ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ଅଭିନେତ୍ରୀ ପ୍ରକୃତି ମିଶ୍ର

କଟକ (ଏନ୍.ଏମ୍.): ପୁଲିସର କାର୍ଯ୍ୟାନୁଷ୍ଠାନ ଉପରେ ଅସନ୍ତୁଷ୍ଟ ହୋଇ ଅଭିନେତ୍ରୀ ପ୍ରକୃତି ମିଶ୍ର ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ତେବେ ତାଙ୍କ ଏତଲା ଉପରେ କାର୍ଯ୍ୟାନୁଷ୍ଠାନ ହେଉ ନଥିବାରୁ ପ୍ରକୃତି ହାଇକୋର୍ଟ ଯାଇଛନ୍ତି ।ପୁଲିସ୍ କୌଣସି କାର୍ଯ୍ୟାନୁଷ୍ଠାନ ନେଉ ନ ଥିବା ହାଇକୋର୍ଟରେ ସେ ଅଭିଯୋଗ କରିଛନ୍ତି । ଗତ ଜୁଲାଇ ୨୩ତାରିଖରେ ଘଟଣା ଘଟିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପୁଲିସ ଗୁରୁତ୍ୱ ଦେଉନଥିବା ସେ ଅଭିଯୋଗ କରିବା ସହ ଘଟଣାକୁ ମାସେ ପୁରଣ ହୋଇଥିଲେ ମଧ୍ୟ ତାଙ୍କୁ ନ୍ୟାୟ ମିଳି ପାରିନଥିବା ପ୍ରକୃତି କହିଛନ୍ତି । ତେବେ ବାବୁସାନଙ୍କ ପତ୍ନୀ ତୃପ୍ତି ଓ ଶ୍ୱଶୁରଙ୍କ ନାଁରେ ପ୍ରକୃତି ଖାରବେଳ ନଗର ଥାନାରେ ଏତଲା କରିଥିଲେ । ତାଙ୍କ ଉପରେ ହୋଇଥିବା ଆକ୍ରମଣ ପାଇଁ ସେ ଏତଲା କରିଥିଲେ । ହେଲେ ଆଜି ପର୍ଯ୍ୟନ୍ତ ପୁଲିସ କୌଣସି ପଦକ୍ଷେପ ଗ୍ରହଣ କରିନଥିବା, ଉପଯୁକ୍ତ ଦଫା ନଲଗାଇ ପୁଲିସ ଘଟଣାକୁ ହାଲୁକା କରିବାକୁ ଉଦ୍ୟମ କରିବା ଭଳି ପ୍ରକୃତି ସଂଗୀନ ଅଭିଯୋଗ ଆଣିଛନ୍ତି । ତେବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ପରେ ନିଜର ପ୍ରତିକ୍ରିୟାରେ ପ୍ରକୃତି କହିଛନ୍ତି, ‘ମୋ ସହ ଯାହା ହୋଇଛି ଆପଣମାନେ ସମସ୍ତେ ଜାଣନ୍ତି । ନ୍ୟାୟାଳୟ ଉପରେ ମୋର ପୂରା ଭରସା ରହିଛି । ମୋତେ ନ୍ୟାୟ ମିଳିବ ବୋଲି ମୋର ଆଶା ରହିଛି ।
ଅନ୍ୟପଟେ ଏହି ଘଟଣାନେଇ ପ୍ରକୃତି ମିଶ୍ରଙ୍କ ଓକିଲ ବ୍ୟୋମକେଶ ତ୍ରିପାଠୀ ମଧ୍ୟ ନିଜର ପ୍ରତିକ୍ରିୟା ରଖିଛନ୍ତି । ସେ ପୁଲିସର ଭୂମିକା ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଜୁଲାଇ ୨୩ ରେ ଆକ୍ରମଣ ପରେ ଥାନାରେ ଏତଲା କରାଯାଇଥିଲା । ଦୀର୍ଘଦିନ ବିତିଯାଇଥିଲେ ବି ପୁଲିସ କୌଣସି ନ୍ୟାୟ ଦେଇପାରିନି । ବିଭିନ୍ନ ପ୍ରକାର ଆରୋପ ଥିଲେ ବି ପୁଲିସ ଉପଯୁକ୍ତ ଦଫା ଲଗାଇନି । ତେଣୁ ମାମଲାରେ ଗୃହ ସଚିବ, ଖାରବେଳନଗର ଥାନା ଆଇଆଇସିଙ୍କୁ ପକ୍ଷଭୁକ୍ତ କରାଯାଇଛି । ନିରପେକ୍ଷ ସଂସ୍ଥା ଦ୍ୱାରା ତଦନ୍ତ କରାଇବାକୁ କୋର୍ଟରେ ଅପିଲ କରାଯାଇଥିବା ପ୍ରକୃତିଙ୍କ ଓକିଲ ଶ୍ରୀ ତ୍ରିପାଠୀ କହିଛନ୍ତି ।