ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ? ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

ସଙ୍କଟରେ ବନ୍ୟଜନ୍ତୁ: ବିଭାଗୀୟ ଅଧିକାରୀଙ୍କ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗିବ କେବେ ?
ଶେଷରେ ଆଖିବୁଜିଲା ଗୁଳିବିଦ୍ଧ ଗଜରାଜ, ଗାଁରୁ ଉଦ୍ଧାର ହେଲା ଆହତ ସମ୍ବର

News by Maheswar Behera (Athagarh)

ନରସିଂହପୁର(ଏନ୍‌.ଏମ୍‌.): କଟକ ଜିଲ୍ଲା ନରସିଂହପୁର ଅଞ୍ଚଳରେ ଦୀର୍ଘଦୀନ ଧରି ଗୁଳିବିଦ୍ଧ ଅବସ୍ଥାରେ ଯନ୍ତ୍ରଣା ଭୋଗୁଥିବା ଗଜରାଜ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଥିବା ଜଣାପଡ଼ିଛି । ଦୀର୍ଘ ଆଠ ଦିନର ସଂଘର୍ଷ ପରେ ଶେଷରେ ଗୁଳିବିଦ୍ଧ ଦନ୍ତାହାତୀଟି ମୃତ୍ୟୁବରଣ କରିଛି । ନରସିଂହପୁର ପଶ୍ଚିମ ବନବିଭାଗ ଜୟପୁର ଜଙ୍ଗଲରେ ଚିକିତ୍ସାଧୀନ ଅବସ୍ଥାରେ ଏହି ହାତୀର ମୃତ୍ୟୁ ହୋଇଥିବା ନରସିଂହପୁର ପଶ୍ଚିମ ବନାଞ୍ଚଳ ରେଞ୍ଜର ପ୍ରଫୁଲ୍ଲ କୁମାର ଦେହୁରୀ ସୂଚନା ଦେଇଛନ୍ତି ।
ବନବିଭାଗର ସୂଚନା ଅନୁଯାୟୀ, ଶିକାରୀମାନେ ହାତୀକୁ ୫ରୁ ୬ ଟି ଛର୍‌ରା ମାରିଥିଲେ । ହାତୀର ଶୁଣ୍ଢରେ ୧, ଆଗ ଗୋଡ଼ରେ ୨, କାନ୍ଧ, କାନ ଓ ପେଟରେ ଛର୍‌ରା ବାଜିଥିଲା । ଏହା ପରେ ହାତୀଟି ଗୁରୁତର ଅସୁସ୍ଥ ହୋଇ ପଡ଼ିଥିଲା । ଯନ୍ତ୍ରଣାରେ ଦନ୍ତାହାତୀଟି ଜଙ୍ଗଲ ଭିତରେ ଘୁରି ବୁଲୁଥିଲା । ଯନ୍ତ୍ରଣା ଅସହ୍ୟ ହେବାରୁ ଗର୍ଜନ କରୁଥିଲା । ତେବେ ଚାଲି ନପାରି ହାତୀଟି ଜଙ୍ଗଲ ଭିତରେ ଏକ ନାଳରେ ପଡ଼ି ଯାଇଥିଲା । ସେଠାରୁ ଛଟପଟ ହେଉଥିଲା । ନାଳରୁ ଉଠିବାକୁ ଚେଷ୍ଟା କରୁଥିଲା । ମାତ୍ର ନାଳରୁ ଉଠି ପାରୁନଥିଲା । ଜଙ୍ଗଲକୁ ଯାଇଥିବା ଲୋକମାନେ ଦେଖି ବନ ବିଭାଗକୁ ଖବର ଦେଇଥିଲେ । ଏ ନେଇ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ପରେ ବିଳମ୍ୱରେ ହେଲେ ମଧ୍ୟ ବନ ବିଭାଗ ହାତୀ ପାଖରେ ପହଞ୍ଚି ଚିକିତ୍ସା ଆରମ୍ଭ କରିଥିଲା । ହେଲେ ହାତୀର ସ୍ୱାସ୍ଥ୍ୟ ଅବସ୍ଥାର ଉନ୍ନତି ନହୋଇ ଅଧିକ ବିଗୁଡ଼ୁଥିବା ଦେଖି ଅଧିକ ଚିକିତ୍ସା ପାଇଁ ବଡ଼ମ୍ୱା ବିଧାୟକ ଦେବୀ ମିଶ୍ର ଜଙ୍ଗଲ ମନ୍ତ୍ରୀ ପ୍ରଦୀପ ଅମାତଙ୍କୁ ଅନୁରୋଧ କରିଥିଲେ । ଏପରିକି ହାତୀକୁ ଉଦ୍ଧାର ପାଇଁ କଟକ ଜିଲ୍ଲାପାଳଙ୍କୁ ମଧ୍ୟ ନିବେଦନ କରିଥିଲେ । ତେବେ ସେତେବେଳକୁ ହାତୀଟିର ଅବସ୍ଥା ସଙ୍କଟାପନ୍ନ ହୋଇ ସାରିଥିଲା । ଦେହରେ ଗୁଳି ବାଜିଥିବା ସ୍ଥାନରେ ପୋକ ହୋଇଯାଇଥିବା ଚିକିତ୍ସାବେଳେ ଜଣାପଡ଼ିଥିଲା । ମାତ୍ର ବିଧାୟକ ଶ୍ରୀ ମିଶ୍ରଙ୍କ ଅନୁରୋଧ ପରେ ରାଜ୍ୟ ସରକାର ତତ୍ପର ହୋଇଥିଲେ । ହାତୀର ଚିକିତ୍ସା ପାଇଁ ସ୍ୱତନ୍ତ୍ର ଟିମ୍ ଗଠନ କରିଥିଲେ । ଏପରି ଜଙ୍ଗଲ ଭିତରେ ହାତୀର ଚିକିତ୍ସା ଆରମ୍ଭ କରାଯାଇଥିଲା । ହେଲେ ୮ ଦିନର ଚିକିତ୍ସା ପରେ ହାତୀଟି ମୃତ୍ୟୁବରଣ କରିଛି ।
ସୂଚନା ଅନୁଯାୟୀ ଏବେ ବନ୍ୟଜନ୍ତୁ ସଙ୍କଟରେ ରହିଛନ୍ତି । ଅଧିକାଂଶ ସମୟରେ ଶିକାରୀମାନଙ୍କ ଆକ୍ରମଣରେ ବନ୍ୟଜନ୍ତୁଙ୍କ ପ୍ରାଣ ହାନି ହେଉଥିବା ଜଣାପଡ଼ିଛି । ସେହିଭଳି ନରସିଂହପୁର ପୂର୍ବ ବନାଞ୍ଚଳ ଅଧିନ ପାଞ୍ଚଗୋଛିଆ ଗାଁରୁ ଏକ ସମ୍ବର ଉଦ୍ଧାର ହୋଇଛି । ଜଙ୍ଗଲରେ ପାନୀୟ ଜଳର ଘୋର ଅଭାବ ନେଇ ଜଙ୍ଗଲି ସମ୍ବରଟି ପାଣି ପିଇବା ପାଇଁ ଗାଁ ମୁଁହା ହୋଇଥିଲା । ତେବେ ସକାଳୁସକାଳୁ ସମ୍ବରଟିକୁ ବୁଲା କୁକୁର ଗୋଡ଼ାଇବାବେଳେ ଗ୍ରାମବାସୀମାନେ ସମ୍ବରଟିକୁ କୁକୁର କବଳରୁ ରକ୍ଷା କରି ବନାଞ୍ଚଳ ଅଧିକାରୀଙ୍କୁ ସୁବାସ ଚନ୍ଦ୍ର ରାଉତଙ୍କୁ ସୂଚନା ଦେଇଥିଲେ । ଶ୍ରୀ ରାଉତ ସମ୍ବରଟିକୁ ଉଦ୍ଧାର କରି ରଣସିଂହପୁର ନର୍ସରୀରେ ପଶୁ ଚିକିତ୍ସା ଅଧିକାରୀଙ୍କ ନିକଟରେ ଏହାର ଚିକିତ୍ସା କରାଯିବା ପରେ ଏକ ସୁରକ୍ଷିତ ସ୍ଥାନରେ ଛଡ଼ାଯାଇଥିବା ଜଣାପଡ଼ିଛି । ତେବେ ଏଠାରେ ପ୍ରଶ୍ନ ଉଠୁଛି ବନବିଭାଗ ପକ୍ଷରୁ ବନ୍ୟଜନ୍ତୁଙ୍କ ସୁରକ୍ଷା ପାଇଁ ବିଭିନ୍ନ ବ୍ୟବସ୍ଥା କରୁଥିବା ଡିଣ୍ଡିମ ପିଟୁଥିବାବେଳେ ଆଜି ପର୍ଯ୍ୟନ୍ତ ବନ୍ୟଜନ୍ତୁଙ୍କ ପାଇଁ ପାନୀୟ ଜଳ ବ୍ୟବସ୍ଥା କିପରି ହୋଇ ପାରୁନାହିଁ । ତେବେ ବିଭାଗ ପକ୍ଷରୁ ଏ ନେଇ କୋଟି କୋଟି ଟଙ୍କା ବ୍ୟୟ କରାଯାଉଥିବାବେଳେ ଏହି ଅର୍ଥ କୁଆଡେ ଯାଉଛି ତାହାର ଉଚ୍ଚସ୍ତରୀୟ ତଦନ୍ତ କରାଯିବା ଆବଶ୍ୟକ ବୋଲି ବନ୍ୟଜନ୍ତୁ ପ୍ରେମୀମାନେ ଦାବି କରିଛନ୍ତି ।

Slider ଅପରାଧ କୃଷି ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ