ଶ୍ରମିକ ବିରୋଧୀ ନୀତି ବିରୁଦ୍ଧରେ ଏଆଇୟୁଟିୟୁସି ପକ୍ଷରୁ ଜିଲ୍ଲାସ୍ତରୀୟ ଶ୍ରମିକ ବିକ୍ଷୋଭ
#କଟକ(ଏନ୍.ଏମ୍.): କେନ୍ଦ୍ର ସରକାରଙ୍କ ଶ୍ରମିକ-କର୍ମଚାରୀ ମାରଣ ନୀତି ବିରୁଦ୍ଧରେ ଏବଂ ଶ୍ରମିକ କର୍ମଚାରୀଙ୍କ ନ୍ୟାୟସଂଗତ ଦାବିରେ ଏଆଇୟୁଟିୟୁସି ପକ୍ଷରୁ ଦେଶବ୍ୟାପୀ ପ୍ରତିବାଦ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମଖରେ ଜିଲ୍ଲାସ୍ତରୀୟ ଶ୍ରମିକ ବିକ୍ଷୋଭ ଅନୁଷ୍ଠିତ ହୋଇଥିଲା । ସମସ୍ତ ବେକାରଙ୍କୁ ସ୍ଥାୟୀ ନିଯୁକ୍ତି ଦେବା, କାମ କରିବାର ଅଧିକାରକୁ ମୌଳିକ ସାମ୍ବିଧାନିକ ଅଧିକାର ଭାବେ ଗୃହୀତ କରିବା, ବିଦ୍ୟୁତ୍ (ସଂଶୋଧନ) ବିଲ୍ ୨୦୨୨କୁ ପ୍ରତ୍ୟାହାର କରିବା, ପ୍ରିପେଡ୍ ସ୍ମାର୍ଟ ମିଟର ଲଗାଇବା ବନ୍ଦ କରିବା, ସର୍ବନିମ୍ନ ମାସିକ ପେନ୍ସନ୍ ୧୦ହଜାର ଟଙ୍କା ସମସ୍ତ ପି.ଏଫ୍. ପେନ୍ସନ୍ଧାରୀଙ୍କୁ ପ୍ରଦାନ କରିବା ସହିତ ଦରବୃଦ୍ଧିର ସୂଚକାଙ୍କ ସହିତ ଲିଙ୍କ କରି ଠିକ୍ ସମୟରେ ସମସ୍ତ ପ୍ରାପ୍ୟ ପ୍ରଦାନ କରିବା, ପି.ଏଫ୍. ଟଙ୍କାକୁ ସେୟାର୍ ମାର୍କେଟରେ ବିନିଯୋଗ କରିବା ବନ୍ଦ କରାଯିବା, ଜାତୀୟ ସର୍ବନିମ୍ନ ମାସିକ ମଜୁରୀ ୨୮ହଜାର ଟଙ୍କା କରିବା, ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା ସହ ଖାଦ୍ୟ, ଔଷଧ ଆଦି ଅତ୍ୟାବଶ୍ୟକ ସାମଗ୍ରୀ ଉପରୁ ଜି.ଏସ୍.ଟି. ପ୍ରତ୍ୟାହାର କରିବା, ପେଟ୍ରୋଲ୍, ଡିଜେଲ୍, ରନ୍ଧନ ଗ୍ୟାସ୍ର ଦରବୃଦ୍ଧିକୁ ନିୟନ୍ତ୍ରଣ କରିବା, ସ୍ଥାୟୀ କାମର ଠିକାକରଣ ବନ୍ଦ କରିବା, ଠିକା ଓ ଚୁକ୍ତିଭିତ୍ତିକ ଶ୍ରମିକ-କର୍ମଚାରୀଙ୍କୁ ସ୍ଥାୟୀ ଶ୍ରମିକ କର୍ମଚାରୀ ଭାବେ ନିଯୁକ୍ତି ଦେବା, ସମାନ ଧରଣର କାମ ପାଇଁ ସମାନ ମଜୁରୀ ପ୍ରଦାନ କରିବା, ୪୫ତମ ଓ ୪୬ତମ ଭାରତୀୟ ଶ୍ରମ ସମ୍ମିଳନୀରେ ଗୃହୀତ ସ୍କିମ୍ ଶ୍ରମିକମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ଦେବାର ସୁପାରିଶକୁ ଭାରତ ସରକାର କାର୍ଯ୍ୟକାରୀ କରିବା ଇ.ଏସ୍.ଆଇ ଓ ପି.ଏଫ୍.ର ସୁବିଧା ସୁଯୋଗକୁ ସୁନିଶ୍ଚିତ କରିବା, ଦୈନିକ କାର୍ଯ୍ୟ ନିର୍ଘଣ୍ଟକୁ ୮ଘଣ୍ଟାରୁ ୧୨ଘଣ୍ଟାକୁ ବୃଦ୍ଧି କରିବା ବନ୍ଦ କରିବା, ଟ୍ରେଡ୍ ୟୁନିୟନ୍ ମାନଙ୍କ ସହିତ ତ୍ରିପାକ୍ଷୀକ ଆଲୋଚନାକୁ ସୁନିଶ୍ଚିତ କରିବା, ଆନ୍ତର୍ଜାତିକ ଶ୍ରମ ସଂଗଠନ (ଆଇ.ଏଲ୍.ଓ)ର କନ୍ଭେନ୍ସନ୍ (ସୁପାରିଶ) ଗୁଡିକୁ ଅବିଳମ୍ବେ ଭାରତ ସରକାର କାର୍ଯ୍ୟକାରୀ କରିବା, ଇଂରେଜ ଶାସନ କାଳରେ ପ୍ରଣୟନ ହୋଇଥିବା ସରକାରୀ କର୍ମଚାରୀଙ୍କ ପାଇଁ ଆଇନ୍କୁ ବାତିଲ କରି ସରକାରୀ କର୍ମଚାରୀଙ୍କ ଧର୍ମଘଟ କରିବାର ଅଧିକାରକୁ ମୌଳିକ ଅଧିକାର ଭାବେ ଗୃହୀତ କରିବା ଓ ପ୍ରବାସୀ ଶ୍ରମିକ ଆଇନ୍ ୧୯୭୯ ଓ ହକର୍ସ ଆଇନ୍ ୨୦୧୪କୁ କଡାକଡିଭାବେ କାର୍ଯ୍ୟକାରୀ କରିବା ପ୍ରମୁଖ ୨୪ ଦଫା ଦାବି ବିକ୍ଷୋଭକାରୀଙ୍କ ପକ୍ଷରୁ କରାଯାଇଛି । ଏହି ଦାବି ସମ୍ବଳିତ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ଦିଆଯାଇଛି । ଏଆଇୟୁଟିୟୁସି ଜିଲ୍ଲା ସଂପାଦକ ରାଜକିଶୋର ମଲ୍ଲିକ ନେତୃତ୍ୱ ନେଇଥିଲେ । ଏସ୍ ୟୁ ସି ଆଇ (ସି) ଜିଲ୍ଲା ସଂପାଦକ, ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦଶ୍ୟ ବିଶ୍ୱାବସୁ ଦାସ ଓ ଏଆଇୟୁଟିୟୁସି ନେତା ଖଗେଶ୍ୱର ସେଠୀ, ସୌଭାଗ୍ୟ ସାମଲ, ଟିକା ସମଲ ବିକ୍ଷୋଭ ସ୍ଥଳରେ ଉଦବୋଧନ ଦେଇଥିଲେ । ଶ୍ରମିକ ନେତା ପାଭେଲ ପ୍ରିୟଦର୍ଶନ, ପରମାନନ୍ଦ ସେଠୀ, ସ୍ୱାଧିନୀ ବେହେରା, ରେଣୁ ମହାରଣା, ଶରତଚନ୍ଦ୍ର ବେହେରା, ଅଚ୍ୟୁତାନନ୍ଦ ସାହୁ, ଅଜୟ ମଲ୍ଲିକ ପ୍ରମୁଖ ବିକ୍ଷୋଭର ପରିଚାଳନା କରଥିଲେ ।