ହାଇକୋର୍ଟରୁ ଜାମିନ ପାଇଲେ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସ

କଟକ (ଏନ୍.ଏମ୍): ବରିଷ୍ଟ ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ଜାମିନ ମିଳିଛି । ସେ ଏକ ଘରୋଇ ନ୍ୟୁଜ ଚ୍ୟାନେଲ ସଂପାଦକ ତଥା ସାମ୍ବାଦିକ ଅର୍ଦ୍ଧେନ୍ଦୁ ଦାସଙ୍କୁ ହାଇକୋର୍ଟରୁ ସର୍ତ୍ତମୂଳକ ଜାମିନ ମଞ୍ଜୁର ହୋଇଛି । ତେବେ ଟଙ୍କା ବକେୟା ମାମଲାରେ ଅର୍ଦ୍ଧେନ୍ଦୁଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା । ସୂଚନା ଥାଉକି, ଅର୍ଦ୍ଧେନ୍ଦୁଙ୍କ ନାଁରେ ୧ କୋଟି ଟଙ୍କାର ଠକେଇ ମାମଲା ରହିଛି । ଚଳିତ ବର୍ଷ ଜୁନ୍ ୨୯ ତାରିଖ ରାତିରେ ଅର୍ଦ୍ଧେନ୍ଦୁଙ୍କୁ ନୟାଗଡ଼ ଜିଲ୍ଲା ଓଡ଼ଗାଁ ଅଞ୍ଚଳରୁ ଉଠାଇ ନେଇ ଜେରା କରିବା ପରେ କ୍ରାଇମବ୍ରାଞ୍ଚ ଇଓଡବ୍ଲୁ ଗିରଫ କରିଥିଲା । ଦିଲ୍ଲୀର ଗଗନଦୀପ ଚାୱଲା ନାମକ ଜଣେ ବ୍ୟବସାୟୀଙ୍କ ନିକଟରୁ ଅର୍ଦ୍ଧେନ୍ଦୁ ଦାସ ନିଜ ଚ୍ୟାନେଲ ପାଇଁ ପ୍ରାୟ କୋଟିଏ ଟଙ୍କାର ଜିନିଷ କିଣିଥିଲେ । ମାତ୍ର ସେ ଏହି ଟଙ୍କା ଦେଇ ନଥିବା ନେଇ ବ୍ୟବସାୟୀ ଜଣକ ଇଓଡବ୍ଲୁ ନିକଟରେ ଅଭିଯୋଗ କରିଥିଲେ । ଏହି ଘଟଣାର ଖୋଳତାଡ଼ କରି ଇଓଡବ୍ଲୁ ପକ୍ଷରୁ ଅର୍ଦ୍ଧେନ୍ଦୁ ଦାସଙ୍କୁ ଗିରଫ କରାଯାଇଥିଲା । ସେପଟେ ଅର୍ଦ୍ଧେନ୍ଦୁ ଦାସଙ୍କ ନାମରେ ବରଗଡ଼ ଥାନା, ମର୍କତନଗର ଥାନା ଓ ପୁରୀଘାଟ ଥାନାରେ ଆଉ ୩ଟି ମାମଲା ରୁଜୁ ହୋଇଥିଲା । ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଘରଭଡ଼ା ବାବଦ ଦେୟ ଅର୍ଦ୍ଧେନ୍ଦୁ ଦାସ ଦେଇ ନଥିବା ନେଇ ଘରମାଲିକ ବରଗଡ଼ ଥାନାରେ ଅଭିଯୋଗ କରିଥିଲେ । ଅର୍ଦ୍ଧେନ୍ଦୁଙ୍କ ଚ୍ୟାନେଲରେ କାର୍ଯ୍ୟ କରୁଥିବା ଜଣେ କର୍ମଚାରୀ ଦରମା ପାଇ ନଥିବା ନେଇ ମର୍କତନଗର ଥାନାରେ ଅଭିଯୋଗ କରିଥିଲେ । ଏହାବାଦ ପୁରୀଘାଟ ଥାନାରେ ଅର୍ଦ୍ଧେନ୍ଦୁ ଦାସଙ୍କ ନାଁରେ ଆଉ ଏକ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି । ତେବେ ହାଇକୋର୍ଟ ଅର୍ଦ୍ଧେନ୍ଦୁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଥିବାବେଳେ ସେ ୨୦ଲକ୍ଷ ଟଙ୍କା ଜମା ଦେଇ ଜାମିନରେ ଯାଇପାରିବେ । ଏଥି ସହିତ ହାଇକୋର୍ଟ ଅନ୍ୟାନ୍ୟ ସର୍ତ୍ତ ଲଗାଇଛନ୍ତି । ଏହି ମାମଲା ମଧ୍ୟସ୍ଥତା କେନ୍ଦ୍ରରେ ଆପୋଷ ସମାଧାନ ପାଇଁ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି ।