ଏମ୍.): ରାଇରଙ୍ଗପୁର ବ୍ଳକର ୯ଟି ପଞ୍ଚାୟତରେ ମହିଳାମାନଙ୍କୁ ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ସ୍ୱାବଲମ୍ବୀ କରିବା ସହ ମହିଳା ମାନଙ୍କୁ ବାଣିଜ୍ୟ କାରବାରରେ ବିକଶିତ କରାଇବା ଭୂମିକା ନିଭାଇଥିବା ରାଇରଙ୍ଗପୁର ବ୍ଳକ ମିଶନ ଶକ୍ତି ଫେଡେରେସନ ସଭାନେତ୍ରୀ ଲୀଳାବତୀ ମହାନ୍ତ ଦୁବାଇରୁ ଫେରିଛନ୍ତି । ତାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ, ୫-ଟି ଅଧ୍ୟକ୍ଷ ଭି.କେ. ପାଣ୍ଡିଆନ ଏବଂ ମିଶନ ଶକ୍ତି ସଚିବ ସୁଜାତା ରାଉତ କାର୍ତ୍ତିକେୟନ ଦୁବାଇ ଗସ୍ତ ପାଇଁଁ ମନୋନୀତ କରିଥିଲେ । ତେଣୁ ମୟୂରଭଞ୍ଜ ରାଇରଙ୍ଗପୁର ବ୍ଲକରୁ ଲୀଳାବତୀ ମନୋନୀତ ହୋଇ ବିଦେଶ ଦୁବାଇ ଗସ୍ତରେ ଯାଇଥିଲେ । ସେଠାରେ ରହଣି କରି ବିଭିନ୍ନ ସ୍ଥାନ ପରିଦର୍ଶନ କରିବା ସହ ବାହୁ ଅଭିଜ୍ଞତା ନେଇ ଫେରିଛନ୍ତି । ବିଦେଶ ଫେରନ୍ତା ଲୀଳାବତୀଙ୍କୁ ଆଜି ରାଇରଙ୍ଗପୁର ବ୍ଳକ ସମ୍ମିଳନୀ କକ୍ଷରେ ବିଡ଼ିଓ ନାରାୟଣୀ ପ୍ରିୟଦର୍ଶିନୀ ପଣ୍ଡାଙ୍କ ମାର୍ଗ ଦର୍ଶନରେ ଏକ ସ୍ୱାଗତ ଓ ସମ୍ବର୍ଦ୍ଧନା ଉତ୍ସବ ଆୟୋଜନ କରାଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ମୁଖ୍ୟଅତିଥି ଭାବେ ରାଇରଙ୍ଗପୁର ବ୍ଳକ ଅଧ୍ୟକ୍ଷ ଜ୍ଞାନରଂଜନ ହେମ୍ବ୍ରମ,ଏବିଡିଓ ସୁରାଇ ମାର୍ଣ୍ଡୀ, ସିଡିପିଓ କୋଇଲି ମଣି ଟୁଡୁ, ବିପିସି ସ୍ୱର୍ଣ୍ଣପ୍ରିୟା ସାହୁ, ବିପିଏମ ଶାନ୍ତନୁ ସାହୁ ପ୍ରମୁଖ ଯୋଗ ଦେଇଥିଲେ । ଏଥିସହ ୯ଟି ପଞ୍ଚାୟତର ଇସି ମେମ୍ବର, ସିଏସଏସ, ସ୍ୱୟଂ ସହାୟିକା ଗୋଷ୍ଠୀ ସଦସ୍ୟ, ମିଶନ ଶକ୍ତି ସଦସ୍ୟ ବୃନ୍ଦ ଯୋଗ ଦେଇଥିଲେ । ମୁଖ୍ୟଅତିଥି ଶ୍ରୀ ହେମ୍ବ୍ରମ କହିଥିଲେ କର୍ମ ହିଁ ଭଗବାନ । ପରିଶ୍ରମର ଫଳ ସବୁବେଳେ ବିଳମ୍ବ ହେଲେ ମଧ୍ୟ ସୁଫଳ ଦେଇଥାଏ । ସେ ଲୀଳାବତୀଙ୍କ ଉତ୍ତୋରତର କାମନା କରିଥିଲେ । ଲୀଳାବତୀ ତାଙ୍କ ସଂଘର୍ଷମୟ କାହାଣୀ କହିଥିଲେ ।୨୦୧୭ ମସିହାରୁ ସେ ମହିଳାଙ୍କ ଉତ୍ଥାନ ପାଇଁ ବହୁବିଧ କାମ କରି ଆସୁଛନ୍ତି । ଧୂପ, ମହମବତୀ, ଜାତୀୟ ପତକା, ସିଲେଇ, ସଫେଇ ଭଳି ବିଭିନ୍ନ କାମରେ ମହିଳାମାନଙ୍କୁ ନିୟୋଜିତ କରାଇ ସ୍ୱାବଲମ୍ବୀ କରାଇବା ପାଇଁ ଚେଷ୍ଟା କରି ଆସୁଛନ୍ତି । ତେଣୁ ସମସ୍ତ ମହିଳା କଠିନ ପରିଶ୍ରମ, ନିଜ ଅଧିକାର ବିଷୟରେ ସଚେତନ ଏବଂ ବିଭିନ୍ନ ପ୍ରକଳ୍ପର ତାଲିମ ନେଇ ତାହାକୁ ବାସ୍ତବ କ୍ଷେତ୍ରରେ ନିୟୋଜିତ କରି ସ୍ୱାବଲମ୍ବୀ ହେବାପାଇଁ ଚେଷ୍ଟା କରିବା ଉଚିତ ବୋଲି ଲୀଳାବତୀ ପରାମର୍ଶ ଦେଇଥିଲେ । ଏହି ଅବସରରେ ଅତିଥିଗଣ ଲୀଳାବତୀଙ୍କୁ ଫୁଲମାଳ, ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।