ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ

ସିଡିଏ ପକ୍ଷରୁ ସୁଜଳ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ୍ ମିଶନ କାର୍ଯ୍ୟ ସମୀକ୍ଷା ବୈଠକ: ୨୦୨୩ ଡିସେମ୍ବର ସୁଦ୍ଧା ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ

News by Padmalochan Mishra (Cuttack)

#କଟକ(ଏନ୍‌.ଏମ୍‌.): ୨୦୨୩ ଡିସେମ୍ବର ସୁଦ୍ଧା କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ଉପରେ ଗୁରୁତ୍ୱ ଦିଆଯାଇଛି । ସୁଜଳ ଡ୍ରିଙ୍କିଙ୍ଗ୍ ଫ୍ରମ୍ ଟ୍ୟାପ୍ ମିଶନ ଜରିଆରେ ସହରରେ ଏହି ପ୍ରକଳ୍ପ ଆରମ୍ଭ ହୋଇଥିଲା ବେଳେ ଧାର୍ଯ୍ୟ ସମୟ ଭିତରେ ଯେପରି ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ ହେବ ସେନେଇ ଆଜି ସିଡିଏ କାର୍ଯ୍ୟାଳୟରେ ଏକ ସମନ୍ୱିତ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀମାନେ ଉପସ୍ଥିତ ଥିଲେ । ସିଡିଏ ଅଧ୍ୟକ୍ଷ ଅନିଲ କୁମାର ସାମଲଙ୍କ ପୌରହିତ୍ୟରେ ଆୟୋଜିତ ଏହି ବୈଠକରେ ସହରରେ ଜନସାଧାରଣଙ୍କୁ କିଭଳି ଶୁଦ୍ଧ ପାନୀୟ ଜଳ ଯୋଗାଣ କରାଯିବ ସେ ନେଇ ଆଲୋଚନା ହୋଇଥିଲା । ବିଶେଷ କରି ସହରରେ ବିଛା ଯାଇଥିବା ପାଣି ପାଇପ ମଧ୍ୟରୁ ୨୯୭କିଲୋମିଟର ପୁରୁଣା ପାଇପ ପରିବର୍ତ୍ତନସହ ୧୮ଟି ଓଭର ହେଡ଼ ଟ୍ୟାଙ୍କ ଜରିଆରେ ୯୩ହଜାର ଉପଭୋକ୍ତାଙ୍କୁ ପାନୀୟ ଜଳ ଯୋଗାଣ ନେଇ ନିଷ୍ପତ୍ତି ହୋଇଛି ।
ପ୍ରକାଶ ଥାଉକି, କଟକ ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବା ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୨ ଜାନୁଆରୀରେ ଘୋଷଣା କରିଥିଲେ ।ଏହାପରେ ସହରରେ ଡ୍ରିଙ୍କ୍ ଫ୍ରମ୍ ଟ୍ୟାପ ଯୋଜନା କାର୍ଯ୍ୟକାରୀ ହୋଇଥିଲା । ପ୍ରାଥମିକ ପର୍ଯ୍ୟାୟରେ ୪୮ ଓ ୪୯ ନମ୍ବର ୱାର୍ଡରେ ଏହି କାର୍ଯ୍ୟ ଶେଷ ହୋଇଛି । ପରବର୍ତ୍ତୀ ସମୟରେ ସହରର ଅନ୍ୟାନ୍ୟ ଅଞ୍ଚଳରେ ଏହି ଯୋଜନା ନିମନ୍ତେ ଭିତ୍ତିଭୂମିକୁ ସଜାଡିବା ପାଇଁ ଅଧିକ ଗୁରୁତ୍ୱ ଦିଆଯାଇଛି । କଟକ ସହରକୁ ମୋଟ ୫୫ଟି ଜୋନରେ ବିଭକ୍ତ କରାଯାଇଛି । ପ୍ରତି ଜୋନରେ ସୁବିଧାରେ ପାନୀୟ ଜଳ ଯୋଗାଣ ପାଇଁ ଓଭର ହେଡ୍ ଟ୍ୟାଙ୍କ୍ ବ୍ୟବସ୍ଥା କରାଯାଇଛି । ବର୍ତ୍ତମାନ ସୁଦ୍ଧା ୩୭ଟି ଟ୍ୟାଙ୍କ୍ ବ୍ୟବସ୍ଥ୍ୟା ହୋଇଥିବାବେଳେ ଆବଶ୍ୟକ ଆଉ ୧୮ଟି ଓଭର ହେଡ ଟ୍ୟାଙ୍କ୍ ନିର୍ମାଣ ପାଇଁ ଟେଣ୍ଡର କାର୍ଯ୍ୟ ସମ୍ପନ୍ନ ହୋଇଥିବା ବୈଠକରୁ ଜଣାପଡ଼ିଛି । ସେଥିମଧ୍ୟରୁ ୯ଟି ପାଇଁ ଜମି ଚିହ୍ନଟ କାର୍ଯ୍ୟ ଶେଷ ହୋଇଥିଲାବେଳେ ଅବଶିଷ୍ଟ ୯ଟି ପାଇଁ ଜମି ଅଧିଗ୍ରହଣ କରାଯିବ ବୋଲି ବୈଠକରେ ନିଷ୍ପତି ହୋଇଛି । ତେବେ ମିଟର ମାଧ୍ୟମରେ ସହରର ମୋଟ ୯୩ ହଜାର ଉପଭୋକ୍ତାଙ୍କୁ ଏହି ସୁବିଧା ଯୋଗାଇ ଦିଆଯିବ । ପ୍ରତ୍ୟେକ ଘର କନେକ୍ସନ ପଏଣ୍ଟ ପରିବର୍ତ୍ତନ କରାଯିବ, ଯାହା ଫଳରେ ପାଣି ଲିକ୍ ହେବାର ସମ୍ଭାବନା ହ୍ରାସ ପାଇବ । ତା’ଛଡା ସୁରୁଖୁରୁରେ କାମ ଶେଷ କରିବା ପାଇଁ ୨୯୭ କିଲୋମିଟର ପୁରୁଣା ପିଭିସି ପାଇପ୍ ଲାଇନକୁ ବଦଳାଯିବ । ଆଧୁନିକ ବୈଷୟିକ ଜ୍ଞାନକୈାଶଳ ପ୍ରୟୋଗ କରାଯାଇ ସହରବାସୀଙ୍କୁ ସମ୍ପୂର୍ଣ୍ଣ ଶୁଦ୍ଧ ପାନୀୟ ଜଳ ଯୋଗାଇବା ପାଇଁ ଉପରୋକ୍ତ ବ୍ୟବସ୍ଥା କରାଯାଇଛି । ବିଶେଷକରି ଆଇଏସ-୧୦୫୦୦ ୱାଟର କ୍ୱାଲିଟିକୁ ସର୍ବଦା ଦୃଷ୍ଟି ଦିଆଯିବ ବୋଲି ୱାଟକୋର ଜେନେରାଲ ମ୍ୟାନେଜର ଦେବବ୍ରତ ମହାନ୍ତି କହିଛନ୍ତି । ୫୫ଟି ଜୋନ୍ ମଧ୍ୟରୁ ବର୍ତମାନ ଦୁଇଟି ଜୋନର କାମ ଶେଷ ହୋଇଥିବାବେଳେ ଡିସେମ୍ବର ସୁଦ୍ଧା ୭ଟି, ଆଗାମୀ ଏପ୍ରିଲ ସୁଦ୍ଧା ୧୧ଟି, ଅଗଷ୍ଟ ସୁଦ୍ଧା ୧୧ଟି ବାକି ଡିସେମ୍ବର ୩୧ ସୁଦ୍ଧା ଆଉ ୧୭ଟି ଜୋନର କାର୍ଯ୍ୟ ସମ୍ପୂର୍ଣ୍ଣ ଶେଷ ହେବ ବୋଲି ୱାଟକୋ ପକ୍ଷରୁ କୁହାଯାଇଛି । ଏହି ବୈଠକରେ କଟକ ଜିଲ୍ଲାପାଳ ଡକ୍ଟର ଭବାନୀ ଶଙ୍କର ଚୟନୀ, ସିଡିଏ ଉପାଧ୍ୟକ୍ଷ ତଥା ସିଏମସି କମିଶନର ନିଖିଲ ପୱନ କଲ୍ୟାଣ, ୱାଟ୍‌କୋ କଟକ ଡିଭିଜନ ଜେନେରାଲ ମ୍ୟାନେଜର ଶ୍ରୀ ମହାନ୍ତିଙ୍କ ସମେତ ବହୁ ବିଭାଗୀୟ ଅଧିକାରୀ ଉପସ୍ଥିତ ଥିଲେ ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ସ୍ୱାସ୍ଥ୍ୟ