ସୂଚନା ଅଧିକାର ଆଇନରେ ମିଳିଲା ସାଙ୍ଘାତିକ ତଥ୍ୟ: ଟାଙ୍ଗୀ ଚୌଦ୍ୱାର ମହିଷାଲଣ୍ଡାରୁ ଆସିଲା କାଜୁଗଛ ଚୋରି
#ଟାଙ୍ଗୀ-ଚୌଦ୍ୱାର (ଏନ୍.ଏମ୍.): କଟକ ଜିଲ୍ଲାରେ ଦୁର୍ନୀତି ବଢ଼ିବଢ଼ି ଚାଲିଛି । କେତେବେଳେ ଚୌଦ୍ୱାର-କଟକ ନିର୍ବାଚନ ମଣ୍ଡଳି ତ ଆଉ କେତେବେଳେ ଆଠଗଡ଼ ନିର୍ବାଚନ ମଣ୍ଡଳି । ଏଠାରେ ଦୁର୍ନୀତି ବୃଦ୍ଧି ପାଇବା ଯୋଗୁଁ ସାଧାରଣରେ ଅସନ୍ତୋଷ ତେଜିବାରେ ଲାଗିଛି । କିଛି ନ୍ୟସ୍ତ ସ୍ୱାର୍ଥ ରାଜନେତାଙ୍କ ଯୋଗୁଁ ଏ ସବୁ ଅଞ୍ଚଳରେ ପ୍ରକୃତ ହିତାଧିକାରୀ ସରକାରୀ ଯୋଜନାରୁ ଅପହଞ୍ଚରେ ରହୁଥିବାବେଳେ ମାଫିଆମାନେ ହାତେଇ ନେବାରେ ସଫଳ ହେଉଥିବା ଅଭିଯୋଗ ହୋଇଛି । ତେବେ ଏ ସବୁ ଦୁର୍ନୀତି ସମ୍ପର୍କରେ ସୂଚନା ଅଧିକାର ଆଇନରେ ଅନେକ ତଥ୍ୟ ରାଜନେତାଙ୍କ ଅସଲ ମୁଖାକୁ ଖୋଲି ଦେଉଥିଲେ ମଧ୍ୟ ଚାପ ପକାଇ ଏହାକୁ ଚପାଇ ଦେବା ପାଇଁ ହୀନ ଉଦ୍ୟମ ଚାଲିଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଛି ।
ସମ୍ପ୍ରତି ଆଠଗଡ ନିର୍ବାଚନ ମଣ୍ଡଳୀ ଟାଙ୍ଗୀ-ଚୌଦ୍ୱାର ବ୍ଲକର ମହିଷାଲଣ୍ଡା ପଞ୍ଚାୟତରେ ପାଇଖାନା ଚୋରି, ଇନ୍ଦିରା ଆବାସ ଘର ଚୋରି, ବିଜୁ ପକ୍କାଘର ଚୋରି ପରେ ଏବେ ଆସିଛି କାଜୁଗଛ ଚୋରି, ଯାହାକି ଆରଟିଆଇ ଯୋଗେ ତଥ୍ୟ ମିଳିବା ପରେ ଆଠଗଡ ଯୁବ ସଂଗଠକ ଅଭୟ ବାରିକ ସେହି ପଞ୍ଚାୟତର ଅଧିବାସୀ ମାନଙ୍କୁ ନେଇ ଯେଉଁ ଠାରେ କାଜୁଗଛ ଲଗାଯାଇ ଥିଲା ସେହି ଜଙ୍ଗଲ ଭିତରେ ଖୋଜିଥିଲେ ମଧ୍ୟ ଗୋଟିଏ ବି କାଜୁଗଛ ମିଳିନଥିଲା । ଯାହାକି ଚଞ୍ଚକତା କରି ଲକ୍ଷ ଲକ୍ଷ ଟଙ୍କା କୁଜିନେତା ମାନେ ଖାଇ ଯାଇଥିବା ଅଭିଯୋଗ କରିଛନ୍ତି ଅଭୟ ବାରିକ । ସୂଚନା ଅନୁଯାୟୀ ମହିଷା ଲଣ୍ଡା ପଞ୍ଚାୟତର ୨୭୮/୯୪୦ ପ୍ଲଟରେ ଯେଉଁଠି କଟକ ଉଦ୍ୟାନ ବିଭାଗ କାଜୁଗଛ ଲଗାଇଥିଲା ବୋଲି ଆରଟିଆଇ ଯୋଗେ ତଥ୍ୟ ମିଳିଛି ସେହି ପ୍ଲଟ ହେଉଛି ଗୋଟିଏ ସ୍କୁଲର ପଟ୍ଟାଜମି । ଏହାକୁ ଚଞ୍ଚକତା କରାଯାଇ ଅଙ୍ଗନବାଡି କର୍ମୀଙ୍କ ନାମରେ ମଷ୍ଟର ରୋଲ କରାଯାଇ ବିଲ ଭାଉଚର ପ୍ରସ୍ତୁତ କରାଯାଇ ଟଙ୍କା ଉଠାଯାଇଥିବା ସୂଚନା ଅଧିକାର ଆଇନରେ ଏଭଳି ସାଂଘାତିକ ତଥ୍ୟ ମିଳିଛି । ସେହି ପଞ୍ଚାୟତର କୌଣସିବି ଲୋକ ଜାଣିନାହାନ୍ତି ସେହି ପ୍ଲଟରେ କାଜୁଗଛ ଲଗାଯାଇଛି ବୋଲି । ଉଦ୍ୟାନ ବିଭାଗ ଯୋଉ ସ୍ଥାନକୁ ଦର୍ଶାଇଛି ଏବଂ ୨ ଏକର ୪୬ ଡ଼ିସିମିଲ ଜମିରେ କାଜୁଗଛ ଲଗାଇଛନ୍ତି । ସେହି ଜମି ହେଉଛି ଏକ ପ୍ରାଥମିକ ବିଦ୍ୟାଳୟର ସେଠି କାଜୁଗଛ ଲଗାଇବା ପାଇଁ ଅନୁମତି କିଏ ଅନୁମତି ଦେଇଛନ୍ତି ବୋଲି ଶ୍ରୀ ବାରିକ ପ୍ରଶ୍ନ କରିଛନ୍ତି । ଏହା ବ୍ୟତୀତ ୧୨.୫ ଏକର ଜମିରେ କାଜୁଗଛ ଆଦୌ ଲଗାଯାଇ ନଥିବା ଅନୁଧ୍ୟାନ ବେଳେ ଜଣାପଡିଛି । ଏଭଳି ଘଟଣା ପଦାକୁ ଆସିବା ପରେ କଟକ ଉଦ୍ୟାନ ବିଭାଗ ଚଞ୍ଚକତା କରି ସ୍ଥାନୀୟ କୁଜିନେତାଙ୍କ ସହଯୋଗରେ କାଜୁଗଛ ଲଗାଇ ଲକ୍ଷାଧିକ ଟଙ୍କା ତୋସାରପାତ କରିଥିବା ସ୍ଥାନୀୟ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ସୂଚନା ଅନୁଯାୟୀ ମୋଟ ପ୍ରକଳ୍ପ ପାଇଁ ଖର୍ଚ୍ଚ ହୋଇଛି ୮ ଲକ୍ଷ ୯୨ ହଜାର ୧ଶହ ୧୫ଟଙ୍କା, ଏହା ବ୍ୟତୀତ ଲେବର ଖର୍ଚ୍ଚ ବାବଦରେ ଖର୍ଚ୍ଚ ହୋଇଛି ୫ଲକ୍ଷ ୩୮ ହଜାର ୨ ଶହ ଟଙ୍କା, ମୋଟର ଆଳ ଖର୍ଚ୍ଚ ସହିତ ୧୦ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ୱ ଖର୍ଚ୍ଚ ହୋଇଥିବା ଏକ ସିମେଣ୍ଟ ସାଇନ ବୋର୍ଡରେ ଲେଖାଯାଇଛି, ଯାହାକି ଲିଭିଯିବା ଓ ଅସ୍ପଷ୍ଟ ହୋଇ ରହିଛି । ଏହି ସାଇନ ବୋର୍ଡ ହିଁ କଟକ ଉଦ୍ୟାନ ବିଭାଗର ଅସଲ ମୁଖା ଖୋଲିଦେଇଛି । ଉଦ୍ୟାନ ବିଭାଗ ଜରିଆରେ ଏମିତି ଲୁଟ ହୁଏ ବୋଲି ଏବେ ଲୋକ ଜାଣିସାରିଲେଣି । ଉଚ୍ଚ କର୍ତ୍ତୃପକ୍ଷ ଯଦି ଏହାର ତଦନ୍ତ ନକରନ୍ତି ତେବେ ଆଗାମୀ ଦିନରେ ବ୍ୟାପକ ଜନ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି । ତେବେ ଏ ନେଇ ଶ୍ରୀ ବାରିକଙ୍କ ନେତୃତ୍ୱରେ ଶତାଧିକ ଅଞ୍ଚଳବାସୀ ଟାଙ୍ଗୀ-ଚୌଦ୍ୱାର ବ୍ଲକ କାର୍ଯ୍ୟାଳୟ ଘେରାଉ କରିବା ସହ ବିଡିଓଙ୍କୁ ସ୍ମାରକପତ୍ର ପ୍ରଦାନ କରିଥିଲେ । ତେବେ ବିଭାଗୀୟ କର୍ତ୍ତୃପକ୍ଷ କେବେ କାର୍ଯ୍ୟାନୁଷ୍ଠାନ ନେଉଛନ୍ତି ତାହା ସମୟକୁ ଅପେକ୍ଷା ।