ସିଏମସିରେ ୬ଟି ବିଭାଗର କାର୍ଯ୍ୟକୁ ନେଇ ମେୟରଙ୍କ ସମୀକ୍ଷା
କଟକ(ଏନ୍.ଏମ୍.): କଟକ ସହରରେ ବିଭିନ୍ନ ଉନ୍ନୟନ କାର୍ଯ୍ୟଚାଲିଥିବାବେଳେ ଏହି କାର୍ଯ୍ୟ କିଭଳି ଚାଲିଛି ସେ ନେଇ ଆଜି ମେୟର ସୁବାସ ସିଂହ ୬ଟି ବିଭାଗର ଅଧିକାରୀଙ୍କୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ସିଏମସି ସମ୍ମିଳନୀ କକ୍ଷରେ ଆୟୋଜିତ ଏହି ବୈଠକରେ ବିଶେଷ କରି ମେୟର ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ, ଆର ଆଣ୍ଡ ବି, ୱାଟକୋ, ଭାରତ ସଞ୍ଚାର ନିଗମ, ଜାଇକା ଓ ସିଏମସିର ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ।
ସୂଚନାନୁଯାୟୀ, ଜାଇକା ଦ୍ୱାରା ୬୦ପ୍ରତିଶତ ପଙ୍କ ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି ବୋଲି କର୍ମକର୍ତ୍ତାମାନେ ବୈଠକରେ ସୂଚନା ଦେଇଥିଲେ । ସେହିଭଳି ସିଏମସିର ୩ ପ୍ରକାର ଡ୍ରେନ ମଧ୍ୟରୁ ୪୦ପ୍ରତିଶତ ଡ୍ରେନ କାମ ଶେଷ ହୋଇଥିବାବେଳେ ଅବଶିଷ୍ଟ ଜୁନ ମାସ ସୁଦ୍ଧା ପୂର୍ଣ୍ଣାଙ୍ଗ ହେବ ବୋଲି ଜଣାପଡ଼ିଛି । ଏନଏଚଏଆଇ ଦ୍ୱାରା ପରିଚାଳିତ ଖାନନଗର ଡ୍ରେନ ଓ ମୁଖ୍ୟ ରାସ୍ତାକୁ ସଂଯୋଗ କରିଥିବା ରାସ୍ତା, ଶିଖରପୁର ଠାରେ ଡ୍ରେନ ସଫେଇ ଓ ମରାମତି, ଜଗତପୁର ଗୋଳେଇଛକ ଠାରେ ଡ୍ରେନ ଓ ବର୍ଷା ଜଳ ନିଷ୍କାସନ କାର୍ଯ୍ୟ ବର୍ଷା ପୂର୍ବରୁ ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀମାନେ ବୈଠକରେ ପ୍ରତିଶ୍ରୁତି ଦେଇଥିଲେ । ରାସ୍ତାରେ ଥିବା ଖାଲ ଖମାକୁ ୧୫ ଦିନ ମଧ୍ୟରେ ମରାମତି ଶେଷ କରିବା ନିମନ୍ତେ ସିଏମସି ପକ୍ଷରୁ ପ୍ରସ୍ତାବ ଗ୍ରହଣ କରାଯାଇଛି । ଏହି ପ୍ରସ୍ତାବରେ ସମସ୍ତ ବିଭାଗର ଅଧିକାରୀ ସହମତ ହୋଇଥିବା ବୈଠକରୁ ଜଣାପଡ଼ିଛି । ଜାଇକା ଦ୍ୱାରା ପ୍ରସ୍ତୁତି ହେଉଥିବା ସ୍ୱେରେଯେ ପାଇପ ଲାଇନ ସହିତ ଘରୋଇ ଦୂଷିତ ପାଇପ ଲାଇନ ସଂଯୋଗୀକରଣ କ୍ଷେତ୍ରରେ ୫୦ ହଜାର ମଧ୍ୟରୁ ମାତ୍ର ୧୭ହଜାର ସଂଯୋଗୀକରଣ କରାଯାଇପାରିଛି । ଦାରିଦ୍ର ସୀମାରେଖା ତଳେ ଥିବା ପରିବାରକୁ ପାଇପ ଲାଇନ ମାଗଣାରେ ସଂଯୋଗୀକରଣ କରିବା ଓ ଏହାର ପ୍ରଚାର ପ୍ରସାର କରାଯାଇ ଉକ୍ତ ପରିବାରକୁ ସଂଯୋଗୀକରଣ କରାଇବାର ଉଦ୍ୟମ କରିବାକୁ ମେୟର ନିର୍ଦ୍ଦେଶ ଦେଇଥିଲେ । ସେହିଭଳି କଟକ ସହରକୁ ଭିକ୍ଷୁକ ମୁକ୍ତ କରି ସେମାନଙ୍କୁ କାଉନସେଲିଂ ଜରିଆରେ ଥଇଥାନ କରିବା, ଭିକାରୀପ୍ରବଣ ଅଞ୍ଚଳରେ ବୁଲି ସ୍ଥିତି ଅନୁଧ୍ୟାନ କରି ଏ ଦିଗରେ ପଦକ୍ଷେପ ନେବାକୁ ମେୟର ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି । ଏହି ବୈଠକରେ ଡେପୁଟି ମେୟର ଦମୟନ୍ତୀ ମାଝୀ, ସିଏମସି କମିଶନର ଅନନ୍ୟା ଦାସଙ୍କ ସମେତ ସମସ୍ତ ବିଭାଗର ଉଚ୍ଚ ପଦାଧିକାରୀ ଉପସ୍ଥିତ ଥିଲେ ।