ଶୋଚନୀୟ ଅଣ୍ଡରପାସ ନେଇ ସିଏମସି କମିଶନରଙ୍କୁ ସ୍ମାରକପତ୍ର
କଟକ(ଏନ୍.ଏମ୍.): କଟକ ମହାନଗର ନିଗମର ୫୬,୫୭ ଓ ୫୮ ନମ୍ବର ୱାର୍ଡ଼ ଦେଇ ଯାଇଥିବା ୧୬ନମ୍ବର ଜାତୀୟ ରାଜପଥ ତଳେ କରାଯାଇଥିବା ଅଣ୍ଡର ପାସରେ ଅସରାଏ ବର୍ଷା ହେଲେ ଅବସ୍ଥା ଶୋଚନୀୟ ହୋଇ ପଡ଼ୁଥିବା ଅଭିଯୋଗ ହୋଇଛି । ଏ ନେଇ ଆଜି ଆମ୍ବେଦର ସ୍ମୃତିପରିଷଦ ପକ୍ଷରୁ ସିଏମସି କମିଶନରଙ୍କୁ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅଭିଯୋଗ ଅନୁଯାୟୀ ଗ୍ରୀଷ୍ମ ଋତୁର ଅଦିନିଆ ବର୍ଷାରେ ବାଲିକୁଦାସ୍ଥିତ ଅଣ୍ଡରପାସ ତଳେ ପାଣି ଭର୍ତ୍ତି ହୋଇ ପଡ଼ୁଛି । ତେଣୁ ବର୍ଷା ହେଲେ ଏକାଧିକ ଦିନ ଏହି ଅଣ୍ଡରପାସ ଦେଇ ଯାତାୟତ କରିବା ବନ୍ଦ ହୋଇ ଯାଉଛି । ସିଏମସି ଅନ୍ତର୍ଗତ ବାଲିକୁଦା, ଗୋପାଳପୁର, ଡାଳିଆଭାଗ, ଭାଣପୁର, ପ୍ରତାପନଗରୀ, ନୂଆଗଡ଼, ତେଲେଙ୍ଗାପେଣ୍ଠ, ଉତ୍ତମାପୁର, ସୁଭଦ୍ରାପୁର, ମୁକାମେଶ୍ୱର ଗ୍ରାମଗୁଡ଼ିକର ଜନସାଧାରଣ ଓ ଛାତ୍ରଛାତ୍ରୀମାନଙ୍କ ସ୍ୱାର୍ଥ ଦୃଷ୍ଟିରୁ ରାଜପଥ ତଳେ ଅଣ୍ଡରପାସ ନିର୍ମାଣ କରାଯାଇଥିଲା । କିନ୍ତୁ ଏହି ଅଣ୍ଡରପାସରୁ ଜଳନିଷ୍କାସନ ବ୍ୟବସ୍ଥା କରାଯାଇ ନଥିବା ଯୋଗୁଁ ବାଲିକୁଦା ଅଞ୍ଚଳରେ ଥିବା ୨ଟି ଅଣ୍ଡରପାସ ଅସରାଏ ବର୍ଷାରେ ନର୍ଦ୍ଦମାର ଭ୍ରମ ସୃଷ୍ଟି କରୁଛି । ପାଣି କାଦୁଅ ଭର୍ତ୍ତି ହୋଇଯିବା ଯୋଗୁଁ ଏହା ଅଚଳ ହୋଇପଡ଼ିଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ପୁନଶ୍ଚ ଗୋପାଳପୁର ଦେହୁରୀ ସାହି, ବାଲିକୁଦା, ରଜକ ସାହି, ସାମଲ ସାହି ଲୋକେ ଅଧିକ ପ୍ରବାଭିତ ହେଉଛନ୍ତି । ତେଣୁ ଏହି ଅଣ୍ଡରପାସରୁ ତୁରନ୍ତ ଜଳନିଷ୍କାସନ ବ୍ୟବସ୍ଥା କରାଯିବା ସହ ଅଣ୍ଡରପାସରେ ଆଲୋକ ବ୍ୟବସ୍ଥା, ଅଣ୍ଡରପାସ ରାସ୍ତାକୁ ମରାମତି କରିବା ପାଇଁ ଦାବି କରାଯାଇଛି । ଏହି ସ୍ମାରକପତ୍ର ପ୍ରଦାନ ସମୟରେ ପରିଷଦ ସଭାପତି ତଥା ସାମାଜିକ କର୍ମୀ ସୁକାନ୍ତ ସେଠୀଙ୍କ ନେତୃତ୍ୱରେ ଚୈତନ୍ୟ ସାମଲ, ଗମନ ସାମଲ, ବିଜୟଲକ୍ଷ୍ମୀ ସାହୁ, ଝୁନୁ ନାୟକ, ଗୀତାଞ୍ଜଳି ସ୍ୱାଇଁ, ସାବିତ୍ରୀ ସାହୁ, ଚନ୍ଦ୍ରମଣୀ ସାମଲ, ସୁରେନ୍ଦ୍ର ସାମଲ, ଅର୍ଜୁନ ସାମଲ, ଅମର ସାମଲ, ବଳରାମ ସ୍ୱାଇଁ, ଜୁଲେନ୍ଦ ଖାନ, କିଶୋର ଚନ୍ଦ୍ର ବେହେରା, ଅକ୍ଷୟ କୁମାର ସାମଲ ପ୍ରମୁଖ ଉପସ୍ଥିତ ଥିଲେ ।