ହକି ବିଶ୍ୱକପକୁ ନେଇ ଛାତ୍ର କମଳଲୋଚନଙ୍କ ନିଆରା କଳାକୃତି
#କଟକ(ଏନ୍.ଏମ୍.): କଟକରେ ହକି ବିଶ୍ୱକପକୁ ନେଇ ଉତ୍ସାହ ସୃଷ୍ଟି ହୋଇଛି । ସହରର ଆବାଳ ବୃଦ୍ଧ ବନିତା ଏଥି ପାଇଁ ପ୍ରସ୍ତୁତିରେ ଲାଗି ପଡ଼ିଛନ୍ତି । କିଏ ଝୋଡ଼ି ପ୍ରସ୍ତୁତି କରୁଛି ତ ଆଉ କିଏ ଚିତ୍ର କଳା । ଏହି ପ୍ରସ୍ତୁତି ମଧ୍ୟରେ ଆଗରେ ରହିଛନ୍ତି +୩ ତୃତୀୟବର୍ଷର ଛାତ୍ର କମଳଲୋଚନ ପରିଡା । ମାତ୍ର ୨୦ବର୍ଷ ବୟସରେ ସେ ଯେଉଁ କଳାକୃତି ପ୍ରସ୍ତୁତ କରିଛନ୍ତି ତାହାକୁ ଯେ କେହିବି ଦେଖୁଛନ୍ତି ପ୍ରଶଂସାରେ ପୋତି ପକାଇଛନ୍ତି । ତେବେ କୌଣସି ନାମୀଦାମୀ ସାମଗ୍ରୀ ବ୍ୟବହାର କରି ନୁହେଁ ବରଂ ଆବର୍ଜନାରୁ କିଛି ସାମଗ୍ରୀ ସାଉଁଟି ସେ ଏହାକୁ ପ୍ରସ୍ତୁତ କରିଛନ୍ତି । ସ୍ଥାନୀୟ ଅରୁଣୋଦୟ ମାର୍କେଟ ସ୍ଥିତ ସରସ୍ୱତୀ ଡିଗ୍ରୀ ବିଜ୍ଞାନ କଲେଜର ଛାତ୍ର କମଳ ଲୋଚନ କଟକରେ ଆୟୋଜିତ ହକି ବିଶ୍ୱକପର ଉଦ୍ଘାଟନୀ ସମାରୋହକୁ ନେଇ ଏକ ଡେମୋ ଟ୍ରଫି ପ୍ରସ୍ତୁତ କରିଛନ୍ତି । ସେ ଏହାକୁ ବର୍ଜ୍ୟବସ୍ତୁ ବା ଅବ୍ୟବହୃତ ସାମଗ୍ରୀକୁ ନେଇ ପ୍ରସ୍ତୁତ କରିଛନ୍ତି । ଏହାକୁ କଲେଜରେ ପ୍ରଦର୍ଶିତ କରାଯିବା ପରେ ଛାତ୍ରଛାତ୍ରୀଙ୍କ ଉତ୍ସାହ ଅଧିକ ବୃଦ୍ଧି ପାଇଥିବା ଜଣାପଡ଼ିଛି । ତେବେ ଏହି ଟ୍ରଫିଟିକୁ ତିଆରି କରିବାକୁ ତାଙ୍କୁ ୨ଦିନ ସମୟ ଲାଗିଥିବା ସେ କହିଛନ୍ତି । ପିଲାଟି ଦିନରୁ କଳା ପ୍ରତି ଦୁର୍ବଳତା ଥିବା କମଳଲୋଚନ ଚିତ୍ର ଆଙ୍କିବା, ବିଭିନ୍ନ ସୌନ୍ଦର୍ଯ୍ୟ ସାମଗ୍ରୀ ତିଆରି କରିବାରେ ତାଙ୍କୁ ବେଶ ଆନନ୍ଦ ମିଳେ ବୋଲି କହିଛନ୍ତି । ତେବେ ସେ ଏହି କଳାକୃତି ଦ୍ୱାରା ଜନସାଧାରଣଙ୍କୁ ଆମ ଜାତୀୟ ଖେଳ ହକିକୁ ଭଲ ପାଇବା, ଦେଶ ପାଇଁ ଖେଳୁଥିବା ଖେଳାଳୀମାନଙ୍କୁ ଉତ୍ସାହିତ କରିବା ଯାହା ଦ୍ୱାରା ସେମାନେ ଆମ ଦେଶ ପାଇଁ ଗୌରବ ଆଣିପାରିବେ ଏହି ବାର୍ତ୍ତା ଦେବାକୁ ଚାହିଛନ୍ତି ।