ସିଏମସି ପକ୍ଷରୁ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ନେଇ ବୈଠକ
କଟକ(ଏନ୍.ଏମ୍.): ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାରେ କଟକ ସହରରେ ଆହୁରି୨୦ଟି ହାଇସ୍କୁଲର ରୂପାନ୍ତରଣ କରାଯିବା ନିମନ୍ତେ ନିଷ୍ପତି ନିଆଯାଇଛି । ପ୍ରତେକ ବିଦ୍ୟାଳୟ ପାଇଁ ୪୫ଲକ୍ଷ ଟଙ୍କା ହିସାବରେ ମୋଟ ୯କୋଟି ଟଙ୍କା ବ୍ୟୟ କରାଯିବ । ସୂଚନା ଯୋଗ୍ୟ ଯେ, ଏହି ଯୋଜନାରେ ପୂର୍ବରୁ ଦୁଇଟି ପର୍ଯ୍ୟାରେ ମୋଟ୨୨ଟି ସ୍କୁଲ ରୂପାନ୍ତରଣ କରାଯାଇଛି ।
ଆଜି ସିଏମସି ସମ୍ମିଳନୀ କକ୍ଷରେ ଫାଇପ-ଟି ଉଚ୍ଚବିଦ୍ୟାଳୟ ରୂପାନ୍ତରଣ ଯୋଜନାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କଟକ ସହରର ୪୨ଟି ସ୍କୁଲର ପ୍ରଧାନ ଶିକ୍ଷକ, ଶିକ୍ଷୟତ୍ରୀ, କର୍ମଚାରୀ, ସ୍ଥାନୀୟ କର୍ପୋରେଟର ଓ ପୁରାତନ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ବିଶେଷକରି ପୂର୍ବ ଦୁଇଟି ପର୍ଯ୍ୟାରେ ହୋଇଥିବା ରୂପାନ୍ତରଣ କାର୍ଯ୍ୟର ସମୀକ୍ଷା କରାଯିବା ସହ କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବୈଠକରେ ଆଲୋଚନା କରାଯାଇଥିଲା । ତୃତୀୟ ପର୍ଯ୍ୟାୟରେ ରୂପାନ୍ତରିତ ହେବାକୁ ଥିବା ୨୦ଟି ସ୍କୁଲକୁ ସିଏମସି ଅଧୀନରେ ଚୟନ କରାଯାଇଛି । ଗୃହନିର୍ମାଣ କାମ କାର୍ଯ୍ୟ କାରିତା ମୁଖ୍ୟତଃ ସିଏମସି ଦ୍ୱାରା କରାଯିବ ବୋଲି ଯୋଜନା ରହିଛି । ସ୍କୁଲ ଗୁଡିକରେ ନବମ ଓ ଦଶମ ଶ୍ରେଣୀ ପାଇଁ ସ୍ମାର୍ଟ ଶ୍ରେଣୀ ଗୃହ କରାଯିବ । ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଆଧୁନିକ ପ୍ରଯୁକ୍ତି ବିଦ୍ୟା ଓ କମ୍ପୁଟର ସହାୟତାରେ ଜ୍ଞାନ ଆହରଣ କରିବେ ଏବଂ ନୂତନ ତଥ୍ୟକୁ ସଂଗ୍ରହ ଓ ସଂଯୁକ୍ତ କରିବା ସହ ପାରସ୍ପରିକ ଅଭିଜ୍ଞାତା ବିନିମୟ କରିବାର ସୁଯୋଗ ପାଇବେ ବୋଲି ସିଏମସି କମିଶନର ନିଖିଳ ପବନ କଲ୍ୟାଣ ଗଣମାଧ୍ୟମକୁ କହିଛନ୍ତି । ସେହିପରି ସ୍କୁଲଗୁଡିକରେ ସ୍ମାର୍ଟ କ୍ଲାସ ଦ୍ୱାରା ଆଇସିଟିଲ୍ୟାବ, ଇ-ଲାଇବ୍ରେରୀ, ବିଜ୍ଞାନଗାର, ବିଦ୍ୟାଳୟ ପରିବେଶ ସହ କ୍ରୀଡା, ଜଳ ଓ ପରିମଳ ସୁବିଧା ଆଦି ଉପଲବ୍ଧ ହେବ ବୋଲି କମିଶନର ସ୍ପଷ୍ଟ କରିଛନ୍ତି । ହାଇସ୍କୁଲ ରୂପାନ୍ତରଣ କାର୍ଯ୍ୟକ୍ରମ ସହରର ଶିକ୍ଷା ପଦ୍ଧତିକୁ ପରିବର୍ତ୍ତନ କରିବାରେ ଏବଂ ସରକାରୀ ବିଦ୍ୟାଳୟ ଗୁଡିକରେ ହଜିଯାଇଥିବା ଶୋଭାକୁ ଫେରାଇ ଆଣିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ । ଅନୁଷ୍ଠିତ ବୈଠକରେ ସିଏମସି ଅତିରିକ୍ତ କମିଶନର ସଞ୍ଜିବିତା ରାୟଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ ।