ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି; ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ

ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି; ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ

ସ୍କୁଲ ଓ ଅଙ୍ଗନବାଡ଼ି ତାଲା ଭାଙ୍ଗି ଚୋରି
ଗୋଟିଏ ଗ୍ରାମରୁ ସପ୍ତାହ ମଧ୍ୟରେ ୪ଟି ଚୋରି ପୁଲିସର ନିଷ୍କ୍ରିୟତା ଅଭିଯୋଗ

News by Ajit Kumar Mallick (Konark)

#କୋଣାର୍କ(ଏନ୍‌.ଏମ୍‌.): ଗୋଟିଏ ଗ୍ରାମରୁ ବାରମ୍ବାର ଚୋରି ହେଉଥିଲେ ମଧ୍ୟ ପୁଲିସ ପ୍ରଶାସନର କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗୁନଥିବା ଭଳି ସଂଗୀନ ଅଭିଯୋଗ ଉଠିଛି । ଫଳରେ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହିଛନ୍ତି । ସୂଚନା ଅନୁଯାୟୀ ଗତ ଗୁରୁବାର ରାତିରେ କୋଣାର୍କ ଥାନା ଅନ୍ତର୍ଗତ ବନାଖଣ୍ଡି ଗ୍ରାମର ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ଓ ଅଙ୍ଗନବାଡ଼ି କେନ୍ଦ୍ରର ତାଲା କାଟି ଦୁର୍ବୃତ୍ତମାନେ ଆସବାବପତ୍ର ଓ ଖାଦ୍ୟ ସାମଗ୍ରୀ ଚୋରି କରି ନେଇଛନ୍ତି । ଏ ନେଇ ପରଦିନ ପୂର୍ବାହ୍ନରେ ଉକ୍ତ ସ୍କୁଲର ପ୍ରଧାନଶିକ୍ଷକ ଗଙ୍ଗାଧର ରାଉତ ଓ ଅଙ୍ଗନବାଡ଼ି କର୍ମୀ ରଞ୍ଜୁବାଳା ଦେଇ କୋଣାର୍କ ଥାନାରେ ଏତଲା ଦେବା ସହିତ ଗୋପ ବିଇଓ ଓ ଗୋପ ବିଡ଼ିଓଙ୍କୁ ଅବଗତ କରିଛନ୍ତି । ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟର ତାଲା କାଟି ଦୁର୍ବୃତ୍ତମାନେ ଖେଳ ସାମଗ୍ରୀ ସମେତ ମଧ୍ୟାହ୍ନ ଭୋଜନ ନିମନ୍ତେ ଗଚ୍ଛିତ ଥିବା ଖାଦ୍ୟ ସାମଗ୍ରୀ ଚୋରି କରିଛନ୍ତି । ସେହିପରି ଅଙ୍ଗନବାଡ଼ି କେନ୍ଦ୍ର କୋଠାର ୩ଟି ବଖରା ତାଲା ଭାଙ୍ଗି ଗ୍ୟାସ୍ ସିଲିଣ୍ଡର, ଚୁଲା, ରେଗୁଲେଟର, ଓଜନ ମେସିନ ଏବଂ ଦୁଇ କ୍ୟାରେଟ୍ ଅଣ୍ଡା ସମେତ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀ ଲୁଟି ନେଇଥିବା ଜଣାପଡ଼ିଛି । ଅଭିଯୋଗ ପାଇ କୋଣାର୍କ ଥାନାଧିକାରୀ ରଞ୍ଜନ କୁମାର ମଲ୍ଲିକ ସଦଳବଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିବା ସହିତ ସ୍କୁଲଠାରୁ କିଛି ଦୂରରେ ଥିବା ଏକ ଘରୋଇ ସିସିଟିଭି କ୍ୟାମେରା ଯାଞ୍ଚ କରିଛନ୍ତି । ତେବେ ସ୍କୁଲର ପ୍ରଧାନଶିକ୍ଷକ ଓ ଅଙ୍ଗନବାଡ଼ି କେନ୍ଦ୍ର କର୍ମୀ ଉଭୟ ମିଳିତ ଭାବେ ଗୋଟିଏ ଏତେଲା ଦେବା ପାଇଁ କୋଣାର୍କ ପୁଲିସ ଦିନତମାମ ପ୍ରଧାନଶିକ୍ଷକ ଗଙ୍ଗାଧର ରାଉତଙ୍କ ଉପରେ ଚାପ ପକାଇଥିଲେ । ଗୋଟିଏ ବିସ୍ତୃତ ଖୋଲା କ୍ୟାମ୍ପସର ଗୋଟିଏ ପାର୍ଶ୍ୱରେ ବନାଖଣ୍ଡି ପ୍ରାଥମିକ ବିଦ୍ୟାଳୟ ଓ ବିପରୀତ ପାର୍ଶ୍ୱରେ ଅଙ୍ଗନବାଡ଼ି କେନ୍ଦ୍ର କୋଠା ଅବସ୍ଥାପିତ । ଉଭୟ ଅନୁଷ୍ଠାନ ଭିନ୍ନ ଭିନ୍ନ ବିଭାଗ ଦ୍ୱାରା ପରିଚାଳିତ । ଏଭଳି ସ୍ଥିତିରେ ପ୍ରଧାନଶିକ୍ଷକ ଓ ଅଙ୍ଗନବାଡ଼ି କର୍ମୀ ମିଳିତଭାବେ ଗୋଟିଏ ଏତାଲା ଦେବାକୁ ଅନିଚ୍ଛା ପ୍ରକାଶ କରିବାରୁ ପୋଲିସ ନିଜ ଜିଦ୍‌ରେ ଅଟଳ ରହି ମାମଲା ରୁଜୁ କ୍ଷେତ୍ରରେ ଅଯଥା ବିଳମ୍ବ କରୁଥିବା ଜଣାପଡିଛି । ଗତ ଏକ ସପ୍ତାହ ମଧ୍ୟରେ ବନାଖଣ୍ଡି ରାଜସ୍ୱ ମୌଜାରେ ୪ଟି ଚୋରି ଘଟଣା ସଂଘଟିତ ହୋଇଛି । ଗତ ରବିବାର ରାତିରେ ଏହି ଅଞ୍ଚଳର ଶିକ୍ଷକ କଲୋନୀର ଅଶୋକ କୁମାର ଦାଶଙ୍କ ନିର୍ମାଣାଧୀନ କୋଠଘର ତାଲାକୁ ତାଡ଼ି ଦୁର୍ବୃତ୍ତମାନେ ପାଣି ମୋଟର, କଟର ମେସିନ୍ ଓ ସାଇଣ୍ଡର ମେସିନ୍ ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରିଥିଲେ । ଏହାର ଦୁଇଦିନ ପରେ ବୁଧବାର ସଂଧ୍ୟାରେ ଜଣେ ବ୍ୟକ୍ତିଙ୍କ ଘର ସାମନାରୁ ତାଙ୍କ ସ୍କୁଟିକୁ ଚୋରି କରି ନେଉଥିବା ଦୁର୍ବୃତ୍ତଙ୍କୁ ଲୋକେ କାବୁକରି ପୁଲିସକୁ ହସ୍ତାନ୍ତର କରିଥିଲେ । ତେବେ ଏହି ଅଞ୍ଚଳରେ ଗତ ଏକମାସ ମଧ୍ୟରେ ୧୦ଟିରୁ ଅଧିକ ଚୋରି ଘଟଣା ଘଟିଥିଲେ ମଧ୍ୟ ପୁଲିସର ତତ୍ପରତା ପ୍ରକାଶ ନପାଇବା ଦୁର୍ଭାଗ୍ୟ ଜନକ ବୋଲି ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଅନ୍ୟପକ୍ଷରେ ପୁଲିସ ଉକ୍ତ ଅଞ୍ଚଳରେ ଆଦୌ ପେଟ୍ରୋଲିଂ ନକରିବା ଯୋଗୁଁ ବାରମ୍ବାର ଚୋରି ଭଳି ଅପରାଧ ବୃଦ୍ଧି ପାଉଥିବା ଲୋକେ କହିଛନ୍ତି ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ