ଶେଷ ହେଲା ମାଟ୍ରିକ ପରୀକ୍ଷା, ୩ରୁ ଆରମ୍ଭ ହେବ ଖାତା ଦେଖା

#କଟକ(ଏନ୍.ଏମ୍.): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ପକ୍ଷରୁ ପରିଚାଳିତ ହେଉଥିବା ମାଟ୍ରିକ ପରୀକ୍ଷା ଆଜି ଶେଷ ହୋଇଛି । ଏହି ପରୀକ୍ଷା ଗତ ୧୦ତାରିଖରୁ ଆରମ୍ଭ ହୋଇଥିଲା । ତେବେ ଆସନ୍ତା ଏପ୍ରିଲ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ ବୋଲି ବୋର୍ଡ ସଭାପତି ରାମାଶିଷ ହାଜରା ସୂଚନା ଦେଇଛନ୍ତି । ଆସନ୍ତା ୩ ତାରିଖରୁ ମୋଟ ୫୬ଟି କେନ୍ଦ୍ରରେ ଖାତା ଦେଖା ହେବ ବୋଲି ସେ ସୂଚନା ଦେଇଛନ୍ତି । ଚଳିତ ମାଟ୍ରିକ ପରୀକ୍ଷାର ଖାତା ଦେଖା ଆରମ୍ଭ ହେବା ପୂର୍ବରୁ ପ୍ରଥମେ ଶିକ୍ଷକମାନଙ୍କୁ ଖାତା ଦେଖିବା ସମ୍ପର୍କରେ ଟ୍ରେନିଂ ଦିଆଯିବ । ଏହାପରେ ୩ ତାରିଖରୁ ଖାତାଦେଖା ଆରମ୍ଭ ହେବ । ଖାତା ଦେଖିବା ପ୍ରକ୍ରିୟା ୪୫ ଦିନ ଅବଧି ମଧ୍ୟରେ ଶେଷ ହେବ ବୋଲି ଶ୍ରୀ ହାଜରା କହିଥିଲେ ମଧ୍ୟ କେବେ ମାଟ୍ରିକ ରେଜଲ୍ଟ ବାହାରିବ, ସେ ନେଇ କିଛି ସ୍ପଷ୍ଟ ସୂଚନା ଦେଇ ନାହାନ୍ତି । ସେହିଭଳି ପରୀକ୍ଷାକୁ ଯେପରି ସୁବ୍ୟବସ୍ଥିତ ଢଙ୍ଗରେ ସୁପରିଚାଳନା କରାଗଲା, ଖାତା ଦେଖାକୁ ବି ସେପରି ତ୍ରୁଟିମୁକ୍ତ କରାଯିବା ଉପରେ ଗୁରୁତ୍ୱାରୋପ କରାଯିବ ବୋଲି ବୋର୍ଡ କର୍ତ୍ତୃପକ୍ଷ କହିଛନ୍ତି । ତେବେ ପ୍ରଥମ ଦିନରେ ପରୀକ୍ଷାର୍ଥୀମାନେ ମାତୃଭାଷା ପରୀକ୍ଷା ଦେଇଥିବାବେଳେ ଆଜି ଶେଷ ଦିନରେ ଗଣିତ ପରୀକ୍ଷା ଥିଲା । ଶେଷ ଦିନରେ ଆଜି ଗଣିତ ପରୀକ୍ଷା ପାଇଁ ପରୀକ୍ଷାର୍ଥୀଙ୍କୁ ଅତିରିକ୍ତ ୧୫ ମିନିଟ୍ ଦିଆଯାଇଥିଲା । ପୁନଶ୍ଚ ସମ୍ମେଟିଭ୍-୨, ମଧ୍ୟମା ଏବଂ ଓପନ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ଶେଷ ହୋଇଛି । ବୋର୍ଡ ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ହାଇସ୍କୁଲ ସାର୍ଟିଫିକେଟ୍ ପରୀକ୍ଷା(ମାଟ୍ରିକ୍), ମଧ୍ୟମା (ସଂସ୍କୃତ ଟୋଲ୍) ଓ ରାଜ୍ୟ ମୁକ୍ତବିଦ୍ୟାଳୟ ସାର୍ଟିଫିକେଟ୍(ଓପନ୍ ସ୍କୁଲ)ର ଦ୍ୱିତୀୟ ସମ୍ମେଟିଭ୍ ଆସେସମେଣ୍ଟ(ଏସ୍ଏ–୨) ପରୀକ୍ଷା ସକାଳ ୮ଟାରୁ ଆରମ୍ଭ ହେଇଥିଲା ଓ ପରୀକ୍ଷା ପୂର୍ବାହ୍ନ ୧୦ଟାରେ ସରିଥିଲା । କେବଳ ଗଣିତ ପରୀକ୍ଷା ୧୦ଟା ୧୫ରେ ସରିଥିଲା । ଏହି ପରୀକ୍ଷା ମାର୍ଚ୍ଚ ୨୦ତାରିଖ ପର୍ଯ୍ୟନ୍ତ ଚାଲିଥିଲା । ସୂଚନା ଅନୁଯାୟୀ ଚଳିତ ବର୍ଷ ୫ ଲକ୍ଷ ୪୧ ହଜାର ୨୪୭ ପରୀକ୍ଷାର୍ଥୀ ହାଇସ୍କୁଲ ସାର୍ଟିଫିକେଟ (ମାଟ୍ରିକ) ପରୀକ୍ଷା ପାଇଁ ଫର୍ମ ପୂରଣ କରିଥିଲେ । ମୋଟ ୩ ହଜାର ୨୧୮ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ବୋର୍ଡ ପକ୍ଷରୁ ୩୧୬ଟି ନୋଡାଲ ସେଣ୍ଟର କରାଯାଇଥିଲା । ସେହିଭଳି ମାଓ ପ୍ରଭାବିତ ଅଞ୍ଚଳରେ ୨୨ଟି ଥାନାରେ ନୋଡାଲ ସେଣ୍ଟର କରାଯାଇଥିଲା । ପରୀକ୍ଷାରେ କପି ରୋକିବାକୁ ବୋର୍ଡ ପକ୍ଷରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଥିଲା । ଏହା ସତ୍ତ୍ୱେ କିଛି ସ୍ଥାନରେ ବିଭ୍ରାଟର ଖବର ଆସିଥିଲା । ପ୍ରଶ୍ନପତ୍ର ଭାଇରାଲ ହେବା ସହ ପ୍ରଶ୍ନପତ୍ରରେ ତ୍ରୁଟି ପରିଲିକ୍ଷିତ ହୋଇଥିଲା । ମାତ୍ର ବୋର୍ଡ କର୍ତ୍ତୃପକ୍ଷ ଚଳିତ ପରୀକ୍ଷାରେ କିଛି ପ୍ରଶ୍ନପତ୍ର ଭାଇରାଲ ହୋଇନି ବୋଲି ସ୍ପଷ୍ଟ କରିଥିଲେ । କେବଳ କିଛି ଜାଗାରେ ମୁଦ୍ରଣଜନିତ ତ୍ରୁଟି ଦେଖା ଯାଇଥିବା ବୋର୍ଡ କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି । ତେବେ ଏଥିଯୋଗୁ ଛାତ୍ରଛାତ୍ରୀ ବିଚଳିତ ହେବାର ଆବଶ୍ୟକତା ନାହିଁ, ସେମାନଙ୍କୁ ଉପଯୁକ୍ତ ମାର୍କ ମିଳିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି ।