ସ୍ୱାମୀଙ୍କ ଶେଷ ଇଚ୍ଛା ପୂରଣ କଲେ ସୁପ୍ରଭା: ଜମି ବିକି ଜଗନ୍ନାଥଙ୍କୁ ଦାନ ଦେଲେ ୨୦ଲକ୍ଷ ଓ ସ୍କୁଲକୁ ୧୫ଲକ୍ଷ
ବାଲେଶ୍ୱର(ଏନ୍.ଏମ୍.): ସ୍ୱାମୀଙ୍କ ଶେଷ ଇଚ୍ଛାକୁ ପୂରଣ କରି ଚର୍ଚ୍ଚାକୁ ଆସିଛନ୍ତି ପତ୍ନୀ । ଏଭଳି ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଅଞ୍ଚଳରେ । ସ୍ୱାମୀ ଯାହା ଭାବିଥିଲେ, ତା’କୁ ସେ ଜୀବିତାବସ୍ଥାରେ ପୂରଣ କରି ପାରି ନଥିଲେ । କିନ୍ତୁ ସ୍ୱାମୀଙ୍କ ଅବର୍ତ୍ତମାନରେ ପତ୍ନୀ ଉକ୍ତ ସ୍ୱପ୍ନକୁ ପୂରଣ କରିଛନ୍ତି । ଏହି ଚର୍ଚ୍ଚିତ ବ୍ୟକ୍ତି ହେଉଛନ୍ତି ବାଲେଶ୍ୱର ବସ୍ତା ଅନ୍ତର୍ଗତ ସଦାନନ୍ଦ ପୁରର ସୁପ୍ରଭା ପଣ୍ଡା । ୭୦ବର୍ଷ ବୟସରେ ସେ ତାଙ୍କ ସ୍ୱାମୀଙ୍କ ଆଶା ପୂରଣ କରିଥିବା ନେଇ ଏବେ ସାରା ରାଜ୍ୟରେ ଏକ ନିଆରା ଉଦାହରଣ ସୃଷ୍ଟି କରିଛନ୍ତି । ନିଜର ଜମି ବିକି ସେ ୨୦ଲକ୍ଷ ଟଙ୍କା ମହାପ୍ରଭୁଙ୍କୁ ଦାନ କରିଛନ୍ତି ।
ସୂଚନା ଅନୁଯାୟୀ, ସୁପ୍ରଭାଙ୍କ ସ୍ୱାମୀ ପଙ୍କଜକାନ୍ତ ପଣ୍ଡା କମର୍ସିଆଲ୍ ସେଲ୍ ଟ୍ୟାକ୍ସ ଅଫିସର ଥିଲେ । ସେ ୨୦୨୧ ମସିହାରେ କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ । କର୍କଟ ରୋଗରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ ତାଙ୍କ ମନରେ ଥିଲା ଜଗନ୍ନାଥଙ୍କ ପ୍ରତି ଅଗାଧ୍ୟ ପ୍ରେମ ଓ ସମାଜ ପ୍ରତି ଭଲ ପାଇବା । ଶେଷ ଥର ଯେତେବେଳେ ସେ ଶ୍ରୀଜୀଉଙ୍କୁ ଦର୍ଶନ କରିଥିଲେ ସେତେବେଳେ କିଛି ଅର୍ଥ ଦାନ କରିବାକୁ ଚାହିଁଥିଲେ । କିନ୍ତୁ ଏହା ସମ୍ଭବ ହୋଇ ପାରି ନଥିଲା । ଶ୍ରୀଜୀଉଙ୍କ ଦର୍ଶନର କିଛି ଦିନ ପରେ ପଙ୍କଜକାନ୍ତ ମଧ୍ୟ ଇହଧାମ ତ୍ୟାଗ କରିଥିଲେ । ତେବେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିବା ପୂର୍ବରୁ ଜଗନ୍ନାଥଙ୍କ ପ୍ରତି ତାଙ୍କର ଥିବା ଭକ୍ତି ଓ ଭାବକୁ ପତ୍ନୀଙ୍କୁ ଜଣାଇଥିଲେ । ଏଥିସହ ସେ ନିଜର ଶେଷ ଇଚ୍ଛା ମଧ୍ୟ ପତ୍ନୀ ସୁପ୍ରଭାଙ୍କୁ କହିଥିଲେ । ତେବେ ସ୍ୱାମୀଙ୍କ ମୃତ୍ୟୁପରେ ସୁପ୍ରଭବା ସେବେ ଠାରୁ ତାଙ୍କର ଶେଷ ଇଚ୍ଛା ପୂରଣ କରିବାକୁ ଲାଗି ପଡ଼ିଥିଲେ । କରୋନା ପାଇଁ ଏହା ସାମାନ୍ୟ ବିଳମ୍ବ ହୋଇଥିଲା । କିନ୍ତୁ ଏବେ ସେ କଟକରେ ଥିବା ତାଙ୍କର ୨୪ ଡିସିମିଲ୍ ଜମିକୁ ବିକ୍ରି କରିଛନ୍ତି । ଏହି ଜମି ବିକ୍ରିରୁ ମିଳିଥିବା ଟଙ୍କା ମଧ୍ୟରୁ ସେ ୨୦ଲକ୍ଷ ଟଙ୍କା ଶ୍ରୀମନ୍ଦିରକୁ ଦାନ କରିଛନ୍ତି । ସେହିପରି ବଳକା ୧୫ ଲକ୍ଷ ଟଙ୍କା ବସ୍ତାରେ ଥିବା ଶମ୍ଭୁନାଥ ହାଇସ୍କୁଲକୁ ଦାନ ସୂତ୍ରରେ ଦେଇଛନ୍ତି । ସୁପ୍ରଭାଙ୍କ ବଦାନ୍ୟତା ଓ ଦିବଂଗତ ସ୍ୱାମୀଙ୍କ ପ୍ରତି ଅନୁରକ୍ତି ଏବେ ଅନ୍ୟଙ୍କ ପାଇଁ ଉଦାହରଣ ସାଜିଛି । ଏ ସମ୍ପର୍କରେ ସୁପ୍ରଭା କହିଛନ୍ତି, “ମୋ ସ୍ୱାମୀଙ୍କ ଅଧା ଥିବା ସ୍ୱପ୍ନଙ୍କୁ ସାକାର କରିବା ପାଇଁ ମୁଁ ଚେଷ୍ଟା କରିଛି । ନିଜ ପାଇଁ ଓ ନିଜ ପରିବାର ପାଇଁ ସମସ୍ତେ ଅନେକ କିଛି କରୁଛନ୍ତି । କିନ୍ତୁ ପର ପାଇଁ କିଛି କରିବାରେ ଯେଉଁ ଆନନ୍ଦ, ସେକଥା ନିଜ ଲୋକଙ୍କ ପାଇଁ କଲେ ଆଦୌ ମିଳେ ନାହିଁ । ମୋ ସ୍ୱାମୀଙ୍କ ପରିଶ୍ରମର ଅର୍ଥ ଯେମିତି ସଦ୍ ଉପାୟରେ ଖର୍ଚ୍ଚ ହେଉ ଏନେଇ ମୁଁ ସମସ୍ତଙ୍କୁ କେବଳ ଅନୁରୋଧ କରୁଛି ।”ବୋଲି କହିଛନ୍ତି ।