‘ସପ୍ତପଦୀ’ ଓ ପାରମ୍ପାରିକ ରୀତିନୀତି ବିନା ହିନ୍ଦୁ ବିବାହ ବୈଧ ନୁହେଁ: ଆହ୍ଲାବାଦ ହାଇକୋର୍ଟ
ଆହ୍ଲାବାଦ(ଏଜେନ୍ସି): ହିନ୍ଦୁ ରୀତିନୀତିରେ ବିବାହକୁ ନେଇ ଅନେକ ସମୟରେ ତର୍କ ହୁଏ । ଏକ ବିବାହ ବାସ୍ତବରେ କିପରି ହେବା ଉଚିତ୍? ଏଥିରେ ପରମ୍ପରା ମୁଖ୍ୟ ନା ଆଇନଗତ ପ୍ରକ୍ରିୟା ଆଗ ତାକୁ ନେଇ ଦ୍ୱନ୍ଦ୍ୱ ଉପୁଜେ, ଆଉ ତର୍କବିତର୍କ ବି ହୁଏ । ଏସବୁ ମଧ୍ୟରେ ଆହ୍ଲାବାଦ ହାଇକୋର୍ଟ ଦେଇଛନ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ । କୋର୍ଟ କହିଛନ୍ତି, ହିନ୍ଦୁ ବିବାହ ଆଇନରେ ରୀତିନୀତିକୁ ଶ୍ରେଷ୍ଠତା ପ୍ରଦାନ କରାଯାଇଛି । ଅଦାଲତ ଏକ ମାମଲାର ଶୁଣାଣି ସମୟରେ କହିଛନ୍ତି, ଯେଉଁ ବିବାହରେ ‘ସପ୍ତପଦୀ’ ଅର୍ଥାତ୍ ଅଗ୍ନିକୁ ସାକ୍ଷୀ ରଖି ବର-କନିଆଁ ସାତ ଥର ଫେରା ନେଇନାହାନ୍ତି କିମ୍ବା ଅନ୍ୟାନ୍ୟ ନୀତି ସମ୍ପନ୍ନ ହୋଇନାହିଁ ସେ ବିବାହ ହିନ୍ଦୁ ବିବାହ ଆଇନ ଅନୁସାରେ ବୈଧ ନୁହେଁ । ଆଉ ହିନ୍ଦୁ ରୀତି ଆଧାରରେ ଯେଉଁ ବିବାହ ବୈଧ ନୁହେଁ ତାକୁ ବିବାହ ବୋଲି ମାନି ନିଆଯିବ ନାହିଁ ବୋଲି କୋର୍ଟ କହିଛନ୍ତି । ସ୍ମୃତି ସିଂହ ନାମକ ଜଣେ ମହିଳା କରିଥିବା ଆବେଦନର ଶୁଣାଣି ସମୟରେ ଏପରି ଟିପ୍ପଣୀ ଦେଇଛନ୍ତି ଅଦାଲତ । ସୂଚନା ଅନୁସାରେ, ସ୍ମୃତି ୨୦୧୭ମସିହାରେ ସତ୍ୟମ ସିଂହ ନାମକ ଜଣେ ଯୁବକଙ୍କୁ ବିବାହ କରିଥିଲେ । କିନ୍ତୁ ବିବାହର କିଛିଦିନ ପରେ ସେ ଶାଶୁଘର ଛାଡ଼ି ବାପଘରେ ରହୁଥିଲେ । ଶାଶୁଘରେ ଯୌତୁକ ନିର୍ଯାତନା ଦେଉଥିବା ନେଇ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତଦନ୍ତ ପରେ ପୁଲିସ ସ୍ୱାମୀ ଏବଂ ଶାଶୁଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରିଥିଲା । ଏହାପରେ ସତ୍ୟମ, ପତ୍ନୀ ଛାଡ଼ପତ୍ର ନଦେଇ ଅନ୍ୟତ୍ର ବିବାହ କରିଥିବାର ଏକ ଅଭିଯୋଗ ଦାଖଲ କରିଥିଲେ । ଏନେଇ ମିର୍ଜାପୁର କୋର୍ଟରେ ମାମଲା ବିଚାରାଧୀନ ଚାଲିଛି । ୨୦୨୨ ମସିହା ଏପ୍ରିଲ ୧ତାରିଖରେ କୋର୍ଟ ସ୍ମୃତିଙ୍କୁ ସମନ ପଠାଇଥିଲେ । ଏହାକୁ ଚ୍ୟାଲେଞ୍ଜ କରି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ସ୍ମୃତି । ଦ୍ୱିତୀୟ ବିବାହ ନେଇ ସ୍ୱାମୀ କରିଥିବା ଆବେଦନ, ମିର୍ଜାପୁର କୋର୍ଟଙ୍କ ସମନ ଏବଂ ପରବର୍ତ୍ତୀ କାର୍ଯାନୁଷ୍ଠାନକୁ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ସ୍ମୃତି । ଆହ୍ଲାବାଦ ଉଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି ସମୟରେ ଦ୍ୱିତୀୟ ବିବାହର କୌଣସି ପ୍ରମାଣ ନଥିବା ଦର୍ଶାଇଛନ୍ତି । ଅଦାଲତ ହିନ୍ଦୁ ବିବାହ ଅଧିନିୟମ, ୧୯୫୫ର ଧାରା ୭କୁ ଉଲ୍ଲେଖ କରି କହିଛନ୍ତି । ଏହି ଧାରା ଅନୁସାରେ ଉଭୟ ପକ୍ଷର ପାରମ୍ପାରିକ ରୀତିନୀତି ତଥା ସମାରୋହ ଅନୁଯାୟୀ ଏକ ହିନ୍ଦୁ ବିବାହ ଉତ୍ସବ ସମ୍ପନ୍ନ ହୋଇପାରେ । ଦ୍ୱିତୀୟତଃ, ଏହିପରି ରୀତିନୀତି ଏବଂ ସମାରୋହରେ ‘ସପ୍ତପଦୀ’ ନିଆଯିବା ପରେ ବିବାହକୁ ସଂପୂର୍ଣ୍ଣ ଏବଂ ବାଧ୍ୟତାମୂଳକ ଧରାଯାଏ । ଯେହେତୁ ସ୍ମୃତିଙ୍କ ବିପକ୍ଷରେ ସ୍ୱାମୀ ଆଣିଥିବା ଅଭିଯୋଗରେ ଏପରି ପ୍ରମାଣ ନାହିଁ ତେଣୁ ମିର୍ଜାପୁର କୋର୍ଟରେ ଚାଲିଥିବା ପ୍ରକ୍ରିୟାକୁ ବନ୍ଦ କରି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆହ୍ଲାବାଦ ହାଇକୋର୍ଟ ।