ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ

ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ

ହାଇକୋର୍ଟରେ ପ୍ରକାଶ ପାଇଲା ରାୟ: ମୋକିମଙ୍କ ନିର୍ବାଚନ ଅସିଦ୍ଧ, ହରାଇଲେ ବିଧାୟକ ପଦ

#କଟକ(ଏନ୍‌.ଏମ୍‌.): ହାଇକୋର୍ଟରେ ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କୁ ଛାଟ । ତାଙ୍କର ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ବାରବାଟୀ-କଟକ ବିଧାୟକ ଇଂ. ମୋକିମ ନାମାଙ୍କନ ଦାଖଲ ସମୟରେ କେତେକ ତଥ୍ୟ ଦେଇନଥିବା ଅଭିଯୋଗର ମାମଲାରେ ଶୁଣାଣି କରି ଏପରି ରାୟ ପ୍ରକାଶ କରିଛନ୍ତି ହାଇକୋର୍ଟ । ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ସେ ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନ ଥିଲେ । ଏପରିକି ସେ ଜାଣିଶୁଣି କିଛି କାଟାଗୋରି ଛାଡ଼ି ଯାଇଥିଲେ । ନାମାଙ୍କନ ପତ୍ରରେ ଏସମ୍ପର୍କୀତ ତଥ୍ୟ ଲୁଚାଇଥିବାରୁ ତାହା ସୂଚନା ଅଧିକାର ଆଇନକୁ ଉଲ୍ଳଘଂନ କରୁଛି ବୋଲି ବିଜେଡି ନେତା ତଥା ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଦେବାଶିଷ ସାମନ୍ତରାୟ ଅଭିଯୋଗ କରିଥିଲେ । ଦେବାଶିଷ ଏନେଇ ୨୦୧୯ ମସିହାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏକ ମାମଲା ରୁଜୁ କରିଥିଲେ । ସେହି ଆଧାରରେ କୋର୍ଟ ପକ୍ଷରୁ ଉଭୟ ପକ୍ଷଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା । ଆବଶ୍ୟକ ଡକ୍ୟୁମେଣ୍ଟ ବି ଉପସ୍ଥାପନ କରାଯାଇଥିଲା । ଦୀର୍ଘ ଦିନ ଧରି ଏହି ମାମଲା ଚାଲିଥିବାବେଳେ କୋର୍ଟ ରାୟ ପ୍ରକାଶ କରି ଇଂ. ମୋକିମଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ପରେ ବର୍ତ୍ତମାନ ପାଇଁ ବାରବାଟୀ-କଟକ ଆସନ ଫାଙ୍କା ରହିଲା । ଆଗାମୀ ଦିନରେ ହେବାକୁ ଥିବା ନିର୍ବାଚନରେ ଏହି ପଦ ପାଇଁ ଲଢ଼େଇ ହେବ । ଗତ ୫ ବର୍ଷ ଧରି ମୋକିମ କଟକ-ବାରବାଟୀରୁ ବିଧାୟକ ଭାବେ ନିର୍ବାଚିତ ହୋଇ ନିଜ କାର୍ଯ୍ୟ ସମ୍ପାଦନ କରୁଥିବାବେଳେ ଏବେ ତାହା ଅସିଦ୍ଧ ହୋଇ ଯାଇଛି । ଫଳରେ ବର୍ତ୍ତମାନ ମୋକିମ ବିଧାୟକ କିମ୍ବା ପୂର୍ବତନ ବିଧାୟକ ବୋଲି ସମ୍ବୋଧିତ ହୋଇ ପାରିବେନି । ମାତ୍ର ଆଗାମୀ ନିର୍ବାଚନ ଲଢ଼ିବା ନିମନ୍ତେ ତାଙ୍କ ପାଇଁ କୌଣସି ଅସୁବିଧା ନାହିଁ । କାରଣ ଏ ସମ୍ପର୍କରେ ହାଇକୋର୍ଟ କୌଣସି ଅର୍ଡର ଦେଇ ନାହାନ୍ତି । ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ସମ୍ପର୍କରେ ମୋକିମଙ୍କ ମତାମତ ମିଳିପାରିନି । ରାଷ୍ଟ୍ରପତି ନିର୍ବାଚନ ସମୟରେ ଦଳୀୟ ହୁଇପକୁ ଅମାନ୍ୟ କରି ବିଧାୟକ ମୋକିମ୍ ଏନଡିଏ ପ୍ରାର୍ଥୀଙ୍କୁ ଭୋଟ୍ ଦେଇଥିଲେ । ଦଳ ବିରୋଧୀ କାର୍ଯ୍ୟ ପାଇଁ ମୋକିମ ଓ ଜଗତସିଂହପୁରର ପୂର୍ବତନ ବିଧାୟକ ଚିରଞ୍ଜୀବୀ ବିଶ୍ୱାଳଙ୍କୁ କଂଗ୍ରେସ ନିଲମ୍ବିତ କରିଥିଲା । ମାତ୍ର ନିର୍ବାଚନ ପୂର୍ବରୁ ଘର ସଜାଡ଼ିବାକୁ ଅଣ୍ଟା ଭିଡ଼ି ଉଭୟଙ୍କ ଉପରୁ ଗତ ଜାନୁୟାରୀ ମାସରେ ଦଳ ନିଲମ୍ବନ ଆଦେଶ ଉଠାଇ ନେଇଥିଲା । ମୋକିମ କଂଗ୍ରେସ ଦଳର ଜଣେ ଟାଣୁଆ ନେତା ହୋଇଥିବା ବେଳେ ତାଙ୍କର ଦବଦବା ବି ବେଶ୍ ରହିଛି । ଏପରିକି ସେ ଜଣେ ଜନପ୍ରିୟ ଲୋକ ପ୍ରତିନିଧି ଭାବେ ବେଶ ପରିଚିତ । ଏପରି ସ୍ଥିତିରେ ତାଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରାଯିବା ଘଟଣା ମୋକିମଙ୍କ ସମେତ କଂଗ୍ରେସ ଦଳକୁ ବି ଶକ୍ତ ଝଟକା ଦେଇଛି । ସାଧାରଣ ନିର୍ବାଚନର ଅବ୍ୟବହିତ ପୂର୍ବରୁ ହାଇକୋର୍ଟଙ୍କ ଏପରି ନିର୍ଦ୍ଦେଶ ଯୋଗୁ କଂଗ୍ରେସ ମହଲରେ ନିରାଶା ଖେଳି ଯାଇଛି । ଏନେଇ ମୋକିମଙ୍କ ପ୍ରତିକ୍ରିୟା ମିଳିନଥିବାବେଳେ ଦେବାଶିଷ ସାମନ୍ତରାୟ କହିଛନ୍ତି, ରାୟରୁ ସ୍ପଷ୍ଟ ହୋଇଛି ଯେ ଇଂ.ମୋକିମ କେବେ ବିଧାୟକ ନଥିଲେ ।
ସୂଚନା ଯୋଗ୍ୟ ଯେ, ଗତ ଫେବୃୟାରୀ ୨ ତାରିଖରେ ହାଇକୋର୍ଟ ବାରବାଟୀ-କଟକ ନିର୍ବାଚନୀ ମାମଲାର ଶୁଣାଣି ଶେଷ କରି ରାୟ ହାଇକୋର୍ଟ ରାୟ ସଂରକ୍ଷିତ ରଖିଥିଲେ । ଆଜି ମାମଲାର ରାୟ ପ୍ରକାଶ ପାଇଛି । ପ୍ରକାଶିତ ରାୟରେ ଆଜି ହାଇକୋର୍ଟ ଇଂ. ମୋକିମ୍‌ଙ୍କ ନିର୍ବାଚନକୁ ବେଆଇନ ବୋଲି ଦର୍ଶାଇଛନ୍ତି । ପୂର୍ବତନ ବିଧାୟକ ତଥା ମାମଲାର ଆବେଦନକାରୀ ଦେବାଶୀଷ ସାମନ୍ତରାୟଙ୍କ ପକ୍ଷରୁ ଆଗତ ମାମଲାରେ ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁଙ୍କ ଇଜିଲାସ ମୋକିମ୍‌ଙ୍କ ନିର୍ବାଚନକୁ ଖାରଜ କରିଛନ୍ତି । ଗତ ବିଧାନସଭା ନିର୍ବାଚନରେ ନାମାଙ୍କନ ଦାଖଲ ବେଳେ ୧୩ଟି ଅପରାଧିକ ମାମଲାର ସବିଶେଷ ତଥ୍ୟ ଦେଇ ନଥିଲେ ଇଂ. ମୋକିମ । ସେହିପରି ନାମାଙ୍କନ ପତ୍ରରେ ସେ ମଧ୍ୟ ଅନେକ ତଥ୍ୟ ଲୁଚାଇଥିବାରୁ ୬୯୪ ପୃଷ୍ଠା ସମ୍ବଳିତ ରାୟରେ ହାଇକୋର୍ଟ ମୋକିମ୍‌ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିଛନ୍ତି । ପ୍ରକାଶଥାଉକି ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ୨୦୧୯ ମସିହା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ୍ ମୋକିମ୍ ୫୦ ହଜାର ୨ ଶହ ୪୪ ଖଣ୍ଡ ଭୋଟ୍ ପାଇଥିବାବେଳେ ବିଜେଡିର ଦେବାଶିଷ ସାମନ୍ତରାୟ ୪୬ହଜାର ୪ ଶହ ୧୭ ଖଣ୍ଡ ଭୋଟ ପାଇଥିଲେ । ତେବେ ନିର୍ବାଚନୀ ମଣ୍ଡଳୀର ବିଜୟୀ ପ୍ରର୍ଥୀ ତଥା କଂଗ୍ରେସ ବିଧାୟକ ମହମ୍ମଦ୍ ମୋକିମ୍‌ଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବାକୁ ହାଇକୋର୍ଟରେ ପରାଜିତ ପ୍ରାର୍ଥୀ ଦେବାଶିଷ ସାମନ୍ତରାୟଙ୍କ ପକ୍ଷରୁ ଗତ ୨୦୧୯ ମସିହାରେ ଏକ ନିର୍ବାଚନୀ ମାମଲା ରୁଜୁ କରାଯାଇଥିଲା । ଶ୍ରୀ ସାମନ୍ତରାୟ ଦର୍ଶାଇଥିଲେ ଯେ ଶ୍ରୀ ମୋକିମ୍ ତାଙ୍କ ସତ୍ୟପାଠରେ ଅନେକ ତଥ୍ୟ ଲୁଚାଇଛନ୍ତି । ମୋକିମ୍‌ଙ୍କ ନାମରେ ଥିବା ଅପରାଧିକ ମାମଲା ଏବଂ ତାଙ୍କର ସମ୍ପତିି ସମ୍ପର୍କରେ ସେ ରିଟର୍ଣ୍ଣି ଅଫିସରଙ୍କ ନିକଟରେ ମିଥ୍ୟା ଓ ଅସମ୍ପୂର୍ଣ୍ଣ ତଥ୍ୟ ଦାଖଲ କରିଛନ୍ତି । ଏଣୁ ଇଂ. ମୋକିମ୍ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ତାଙ୍କ ନିର୍ବାଚନକୁ ଅସିଦ୍ଧ ଘୋଷଣା କରିବା ସହ ସାନି ନିର୍ବାଚନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦିଅନ୍ତୁ ବୋଲି ଆବେଦନକାରୀ ଶ୍ରୀ ସାମନ୍ତରାୟ ହାଇକୋର୍ଟଙ୍କୁ ପ୍ରାର୍ଥନା କରିଥିଲେ । ତେବେ ବିଜୟୀ ପ୍ରାର୍ଥୀ ତଥା ବିଧାୟକ ମୋକିମ୍‌ଙ୍କ ପକ୍ଷରୁ ଦେବାଶୀଷଙ୍କ ଏପରି ମାମଲାକୁ ବିରୋଧ କରାଯାଇ ହାଇକୋର୍ଟରେ ମାମଲା ରୁଜୁ କରାଯାଇଥିଲା । ଏଥିରେ ଅର୍ଡର ୭ ର ରୁଲ୍ ୧୧ ଆଧାରରେ ୫ଟି କାରଣ ଦର୍ଶାଇ ଦେବାଶିଷଙ୍କ ଆବେଦନକୁ ଶୁଣାଣି ନକରି ଖାରଜ କରିବାକୁ ପ୍ରାର୍ଥନା କରାଯାଇଥିଲା । ହାଇକୋର୍ଟ ମୋକିମ୍‌ଙ୍କ ଏପରି ଆବେଦନକୁ ଖାରଜ କରିବା ସହ ତାଙ୍କ ଉପରେ ୫ ହଜାର ଟଙ୍କାର କଷ୍ଟ୍ ଲଗାଇଥିଲେ । ସେହିପରି ଏହି ନିର୍ବାଚନ ମାମଲାରେ ବିଧାୟକ ମହମ୍ମଦ୍ ମୋକିମ୍‌ଙ୍କୁ ଅଧିକ ମହଲତ ଆବେଦନ ପାଇଁ ତଣ୍ଡ ସ୍ୱରୁପ ଅଦାଲତ ହାଇକୋର୍ଟ ବାର୍ ଆସୋସିଏସନ୍ ୱେଲଫେୟାର୍ ଫଣ୍ଡ୍‌ରେ ୧୦ ହଜାର ଟଙ୍କା ଲେଖାଏ ୨ ଥର ଜମା କରିବାକୁ ଆଦେଶ ଦେଇଥିଲେ । ଏହି ମାମଲାରେ ତତ୍‌କାଳୀନ ରିଟର୍ଣ୍ଣି ଅଫିସର୍ ତଥା ସବ୍ କଲେକ୍ଟର୍ ସୁକାନ୍ତ କୁମାର ପ୍ରଧାନଙ୍କୁ ଜେରା କରାଯାଇଥିଲା । ପରବର୍ତ୍ତୀ ସମୟରେ ମାମଲାର ଆବେଦନକାରୀ ଦେବାଶିଷ ସାମନ୍ତରାୟ ଓ ପ୍ରତିପକ୍ଷ ମହମ୍ମଦ୍ ମୋକିମ୍‌ଙ୍କୁ ହାଇକୋର୍ଟରେ ଜେରା କରାଯିବା ସହିତ ଏହି ନିର୍ବାଚନ ସମ୍ପର୍କିତ ବିଭିନ୍ନ ପ୍ରାମାଣିକ ତଥ୍ୟ ଓ ନଥିପତ୍ରରର ଯାଂଚ କରାଯାଇଥିଲା । ଆବେଦନକାରୀ ଶ୍ରୀ ସାମନ୍ତରାୟଙ୍କ ପକ୍ଷରୁ ହାଇକୋର୍ଟରେ ଏହି ମାମଲାକୁ ବରିଷ୍ଠ ଆଇନଜୀବୀ ମିଲନ୍ କାନୁନଗୋ, ଆଇନଜୀବୀ ଗୋପାଳ ଅଗ୍ରୱାଲ, ସିଦ୍ଧାର୍ଥ ଦାସ ମାମଲା ପରିଚାଳନା କରୁଥିବାବେଳେ ଇଂ. ମୋକିମ୍‌ଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ବିଦ୍ୟାଧର ମିଶ୍ର ଓ ତରଣୀକାନ୍ତ ବିଶ୍ୱାଳ ମାମଲା ପରିଚାଳନା କରୁଥିଲେ । ପୂର୍ବରୁ ଓଡିଶା ଇତିହାସରେ ଆଠଗଡ ନିର୍ବାଚନକୁ ମଧ୍ୟ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଥିଲେ ।

Slider ଅପରାଧ ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ