ସାପୁଆ ନଦୀ କୂଳରୁ ସଦ୍ୟଜାତ ଶିଶୁ କନ୍ୟା ଉଦ୍ଧାର
ଆଠଗଡ଼(ଏନ୍.ଏମ୍.): ଆଠଗଡ଼ ଅଞ୍ଚଳରେ ଏକ ସଦ୍ୟଜାତ ଶିଶୁକନ୍ୟା ଉଦ୍ଧାର ହୋଇଛି । ତେବେ ଏହି ସନ୍ତାନଟି କାହାର ଅବୈଧ ସନ୍ତାନ କିମ୍ବା ଝିଅ ବୋଲି ପରିବାର ଲୋକେ ଏଠାରେ ଏଭଳି ପକାଇ ଦେଇଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତେବେ କନ୍ୟା ସନ୍ତାନ ସମ୍ପର୍କରେ ରାଜ୍ୟସରକାର ତଥା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଯେତେ ସଚେତନତା କରାଗଲେ ମଧ୍ୟ ଆଜିବି ଲୋକେ କନ୍ୟାକୁ ଚାହୁଁନଥିବା କୁହାଯାଉଛି । ଯାହାର ପ୍ରମାଣ ଆଠଗଡ଼ ଅଞ୍ଚଳରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ ଆଡଗଡ଼ ଏନ୍ଏସି ଅନ୍ତର୍ଗତ ୧ନମ୍ବର ୱାର୍ଡର ସାପୁଆ ନଦୀ କୂଳରୁ ଗୋଟିଏ ସଦ୍ୟଜାତ ଶିଶୁ କନ୍ୟା ପଡ଼ିଥିବା ଦେଖିବାକୁ ମିଳିଥିଲା । ତେବେ ଉକ୍ତ ଶିଶୁ କନ୍ୟାଟିକୁ ଉଦ୍ଧାର କରାଯାଇ କଟକ ଶିିଶୁଭବନରେ ଚିକିତ୍ସିତ କରାଯାଉଥିବା ଜଣାପଡ଼ିଛି । ଆଜି ହେମମାଳପୁର ଗ୍ରାମର ଲଳିତ ମୋହନ ନାଏକ ନିଜ କାମ ସାରି ସାପୁଆ ନଦୀରେ ଗାଧୋଉଥିବା ସମୟରେ ହଠାତ୍ ନିକଟସ୍ଥ ବୁଦା ମୂଳରେ ଏକ ଶିଶୁର ରାବ ଶୁଣିବାକୁ ମିଳିଥିଲା । ତେବେ ଆଖିପାଖରେ କେହିଁ ଲୋକ ନଥିବାବେଳେ ଶିଶୁର କାନ୍ଦ ସ୍ୱର କେଉଁଠୁ ଶୁଭିଲା ଖୋଜି ଥିଲେ । ତେବେ କାନ୍ଦ ସ୍ୱରକୁ ଶୁଣି ଦେଖିଲା ବେଳକୁ ବୁଦା ଆଢ଼ୁଆଳରେ ଏକ ସଦ୍ୟଜାତ ଶିଶୁ କନ୍ୟା କପଡ଼ାରେ ଗୁଡା ହୋଇ ପଡ଼ିରହିଛି । ସଙ୍ଗେ ସଙ୍ଗେ ଲଳିତ ତାଙ୍କୁ ଆଠଗଡ଼ ଡାକ୍ତରଖାନାକୁ ନେଇ ଯାଇ ସେଠାରେ ଅସୁସ୍ଥ ନବଜାତକ ଯତ୍ନକେନ୍ଦ୍ରରେ ଭର୍ତ୍ତି କରାଇଥିଲେ । ସେଠାରେ ଶିଶୁର ଅବସ୍ଥା ଗୁରୁତର ହେବାରୁ ଶିଶୁଟିକୁ କଟକ ଶିଶୁ ଭବନକୁ ସ୍ଥାନାନ୍ତରିତ କରାଯାଇଥିବା ଶିଶୁବିଭାଗ ଡାକ୍ତର ମାନସ ରଞ୍ଜନ ପାଣି ସୂଚନା ଦେଇଛନ୍ତି । ତେବେ ଏହି ଶିଶୁ କନ୍ୟାଟି ଏଠାକୁ କିପରି ଆସିଲା ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନାହିଁ । ତେବେ ଏହା କୌଣସି ଅବୈଧ ସନ୍ତାନ କିମ୍ବା ଶିଶୁ କନ୍ୟା ବୋଲି କେହି ଫିଙ୍ଗି ଦେଇଛି ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଠଗଡ଼ ପୁଲିସ ପକ୍ଷରୁ କୁହାଯାଇଛି ।