ସି-ସୋର କେଳେଙ୍କାରୀ: ହାଇକୋର୍ଟରୁ ନିରାଶ ହେଲେ ପ୍ରଭାତ
କଟକ(ଏନ୍.ଏମ୍.): ଚିଟଫଣ୍ଡ ସଂସ୍ଥା ସି-ସୋର ସହ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ବିଶ୍ୱାଳଙ୍କ ଆର୍ôଥକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ଗୁରୁତ୍ୱପୂର୍ଣ୍ଣ ଶୁଣାଣି ହୋଇଛି । ତେବେ ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକ ଭିତରେ ବିଚାର ଶେଷ କରିବାକୁ ହାଇକୋର୍ଟ ସିବିଆଇ କୋର୍ଟକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ହାଇକୋର୍ଟଙ୍କ ଏଭଳି ନିର୍ଦ୍ଦେଶ ନେଇ ନେଇ ସିବିଆଇ ଆଇନଜୀବୀ ସାର୍ଥକ ନାୟକ ସୂଚନା ଦେଇଛନ୍ତି । ଚିଟଫଣ୍ଡ ମାମଲାରେ ଦୀର୍ଘ ଦିନ ଧରି ଛନ୍ଦି ହୋଇଥିବା ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳ ଏଥିରୁ ମୁକୁଳିବା ପାଇଁ ବ୍ୟାକୁଳ ହୋଇ ଉଠିଛନ୍ତି । ତେଣୁ ଚାର୍ଜସିଟରୁ ନାଁ ବାଦ୍ ଦେବା ଓ ଏତଲା ରଦ୍ଦ ପାଇଁ ସେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ମାତ୍ର କୋର୍ଟରେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ଅନ୍ୟପକ୍ଷରେ ବର୍ଷକ ଭିତରେ ଏହି ମାମଲା ବିଚାର ସରିବ ବୋଲି ହାଇକୋର୍ଟ ଏକ ପ୍ରକାର ସ୍ପଷ୍ଟ କରିଛନ୍ତି ।
ସୂଚନା ଥାଉକି, ଚିଟଫଣ୍ଡ ସଂସ୍ଥା ସି-ସୋର ମାମଲାରେ ସିବିଆଇ ପୂର୍ବତନ ବିଧାୟକ ଡକ୍ଟର ବିଶ୍ୱାଳଙ୍କୁ ଗିରଫ କରିଥିଲା । ସି-ସୋରକୁ ପ୍ରମୋଟ କରିବାକୁ ତଥା ଡକ୍ଟର ବିଶ୍ୱାଳ ଏହି ସଂସ୍ଥା ସହ ଆର୍ôଥକ କାରବାରରେ ସମ୍ପୃକ୍ତି ରହିଥିବା ଲିଙ୍କରେ ସିବିଆଇ ଦ୍ୱାରା ଗିରଫ ହୋଇଥିଲେ । ତେବେ ଦୀର୍ଘଦିନ ଧରି ତଳ କୋର୍ଟରେ ମାମଲା ଚାଲିଥିବାବେଳେ ଡକ୍ଟର ବିଶ୍ୱାଳ ବହୁ କସରତ ପରେ ଜାମିନ୍ ପାଇଥିଲେ । ଏବେବି ସେ ଜାମିନରେ ଅଛନ୍ତି । ତେବେ ଏହି ମାମଲା ତାଙ୍କ ରାଜନୈତିକ ଜୀବନରେ ବହୁ ସମସ୍ୟା ସୃଷ୍ଟି କରୁଛି । ବହୁ ସୁଯୋଗ ତାଙ୍କ ହାତଛଡ଼ା ହୋଇ ଯାଉଛି । ଏମିତିକି କେସ ଥିବାରୁ ସେ ଗତ ସାଧାରଣ ନିର୍ବାଚନରେ ଲଢ଼ିବିନି ବୋଲି କହିବା ସହ ପୁଅ ପାଇଁ ଟିକେଟ ବ୍ୟବସ୍ଥା କରାଇ ଦେଇଥିଲେ । ମାତ୍ର ଆଗକୁ ସାଧାରଣ ନିର୍ବାଚନ ଥିବାରୁ ଡକ୍ଟର ବିଶ୍ୱାଳ ସେ ନେଇ ତତ୍ପର ହୋଇ ଉଠିଛନ୍ତି । ଏହି ମାମଲାର ବିଚାର ଦୀର୍ଘଦିନ ଚାଲିଥିବା ଦର୍ଶାଇ ସେ ମାମଲାରୁ ଖସିବାକୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ହେଲେ ତାଙ୍କୁ ନିରାଶ ହେବାକୁ ପଡ଼ିଛି । ତେବେ ଆଗାମୀ ଦିନରେ ଡକ୍ଟର ବିଶ୍ୱାଳ ନିଜର ଭାବମୂର୍ତ୍ତିକୁ କିଭଳି ସଜାଡ଼ିବେ ସେହି ଚିନ୍ତାରେ ରହିଥିବା ତାଙ୍କ ନିକଟତମ ସୂତ୍ରରୁ ଜଣାପଡ଼ିଛି ।