ସିକିମ ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଗଲେ ଓଡ଼ିଆ ଯବାନ
#ଢେଙ୍କାନାଳ (ଏନ୍.ଏମ୍.): ସିକିମରେ ବାଦଲଫଟା ବର୍ଷାରେ ସୃଷ୍ଟି ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ସହିଦ ହୋଇଯାଇଛନ୍ତି ଜଣେ ଓଡ଼ିଆ ଯବାନ । ସିକିମର ଏହି ପ୍ରଳୟଙ୍କରୀ ବନ୍ୟାରେ ୨୩ ଯବାନ ଭାସି ଯାଇଥିଲେ । ଜଣେ ଯବାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୨୨ ଜଣ ନିଖୋଜ ରହିଥିଲେ । ତେବେ ନିଖୋଜ ଯବାନଙ୍କ ମଧ୍ୟରୁ ଓଡ଼ିଆ ଯବାନଙ୍କ ମୃତ ଦେହ ଉଦ୍ଧାର ହୋଇଛି । ସହିଦ ଓଡ଼ିଶା ଯବାନ ଜଣଙ୍କ ହେଲେ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ଦିଘି ପଞ୍ଚାୟତ ଅନ୍ତର୍ଗତ କେନ୍ଦୁଢ଼ିପ ଗାଁର ସରୋଜ କୁମାର ଦାସ । ତାଙ୍କୁ ସହିଦ ଘୋଷଣା କରାଯିବା ପରେ ତାଙ୍କ ପରିବାର ଏବେ ଦୁଃଖ ଓ ଶୋକରେ ଉବୁଟୁବୁ ଦେଉଛନ୍ତି । କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ । ମିଳିଥିବା ସୂଚନା ଅନୁଯାୟୀ ଗତ ମଙ୍ଗଳବାର ରାତି ୧୦ଟାରେ ନିଜ ଭାଇ ମନୋଜଙ୍କ ସହ ଫୋନରେ କଥା ହୋଇଥିଲେ ସରୋଜ । ପ୍ରବଳ ବର୍ଷା ହେଉଛି ଏବଂ ସେ ଅନ୍ୟ ଯବାନଙ୍କ ସହ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି କହିଥିଲେ । ତେବେ ଏହାର ଦେଢ଼ ଘଣ୍ଟା ପରେ ଘରକୁ ଖବର ଆସିଥିଲା ଯେ, ପ୍ରଳୟଙ୍କରୀ ବନ୍ୟାରେ ସରୋଜଙ୍କ ସମେତ ଅନ୍ୟ ୨୩ ଯବାନ ଭାସିଯାଇଛନ୍ତି । ସରୋଜ ୨୦୧୨ ମସିହାରେ ସେନାରେ ଯୋଗ ଦେଇଥିଲେ । ହାବିଲଦାର ଭାବେ ସିକିମରେ ଟ୍ରେନିଂରେ ଥିଲେ ସରୋଜ । କ୍ୟାମ୍ପକୁ ଫେରୁଥିବାବେଳେ ବନ୍ୟାରେ ଭାସିଯାଇଥିଲେ ସରୋଜ ଏବଂ ସାଥି ସେନା ଯବାନ । ଶେଷଥର ପାଇଁ ଗତ ମାସେ ତଳେ ରାକ୍ଷୀ ପୂର୍ଣ୍ଣିମାକୁ ରାକ୍ଷୀ ବାନ୍ଧିବାକୁ ଆସିଥିଲେ ସରୋଜ । ଭଉଣୀ ହାତରେ ରାକ୍ଷୀ ବାନ୍ଧି ସେପ୍ଟେମ୍ବର ମାସ ୪ ତାରିଖ ଦିନ ଘରୁ ଫେରିଯାଇ ସିକିମରେ ସେନାରେ ଯୋଗ ଦେଇଥିଲେ । ସରୋଜ ୭ ମାସ ତଳେ ବିବାହ କରିଥିଲେ । ତାଙ୍କ ସହିଦ ଖବର ପାଇ ବାପା, ମାଆ, ଭାଇ ଓ ନବବିବାହିତା ପତ୍ନୀଙ୍କ ଆଖିରୁ ନିଦ କାନ୍ଦ ବୋବାଳିରେ ଚେତା ହରାଇ ଦେଉଛନ୍ତି ପରିବାର ଲୋକେ । ତେବେ ମଙ୍ଗଳବାର ବିଳମ୍ବିତ ରାତିରେ ବାଦଲଫଟା ବର୍ଷା ଯୋଗୁଁ ସିକିମରେ ପ୍ରଳୟଙ୍କରୀ ବନ୍ୟା ଆସିଥିଲା । ସିଙ୍ଗତାମ ନିକଟରେ ଉଦ୍ଧାରକାର୍ଯ୍ୟ ବେଳେ ତିସ୍ତା ନଦୀ ନିକଟରେ ଥିବା ବହୁ ସେନା ଗାଡ଼ି ମଧ୍ୟ ବନ୍ୟାରେ ଭାସିଯାଇଥିଲା ।