ସିଧାମୂଳା ବାଲିଘାଟ ନିଲାମ ବାତିଲ ଦାବି: ତହସିଲ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ଧାରଣା ଓ ବିକ୍ଷୋଭ

ଖଣ୍ଡପଡା(ଏନ୍.ଏମ୍.): ଖଣ୍ଡପଡା ତହସିଲ ଅଧିନ ସିଧାମୂଳା ମହାନଦୀ ବାଲିଘାଟକୁ ଖଣ୍ଡପଡା ତହସିଲଦାର ଶାଗମାଛ ଦରରେ ନିଲାମ କରିଦେଇଛନ୍ତି । ବାଲିଘାଟ ନିଲାମରେ ବ୍ୟାପକ ଦୁର୍ନୀତି ହୋଇଥିବାରୁ ରାଜ୍ୟ ସରକାର ଏ ବାବଦରେ ୧୨ କୋଟିରୁ ଉର୍ଦ୍ଧ ଟଙ୍କାର ରାଜସ୍ୱ ହରାଇବେ ବୋଲି କଂଗ୍ରେସ ନେତାମାନେ ଅଭିଯୋଗ ଉଠାଇ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପ୍ରତୀକ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ନୟାଗଡ ଜିଲ୍ଲା କଂଗ୍ରେସ କମିଟିର ସଭାପତି ରଣଜିତ ଦାଶ ଓ ହୁସେନ ଖାଁଙ୍କ ନେତୃତ୍ୱରେ ଦଳର ସଂଗଠକ ଓ କର୍ମୀମାନେ ଏକ ଶୋଭାଯାତ୍ରାରେ ଖଣ୍ଡପଡା ସହର ପରିକ୍ରମା କରିବା ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଁଚି ହରତାଳ କରିଥିଲେ । ସିଧାମୂଳା ବାଲିଘାଟ ନିଲାମରେ ତହସିଲଦାର ମୋଟା ଅଙ୍କର ଅର୍ଥନେଇ ଅନିୟମିତତାକୁ ପ୍ରଶୟ ଦେଇଥିବାରୁ ତୁରନ୍ତ ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସହ ଆଗାମୀ ୫ବର୍ଷ ପାଇଁ ବାଲିଘାଟ ଲିଜଧାରୀଙ୍କ ସହ ହୋଇଥିବା ଚୁକ୍ତିନାମାକୁ ବାତିଲ କରିବାକୁ ଦଳୀୟ ନେତାମାନେ ଦାବି କରିଥିଲେ । ସିଧାମୂଳା ମହାନଦୀ ଘାଟରୁ ବାଲି ଉଠାଣ ନିମନ୍ତେ ଆବଶ୍ୟକୀୟ ପରିବେଶ ମଂଜୁରୀ ନଥିବା ବେଳେ ବାଲି ମା‘ିଆ ତହସିଲଦାର ଓ ତହସିଲ କର୍ତୃପକ୍ଷଙ୍କୁ ହାତବାରିସ କରି କିବା ଦିନ ଓ ରାତିରେ ଶହଶହ ଟ୍ରିପ ବାଲି ଉଠାଉଛି ବୋଲି ଅଭିଯୋଗ ଉଠାଇ କଂଗ୍ରେସ ନେତାମାନେ ତହସିଲଦାର ଓ ତାଙ୍କୁ ଘଂଟ ଘୋଡାଉଥିବା ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀମାନଙ୍କୁ କଟୁ ସମାଲୋଚନା କରିଥିଲେ । ସିଧାମୂଳା ମହାନଦୀ ବାଲିଘାଟ ନିଲାମ ବାତିଲ ନହେଲେ ଏହାର ପ୍ରତିବାଦରେ ଆଗାମୀ ଦିନରେ କଂଗ୍ରେସ ପକ୍ଷରୁ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରାଯିବ ବୋଲି କଂଗ୍ରସ ସଂଗଠକ ପ୍ରକାଶ ଚନ୍ଦ୍ର ଖୁଂଟିଆ, ବସନ୍ତ କୁମାର ମହାରଣା, ଖଣ୍ଡପଡା ବ୍ଳକ କଂଗ୍ରେସ ସଭାପତି ଦେବବ୍ରତ ବେହେରା,ସରୋଜ ପରିଡା ପ୍ରମୁଖ ନେତାମାନେ ଚେତାବନୀ ଦେଇଛନ୍ତି ।