ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତିଙ୍କ ଆତ୍ମହତ୍ୟା

କଟକ(ଏନ.ଏମ୍.): ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ ଝୁଲନ୍ତା ମୃତଦେହ ଆଜି କଟକସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଛି । ପ୍ରାପ୍ତ ସୂଚନା ଅନୁଯାୟୀ, ସିଡିଏ ସ୍ଥିତ ବାସଭବନରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ କଟକର ଏକ ଘରୋଇ ନର୍ସିଂହୋମରେ ଭର୍ତ୍ତି କରାଯାଇଥିଲା । ତେବେ ନର୍ସିଂହୋମ କର୍ତ୍ତୃପକ୍ଷ ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ଖବର ପାଇ ଘଟଣାସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିବାବେଳେ ସାଇଣ୍ଟିଫିକ ଟିମ ପହଞ୍ଚି ଆତ୍ମହତ୍ୟାରେ ବ୍ୟବହୃତ ରଶିକୁ ଜବତ କରିଛି । ତେବେ ଆତ୍ମହତ୍ୟାର ପ୍ରକୃତ କାରଣ ଜଣା ପଡ଼ିନାହିଁ । ତେବେ ସେ ଘରେ ଏକୁଟିଆ ଥିବାବେଳେ ପତ୍ନୀ ବାହାରକୁ ଯାଇଥିଲେ । ତେବେ ଅର୍ଡ଼ଲିଙ୍କୁ ମଧ୍ୟ ଦିନ ୧୨ଘଟିକା ସମୟରେ ଆଉ କିଛି କାମ ନାହିଁ ଯାଅ ବୋଲି କହିବାରୁ ସେ ମଧ୍ୟ ଘରକୁ ଚାଲିଯାଇଥିଲେ । ଫଳରେ ବିଚାପତି ଘରେ ଏକୁଟିଆ ସୁଯୋଗ ନେଇ ଆତ୍ମହତ୍ୟା କରିଥାଇ ପାରନ୍ତି ବୋଲି ଆଲୋଚନା ହେଉଛି । ଘଟଣାସ୍ଥଳରେ ଏସିପି ତାପସ ପ୍ରଧାନଙ୍କ ସମେତ ବିଭାଗୀୟ ଅଧିକାରୀ ତଦନ୍ତ ସମୟରେ ଉପସ୍ଥିତ ଅଛନ୍ତି । ବିଚାରପତିଙ୍କ ମୃତ୍ୟୁ ପରେ ତାଙ୍କ ପୈତୃକ ଗାଁ ଯାଜପୁରର ବିହାରୀ ମଠ ଗାଁରେ ଶୋକର ଛାୟା ଖେଳିଯାଇଛି । ତେବେ ଘରେ ତାଙ୍କ ମା’ ଆଉ ସାନ ଭାଇ ରହୁଥିବା ବେଳେ ବିଚାରପତି ସୁବାସ ବିହାରୀ କଟକରେ ରହନ୍ତି । ସେ ଯାଜପୁରର ବିରଜା ଆଇନ ମହାବିଦ୍ୟାଳୟରେ ପାଠ ପଢିବା ପରେ ଯାଜପୁରରେ ଲ ପ୍ରାକ୍ଟିସ କରିବା ପରେ ଓଜେଏସରେ କୃତକାର୍ଯ୍ୟ ହେବା ପରେ ୨୦୦୪ ମସିହାରେ ଚାକିରି ପାଇଥିଲେ ।