ଶ୍ରୀକ୍ଷେତ୍ରରେ ମହାପ୍ରଭୁଙ୍କ ଚିକିତ୍ସା ପାଇଁ ଫୁଲୁରି ତେଲ
ପୁରୀ(ଏନ୍.ଏମ୍.): ପ୍ରଭୁ ଶ୍ରୀଜଗନ୍ନାଥଙ୍କ ମହାସ୍ନାନ ପରେ ଏବେ ପ୍ରଭୁ ଅସୁସ୍ଥ ହୋଇପଡ଼ିଛନ୍ତି । ତାଙ୍କୁ ଅଣସର ଘରେ ରଖାଯାଇ ଗୁପ୍ତ ଚିକିତ୍ସା ସେବା କରାଯାଉଛି । ଏହି ପରିପ୍ରେକ୍ଷୀରେ ପ୍ରଭୁଙ୍କ ଚିକିତ୍ସା ପାଇଁ ବିଶେଷ ଆବଶ୍ୟକତା ପଡ଼ୁଥିବା ଫୁଲୁରି ତେଲ ପ୍ରସ୍ତୁତ ସରିଛି । ଅଣସର ପଞ୍ଚମୀରେ ମହାପ୍ରଭୁଙ୍କ ଠାରେ ଫୁଲୁରି ତେଲ ଲାଗି ହୋଇଥାଏ । ଆଜି ଅଣସରର ପଞ୍ଚମ ଦିବସ ତେଣୁ ଆଜି ଫୁଲୁରିତେଲ ଶ୍ରୀ ଜୀଉଙ୍କ ଦେହରେ ଲଗାଯିବାର ବିଧି ରହିଛି । ଦେବସ୍ନାନ ପୂର୍ଣ୍ଣିମା ପରେ ଅଣସରରେ ଠାକୁରମାନେ ରହିବାର ୫ମ ଦିନ । ପରମ୍ପରା କ୍ରମେ ଅସୁସ୍ଥ ଶ୍ରୀଜୀଊମାନେ ଏବେ ସୁସ୍ଥ ହେଉଛନ୍ତି । ଶୟନ ଅବସ୍ଥାରୁ ବିଗ୍ରହମାନଙ୍କୁ ବସାଇବା ଉପକ୍ରମ ଆରମ୍ଭ ହୋଇଛି । ଏଣେ ଲୌକିକ ମତରେ ଜ୍ୱରଗ୍ରସ୍ତ ଠାକୁରମାନଙ୍କ ଦେହରୁ ମଜରା ଛଡାଇବାକୁ କରାଯାଉଛି ଉପଚାର । ଶ୍ରୀଅଙ୍ଗକୁ ସୁସ୍ଥ କରିବାକୁ ଆଜି ମାଲିସ୍ ହୋଇଛି ଫୁଲୁରୀ ତେଲ । ତା ହେଲେ ଆସନ୍ତୁ ଜାଣିବା କ’ଣ ଏହି ଫୁଲୁରୀ ତେଲ ଆଉ କେମିତି ପ୍ରସ୍ତୁତ ହୁଏ ଏହି ଦିବ୍ୟ ଔଷଧୀ ।
ଫୁଲରୁ ଫୁଲୁରୀ । ଔଷଧୀୟ ଗୁଣ ସମ୍ପନ୍ନ ସୁଗନ୍ଧିତ ଫୁଲ ମଲ୍ଲୀ, କିଆ, କେତକି ସହ କିଛି ଧାନ ଓ ବେଣାଚେରକୁ ଘଣା ହୋଇଥିବା ରାଶିତେଲରେ ମିଶାଇ ଏକ ମାଟି ହାଣ୍ଡିରେ ଏହାକୁ ପ୍ରସ୍ତୁତ କରାଯାଇଥାଏ । ଏହି ମିଶ୍ରଣକୁ ମାଟିତଳେ ଦୀର୍ଘ ଏକ ବର୍ଷ କାଳ ରଖିବା ପରେ ଦେବସ୍ନାନ ପୂର୍ଣ୍ଣିମା ଦିନ ମାଟିରୁ ବାହାର କରାଯାଇଥାଏ । ଏହି ଅବଧିରେ ଏହି ମିଶ୍ରିତ ତୈଳ ଔଷଧରେ ରୁପାନ୍ତରିତ ହୋଇଥାଏ । ଆୟୁର୍ବେଦ ଶାସ୍ତ୍ର ମୁତାବକ ଏ ସମ୍ପସ୍ତ ଫୁଲ ଓ ବେଣା ଚେରରେ ରହିଛି ଦେହକୁ ଉଷ୍ମତା ପ୍ରଦାନ କରିବାର ଶକ୍ତି । ଏଣୁ ମହାପ୍ରଭୁମାନେ ପ୍ରବଳ ସ୍ନାନ ଯୋଗୁ ଅସୁସ୍ଥ ହୋଇପଡିଥିବା କଳ୍ପନା କରାଯାଇ ଶ୍ରୀଅଙ୍ଗରେ ଏହି ତୈଳ ମର୍ଦ୍ଦନ କରାଯାଇଥାଏ । ତେବେ ଶ୍ରୀକ୍ଷେତ୍ରରେ ଥିବା ବଡ଼ ଓଡ଼ିଆ ମଠ ଏହାକୁ ପ୍ରସ୍ତୁତ କରି ସେବା ନିମିତ୍ତ ଯୋଗାଇଥାନ୍ତି । ଗତ ବର୍ଷ ହେରା ପଞ୍ଚମୀ ଦିନ ତିନିଟି ମାଟି ହାଣ୍ଡିରେ ଘଣାପେଡ଼ା ରାଶିତେଲରେ ଉପରୋକ୍ତ ଔଷଧୀୟ ଫୁଲ ଓ ଚେରମୂଳୀ ମିଶାଇ ଏହାକୁ ପ୍ରସ୍ତୁତ କରାଯାଇଥିଲା । ମଠ ପକ୍ଷରୁ ଅଣସର ପଞ୍ଚମୀରେ ଏହାକୁ ଶ୍ରୀମନ୍ଦିରକୁ ପଠାଯାଇଥାଏ । ଦେଉଳ କରଣଙ୍କ ନେତୃତ୍ୱରେ ଏହାକୁ ଅଣସର ଗୃହକୁ ଆଣାଯିବା ପରେ ଦଇତାପତି ସେବକମାନେ ପ୍ରଭୁ ବଳଭଦ୍ର, ଜଗନ୍ନାଥ ଏବଂ ଦେବୀ ଶୁଭଦ୍ରାଙ୍କ ଶ୍ରୀଅଙ୍ଗରେ ଏହାକୁ ମାଲିସ କରିଥାନ୍ତି । ବିଶ୍ୱରେ ଜଗନ୍ନାଥ ଏକ ମାତ୍ର ଠାକୁର ଯେ କି ମଣିଷ ଭଳି ଚାଲିଚଳଣି ଠାରୁ ଆରମ୍ଭ କରି ନିତ୍ୟ ନୈମିତ୍ୟ ବ୍ୟବସ୍ଥା ରହିଛି । ତେଣୁ ଜଗନ୍ନାଥ ସଂସ୍କୃତି ଏକ ବୃହତ ତଥା ତାତ୍ତ୍ୱିକ ପୂର୍ଣ୍ଣ ଦର୍ଶନର ସଂସ୍କୃତି ବୋଲି କୁହାଯାଏ ।