ସିଏମସି ୪୮ନମ୍ବର ୱାର୍ଡରେ ଡିଲରଙ୍କ ମନମୁଖି କାର୍ଯ୍ୟକୁ ନେଇ କୁହୁଳୁଛି ଅସନ୍ତୋଷ
ଜଗତପୁର(ଏନ୍.ଏମ୍.): କଟକ ସହରରେ ହିତାଧିକାରୀଙ୍କୁ ଠିକ ସମୟରେ ରାସନ ସାମଗ୍ରୀ ଦିଆଯାଉନଥିବା ଅଭିଯୋଗ ହୋଇଛି । ଗୋଟିଏ ପଟେ ହିତାଧିକାରୀ ରାସନ ସାମଗ୍ରୀ ନପାଇ ଅସନ୍ତୋଷ ପ୍ରକାଶ କରୁଥିବାବେଳେ ଅନ୍ୟପକ୍ଷେ ଡିଲରମାନେ ମାଲ ଆସିନି ପରେ ନେବ ବୋଲି କଥାକୁ ହାଲୁକା ଭାବେ କାଟି ଦେଉଥିବା ଅଭିଯୋଗ ହୋଇଛି । ତେବେ ଏ ନେଇ ସିଏମସି ୪୮ ନମ୍ବର ୱାର୍ଡ ଅନ୍ତର୍ଗତ ଫକିରପୁରସ୍ଥିତ ସରକାରୀ ଖୁଚୁରା କେନ୍ଦ୍ରର ଡିଲରଙ୍କ ମନମୁଖି କାର୍ଯ୍ୟ ତଥା ଠିକ୍ ଭାବେ ରାସନ ସାମଗ୍ରୀ ଦେଉନଥିବା ହିତାଧିକାରୀ ଅଭିଯୋଗ କରିଥିଲେ । ଏ ନେଇ ସ୍ଥାନୀୟ କର୍ପୋରେଟର ନଳିନୀ ବେହେରାଙ୍କ ନିକଟରେ ହିତାଧିକାରୀ ଡିଲରଙ୍କ ଦୁର୍ବ୍ୟବହାର ଓ ଚାଉଳ ନାହିଁ ସରିଗଲାଣି ଆଜି କାଲି ଆସିବାକୁ କହିବା ନେଇ ଅଭିଯୋଗ କରିଥିଲେ । ଅଭିଯୋଗ ପାଇ କର୍ପୋରେଟରଙ୍କ ପ୍ରତିନିଧି ନାଗେଶ୍ୱର ବେହେରା ଡିଲର ପ୍ରବୀର ପଣ୍ଡାଙ୍କ ନିକଟରେ ପହଁଞ୍ଚି ହିତାଧିକାରୀଙ୍କ ଅଭିଯୋଗ ବିଷୟରେ ଡିଲରଙ୍କୁ ଜଣାଇଥିଲେ । ସାଧାରଣ ଖାଉଟିମାନଙ୍କୁ କାହିଁକି ୮ମାସରୁ ଉର୍ଦ୍ଧ ସମୟ ଧରି ଚାଉଳ, ଗହମ ଓ କିରୋସିନ ଦିଆଯାଉ ନାହିଁ । ଏ ପରିକି ଆଜି ଆସ କାଲି ଆସ, ସରିଯାଇଛି ୨ଦିନ ପରେ ଆସିବ, ଟିପ ମେସିନ କାମ କରୁନାହିଁ ଏଭଳି କହି ସାଧାରଣ ଖାଉଟିମାନଙ୍କୁ କାହିଁକି ହଇରାଣ କରାଯାଉଥିବା ଜଣାପଡ଼ିଛି । ତେବେ ପ୍ରକୃତ ହିତାଧିକାରୀଙ୍କୁ ରାସନ କାର୍ଡ ମିଳିପାରୁନଥିବାବେଳେ ଯେଉଁମାନଙ୍କର ୨ ମହଲା ଘର, ୪ ଚକିଆ ଗାଡି ଓ ଯେଉଁ ଘରେ ସରକାରୀ ଚାକିରିଆ ସେମାନଙ୍କ ଘରେ ରାସନ କାର୍ଡରେ ଚାଉଳ, ଗହମ ଓ କିରୋସିନ ଆଦି ରାସନ ସାମଗ୍ରୀ ମିଳୁଛି । ତେଣୁ ପ୍ରଥମେ ସେମାନଙ୍କର ରାସନ କାର୍ଡ ଯାଞ୍ଚ କରାଯାଇ ସେହି ସବୁ କାର୍ଡକୁ ତୁରନ୍ତ ରଦ୍ଦ କରି ସେମାନଙ୍କ ବଦଳରେ ଯୋଗ୍ୟ ହିତାଧିକାରୀମାନଙ୍କୁ ରାସନ କାର୍ଡ ଦିଆଯିବାକୁ ଶ୍ରୀ ବେହେରା କହିଛନ୍ତି । ଅନ୍ୟପକ୍ଷରେ ଡିଲର ଶ୍ରୀ ପଣ୍ଡାଙ୍କ ଉପରେ ହିତାଧିକାରୀ ଅସନ୍ତୁଷ୍ଟ ଥିବାବେଳେ ତାଙ୍କୁ ତୁରନ୍ତ ପରିବର୍ତ୍ତନ କରିବା ପାଇଁ ଦାବି ହୋଇଛି । ତେବେ ଏ ନେଇ ଜିଲ୍ଲା ଯୋଗାଣ ବିଭାଗ ପଦକ୍ଷେପ ନନେଲେ ଆନ୍ଦୋଳନ ହେବ ବୋଲି ଅଞ୍ଚଳବାସୀଙ୍କ ପକ୍ଷରୁ ଚେତାବନୀ ଦିଆଯାଇଛି । ସୂଚନା ଯୋଗ୍ୟ ଯେ, ରାଜ୍ୟରେ କୌଣସି ଗରିବ ଲୋକେ ଯେଭଳି ଉପାସରେ ନରହିବେ ସେଥିପାଇଁ ସରକାର ଏଭଳି ଜନହିତକର ଯୋଜନା ପ୍ରଚଳନ କରିଥିବାବେଳେ ଅଧିକାରୀ ଓ କର୍ମଚାରୀଙ୍କ ବେପରୁଆ ନୀତି ଯୋଗୁଁ ସରକାରଙ୍କ ଜନହିତକର ଯୋଜନା ହିତାଧିକାରୀଙ୍କ ପାଇଁ ଅପହଞ୍ଚ ରହୁଥିବା ବୁଦ୍ଧିଜୀବୀ ମହଳରେ ଚର୍ଚ୍ଚା ହେଉଛି ।