ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ

ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ

ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ: ଜିଲ୍ଲାପାଳ


କଟକ(ଏନ୍‌.ଏମ୍‌.): ଶିଶୁ ଶ୍ରମିକ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ବୋଲି ଜିଲ୍ଲାପାଳ ଭବାନୀଶଙ୍କର ଚୟନୀ ପ୍ରକାଶ କରିଛନ୍ତି । ୧୪ ବର୍ଷରୁ କମ ବୟସର ପିଲାଙ୍କୁ କାର୍ଯ୍ୟରେ ନିୟୋଜିତ କରିବା କିମ୍ବା ୧୫ବର୍ଷରୁ ୧୮ବର୍ଷ ମଧ୍ୟରେ କିଶୋରଙ୍କୁ ବିପଦ ସଂଙ୍କୁଳ ବୃତ୍ତି ବା ପ୍ରକ୍ରିୟାରେ ନିୟୋଜନ ଏକ ଦଣ୍ଡନୀୟ ଅପରାଧ ଭାବେ ପରିଗଣିତ ବୋଲି ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା କାର୍ଯ୍ୟାଳୟ ଆନୁକୁଲ୍ୟରେ ଏକ ସଚେତନତା ରଥକୁ ଉଦ୍ଘାଟନ ଅବସରରେ କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି । ସଚେତନତା ଦ୍ୱାରା ହିଁ ଏଭଳି ଏକ ଅମାନବୀୟ କାର୍ଯ୍ୟଧାରାକୁ ପ୍ରତିବାଦ କରାଯିବା ନିତ୍ୟାନ୍ତ ଆବଶ୍ୟକ । କୋମଳମତି ଶିଶୁମାନଙ୍କୁ ରୋଜଗାରର ପ୍ରଲୋଭନ ଦେଖାଇ ନିଜ ମୁନାଫାଖୋର ମନୋବୃତ୍ତିକୁ ଚରିତାର୍ଥ କରିବା ଉଦ୍ଦେଶ୍ୟରେ କିଛି ବ୍ୟବସାୟୀକ ସଂସ୍ଥା ଓ ବ୍ୟକ୍ତି ବିଶେଷ ଏହି ବେଆଇନ କାର୍ଯ୍ୟରେ ଲିପ୍ତଥିବା ଦେଖିବାକୁ ମିଳୁଛି । ଶିଶୁଶ୍ରମିକ ନିୟୋଜନକୁ ଲୋକ ଲୋଚନକୁ ଆଣିବା ପାଇଁ ଆମ ସମସ୍ତଙ୍କ ନୈତିକ ଦ୍ୱାୟିତ୍ୱ ରହିଛି । କେବଳ ଜୋରିମାନା ବା ଜେଲଦଣ୍ଡରେ ଦଣ୍ଡିତ କଲେ ଏଭଳି ବ୍ୟବସ୍ଥାର ଉଚ୍ଛେଦ ହୋଇପାରିବ ତାହା ନୁହେଁ, ବରଂ ସାମାଜିକସ୍ତରରେ ସବୁ ବର୍ଗର ଲୋକମାନଙ୍କ ସହଯୋଗରେ ଏକ ବୈପ୍ଲବିକ ପରିବର୍ତ୍ତନ ଅଣାଯାଇପାରିବ ବୋଲି ସେ ଦୃଢ ଆଶା ପୋଷଣ କରିଥିଲେ ।
ପ୍ରକାଶଥାଉକି ଶିଶୁଶ୍ରମିକ ନିୟୋଜନ କରାଉଥିବା ବ୍ୟକ୍ତିକୁ ବିଧିବ୍ୟବସ୍ଥା ଅନୁଯାୟୀ ପଚାଶ ହଜାର ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବାକୁ ପଡିଥାଏ । ସେହିଭଳି ଶିଶୁ ଓ କିଶୋରଙ୍କୁ ବିପଦ ସଂଙ୍କୁଳ କାର୍ଯ୍ୟରେ ନିୟୋଜନ କରୁଥିଲେ, ଦୁଇବର୍ଷ ଯାଏଁ କାରାଦଣ୍ଡରେ ଦଣ୍ଡିତ କରାଯିବାର ବ୍ୟବସ୍ଥା ମଧ୍ୟ ରହିଛି । ଜନସାଧାରଣଙ୍କ ଜ୍ଞାତସାରରେ ଯଦି କୌଣସି ବ୍ୟକ୍ତି ୧୪ବର୍ଷରୁ କମ ବୟସ ପିଲାଙ୍କୁ କୌଣସି କାର୍ଯ୍ୟରେ ନିୟୋଜନ କରୁଛନ୍ତି କିମ୍ବା ୧୫ ବର୍ଷରୁ ୧୮ ବର୍ଷ ମଧ୍ୟରେ ଥିବା କିଶୋରଙ୍କୁ ବିପଦ ସଙ୍କୁଳ ବୃତ୍ତି ବା ପକ୍ରିୟାରେ ନିୟୋଜନ କରୁଛନ୍ତି ତେବେ ଜିଲ୍ଲାର ଶ୍ରମ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ କିମ୍ବା ଜିଲ୍ଲାପାଳଙ୍କୁ ଅବଗତ କରାନ୍ତୁ । ଏତଦବ୍ୟତୀତ ନିଶୁଳ୍କ ଶ୍ରମିକ ସହାୟତା ହେଲ୍ପଲାଇନ ନମ୍ବର(୧୫୫୩୬୮) ଏବଂ ଚାଇଲ୍ଡଲାଇନ ନମ୍ବର ୧୦୯୮କୁ ଯୋଗାଯୋଗ ପୂର୍ବକ ଏହି କାର୍ଯ୍ୟକୁ ନିରୁତ୍ସାହିତ କରନ୍ତୁ ବୋଲି ଜିଲ୍ଲା ଶ୍ରମ ଓ କର୍ମଚାରୀ ବୀମା ଅଧିକାରୀ ପ୍ରସନ୍ନ କୁମାର ପ୍ରଧାନ ସୂଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ରମରେ ଯୁଗ୍ମ ଶ୍ରମଆୟୁକ୍ତ ମଦନ ମୋହନ ପାଇକ, ଜିଲ୍ଲା ସୂଚନା ଓ ଲୋକ ସଂପର୍କ ଅଧିକାରୀ ଲଲାଟେନ୍ଦୁ ମହାପାତ୍ର, ଶିଶୁ ମଙ୍ଗଳ ସମିତିର ସଭ୍ୟ ଚିତ୍ତରଞ୍ଜନ ମହାନ୍ତି, ଚାଇଲ୍ଡ ଲାଇନ (ସଂଯୋଜକ) ନାରାୟଣ ଶୁକ୍ଲା, ଜିଲ୍ଲା ଶିଶୁ ସୁରକ୍ଷା ମଞ୍ଚର ସଭ୍ୟ-ସଭ୍ୟା, ଶ୍ରମିକ ସଂଗଠନର ସଭ୍ୟ ମନୋରଞ୍ଜନ ମହାରଣାଙ୍କ ସମେତ ଅନ୍ୟାନ୍ୟ ଶ୍ରମିକ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Slider ଅପରାଧ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି