ଶୈବ ପୀଠରେ ଆନନ୍ଦ ଉଲ୍ଲାସର ସହ ପାଳନ ହେଲା ଶୀତଳଷଷ୍ଠୀ: ବେଦୀରେ ବସିଲେ ଦେବ ଦମ୍ପତ୍ତି
#କଟକ(ଏନ୍.ଏମ୍.): ରାଜ୍ୟର ପ୍ରାୟ ପ୍ରତ୍ୟେକ ଶୈବପୀଠରେ ଦେବ ଦେବ ମହାଦେବଙ୍କ ବିବାହ ଉତ୍ସବ ବେଶ ଧୁମ ଧାମରେ ପାଳିତ ହୋଇଯାଇଛି । ବିଶେଷ କରି ଏହି ପର୍ବଟି ପଶ୍ଚିମ ଓଡ଼ିଶା ତଥା ସମ୍ବଲପୁରର ଏକ ପ୍ରମୁଖ ପର୍ବ ହୋଇଥିବାବେଳେ ସମ୍ପ୍ରତି ରାଜ୍ୟର କୋଣ ଅନୁକୋଣରେ ପାଳନ ହୋଇ ଆସୁଛି । ପ୍ରତ୍ୟେକ ଶୈବ ପୀଠରେ ଶହ ଶହ ଶ୍ରଦ୍ଧାଳୁଙ୍କ ସମାଗମ ମଧ୍ୟରେ ଦେବ ଦେବ ମହାଦେବଙ୍କ ସହ ମା’ ଜଗତଜନନୀ ଜଗଦମ୍ବାଙ୍କ ପାଣିଗ୍ରହଣ ଉତ୍ସବ ଦେଖିବାକୁ ମିଳିଥିଲା । ଏହି ପରିପ୍ରେକ୍ଷୀରେ କଟକ ଜିଲ୍ଲା ପ୍ରାୟ ସମସ୍ତ ଶୈବପୀଠ ଆଜି ହୋଇ ଉଠିଥିଲା ଉତ୍ସବ ମୁଖର । ବାବା ଭୋଳାଶଙ୍କରଙ୍କୁ ବରବେଶରେ ସଜାଇବା ସହ ମା’ ପାର୍ବତୀଙ୍କୁ କନ୍ୟାବେଶରେ ସଜାଇ ବ୍ରାହ୍ମଣର ବେଦ ଧ୍ୱନୀ ମଧ୍ୟରେ ବୈଦିକ ରୀତିନୀତି ଅନୁଯାଇ ଏହି ବିବାହ ଉତ୍ସବ ଶୈବ ଓ ଶାକ୍ତମାନଙ୍କର ସମନ୍ୱୟ ଘଟାଇଥିଲା । ତେବେ କଟକ ଜିଲ୍ଲାର ଟାଙ୍ଗୀ ଚୌଦ୍ୱାର ବ୍ଲକ୍ ଅନ୍ତର୍ଗତ କୟଳପଡ଼ା ପଞ୍ଚାୟତର ଇଷ୍ଟ ଦେବ ବାବା ବାଲୁଙ୍କେଶ୍ୱର ଠାକୁରଙ୍କ ବିବାହ ଉତ୍ସବ ମହାଡମ୍ୱରେ ପାଳିତ ହୋଇଯାଇଛି । ଭୋର୍ ୪ଟାରୁ ବାବାଙ୍କ ପହଡ଼ ଖୋଲାଯାଇ ୧୦୮ ଗରା ସୁବାସିତ ସୁଗନ୍ଧିତ ଜଳରେ ସ୍ନାନ କରି ଚନ୍ଦନ, କର୍ପୁରରେ ବାବା ଭୋଳାନାଥ ସଜ୍ଜିତ ହୋଇଥିଲେ । ଏହାପରେ ପୂଜା କରାଯାଇ, ନୂତନ ବସ୍ତ୍ର ପରିଧାନ କରାଇ ବହ୍ଲଭ ଭୋଗ ଲଗା ଯାଇଥିଲା । ଏହାପରେ ଭକ୍ତ ମାନେ ବାବାଙ୍କ ପାଖରେ ପୂଜାର୍ଚ୍ଚନା କରି ନିଜର ମନସ୍କାମନା ପୂରଣ ପାଇଁ କାମନା କରିଥିଲେ । ଏହାପରେ ମଧ୍ୟାହ୍ନ ସମୟରେ ଅର୍ଣ୍ଣ ଭୋଗ ଲଗା ଯାଇଥିଲା । ଏହି ଅବସରରେ ଶତାଧିକ ମହିଳାମାନେ ପାଣି ତୋଳିବା ନିମନ୍ତେ ଏକ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରାଯାଇ ବାଢ଼ୁଅ ସ୍ନାନ କରାଯାଇଥିଲା । ପରେ ପରେ ବାବାଙ୍କୁ ସୁନ୍ଦର ସଜିତ ବିମାନରେ ମନ୍ଦିର ଚାରିପାଖେ ପରିଭ୍ରମଣ କରି ପାରମ୍ପରିକ ବାଦ୍ୟ ଶହ ଆଧୁନିକ ବାଦ୍ୟଯନ୍ତ୍ର ତଥା ହରି ବୋଲ ହୁଳହୁଳି ଧ୍ୱନୀରେ ଗଗନ ପବନ ମୁଖରିତ ହୋଇ ପଡ଼ିଥିଲା । ଶତାଧିକ ଗ୍ରାମବାସୀ ପ୍ରଭୁ ଶିବ ଶଙ୍କରଙ୍କ ଏକ ପ୍ରତିମାକୁ ବରବେଶରେ ସଜାଇ ଶୋଭାଯାତ୍ରାରେ ଗ୍ରାମ ପରିକ୍ରମା କରିଥିଲେ । କନ୍ୟା ଘର ବା ମା ପାର୍ବତୀଙ୍କ ଘର ପକ୍ଷରୁ ସମସ୍ତ ବରଯାତ୍ରୀମାନଙ୍କୁ ଫୁଲ, ଚନ୍ଦନ, ମିଠା ଦେଇ ସ୍ୱାଗତ କରାଯାଇଥିଲା । ଏହାପରେ ମହାଦେବଙ୍କ ପକ୍ଷରୁ ବରପିତା ଭାବେ ନିରଞ୍ଜନ ନାୟକ, (ମାତା ପାର୍ବତୀ) କନ୍ୟା ପିତା ଭାବେ ଲକ୍ଷ୍ମୀଧର ନାୟକ ବିବାହ କାର୍ଯ୍ୟକୁ ପରିଚାଳନା କରିଥିଲେ । ପଣ୍ଡିତ ନିଗମାନନ୍ଦ ତ୍ରିପାଠୀ ଉଭୟଙ୍କ ପକ୍ଷରୁ ବୈଦିକ କର୍ମ କରିଥିଲେ । ଏଥିରେ ସ୍ଥାନୀୟ ଅଞ୍ଚଳ ଓଁ ନମଃ ଶିବାୟ ସହ ହରିବୋଲ ହୁଳହୁଳିରେ ଗଗନ ପବନ କମ୍ପି ଉଠିଥିଲା । ସଂଧ୍ୟାରେ ଚିତ୍ତାକର୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ଏହି ଉତ୍ସବକୁ ଅଧିକ ଆକର୍ଷଣୀୟ କରିଥିଲା ।