ସମନ୍ୱୟର ଅଭାବ: ସିଏମସିର ଉଚ୍ଛେଦବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସି ୪ ଜଣ ଗୁରୁତର
କଟକ(ଏନ୍.ଏମ୍.): କଟକ ମହାନଗର ନିଗମ(ସିଏମସି)ରେ ସମନ୍ୱୟର ଅଭାବ ଯୋଗୁଁ ବିଭିନ୍ନ ସମୟରେ ବିଭିନ୍ନ ଅଘଟଣ ଘଟୁଥିବା ଦେଖିବାକୁ ମିଳିଛି । କେଉଁଠି ଜାଇକା ପ୍ରକଳ୍ପ କାର୍ଯ୍ୟ ସମୟରେ ଜନସ୍ୱାସ୍ଥ୍ୟ ବିଭାଗ ଜାଣୁନାହିଁ ତ ଆଉ କେଉଁଠି ଉଚ୍ଛେଦ ସମୟରେ ବିଦ୍ୟୁତ ବିଭାଗ ପାଖରେ ଖବର ନାହିଁ । ଫଳରେ ଦିଆ ଗଢ଼ୁଗଢ଼ୁ ମାଙ୍କଡ଼ ହେବା ଭଳି ପରିସ୍ଥିତି ସୃଷ୍ଟି ହୋଇଛି । ଆଜି ସିଏମସିର ଅପରିଣାମ ଦର୍ଶିତା ଯୋଗୁଁ ୪ଜଣ ବ୍ୟକ୍ତି ଆହତ ହୋଇଥିବା ଜଣାପଡ଼ିଛି । ତେବେ ଏ ନେଇ ଘଟଣାକୁ ଚପାଇ ଦେବା ପାଇଁ ସିଏମସିର ବିଭାଗୀୟ ଅଧିକାରୀ ଉଦ୍ୟମ କରିବା ନେଇ ଅଞ୍ଚଳରେ ଚାପା ଉତ୍ତେଜନା ମଧ୍ୟ ସୃଷ୍ଟି ହୋଇଛି ।
ସୂଚନା ଯୋଗ୍ୟ ଯେ, କଟକ ଯୋବ୍ରାସ୍ଥିତ ରେହମାନ ଛକର ମସଜିଦ ରୋଡରେ ଆଜି ଏକ ଅଘଟଣ ଘଟିଛି । ସିଏମସି ପକ୍ଷରୁ ଏହି ଅଞ୍ଚଳରେ ଉଚ୍ଛେଦ ଚାଲିଥିବାବେଳେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ୪ଜଣ ଆହତ ହୋଇଛନ୍ତି । ଆହତମାନଙ୍କୁ କଟକ ବଡ଼ ମେଡିକାଲ(ଏସସିବି)ରେ ଭର୍ତ୍ତି କରାଯାଇଛି । ଆହତଙ୍କ ମଧ୍ୟରେ ୨ଜଣ ସିଏମସିର ସୁରକ୍ଷାକର୍ମୀ ହୋଇଥିବାବେଳେ ଅନ୍ୟ ୨ଜଣ ସ୍ଥାନୀୟ ବାସିନ୍ଦା ବୋଲି ଜଣାପଡ଼ିଛି । ଏଥି ସହିତ ଜଣକ ଘର ମଧ୍ୟ ପୋଡ଼ି ଯାଇଛି । ତେବେ ସ୍ଥାନୀୟ ବାସିନ୍ଦା ଅଭିଯୋଗ ଅନୁଯାୟୀ ସିଏମସିର ମନଇଛା କାମ ଯୋଗୁଁ ଏଭଳି ଅଘଟଣ ଘଟୁଛି । ସିଏମସିର କୌଣସି କାମରେ କାହା ସହିତ ସମନ୍ୱୟ ରହୁନଥିବା ସହରବାସୀ ଅଭିଯୋଗ କରିଛନ୍ତି । ନିୟମ ଅନୁଯାୟୀ କେଉଁ ଅଞ୍ଚଳରେ କେବେ ଉଚ୍ଛେଦ କରାଯିବ ପ୍ରଥମେ ନୋଟିସ ଦେବା, ଉଚ୍ଛେଦ ସମୟରେ ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସ୍ଥାନୀୟ ଥାନା, ଜନସ୍ୱାସ୍ଥ୍ୟ ବିଭାଗ, ବିଦ୍ୟୁତ ବିଭାଗ, ଟେଲିଫୋନ କିମ୍ବା କେବୁଲ ବିଭାଗକୁ ମଧ୍ୟ ସୂଚନା ଦିଆଯିବା କଥା । ମାତ୍ର ସିଏମସିର ଅଧିକାରୀମାନେ କୌଣସି ନିୟମ ନମାନି ମନଇଚ୍ଛା କାର୍ଯ୍ୟ କରୁଛନ୍ତି । ଉଚ୍ଛେଦ ଚାଲିଥିଲେ ମଧ୍ୟ ସେଠାରେ ବିଦ୍ୟୁତ ସଂଯୋଗକୁ ବିଚ୍ଛିନ୍ନ କରାନଯିବା ଯୋଗୁଁ ଏଭଳି ଅଘଟଣ ଘଟିଲା ବୋଲି ଅଞ୍ଚଳବାସୀ ଅଭିଯୋଗ ଆଣିବା ସହ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।