ଶିମିଳିପାଳରେ କଳାବାଘ ଦେଖିବେ ପର୍ଯ୍ୟଟକ; ସଫାରୀ ନେଇ ଘୋଷଣା କଲେ ରାଜ୍ୟ ସରକାର
#ଭୁବନେଶ୍ୱର(ଏନ୍.ଏମ୍.): ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶିମିଳିପାଳ ଅଭୟାରଣ୍ୟରେ କଳାବାଘ ସଫାରୀ ହେବ । ପର୍ଯ୍ୟଟକମାନଙ୍କୁ ସଫାରୀ ଭିତରେ କଳାବାଘ ଦେଖିବାର ନିଆର ସୁଯୋଗ ମିଳିବ । ରାଜ୍ୟ ସରକାର ଏଥିପାଇଁ ପଦକ୍ଷେପ ନେବାକୁ ଯାଉଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସାମାଜିକ ଗଣମାଧ୍ୟମ ‘ଏକ୍ସ’ରେ ଏହି ସୂଚନା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପରିସରରେ କଳାବାଘ ସଫାରୀ କରାଯିବ । ପର୍ଯ୍ୟଟକ ଓ ଦର୍ଶକମାନେ ଏହି ବିରଳ ପ୍ରଜାତିର ବାଘମାନଙ୍କୁ ଦେଖିବାର ସୁଯୋଗ ପାଇପାରିବେ । ଗତ ନଭେମ୍ବର ମାସରେ ପିସିସିଏଫ୍(ବନ୍ୟପ୍ରାଣୀ) ସୁଶାନ୍ତ ନନ୍ଦ ‘ଏକ୍ସ’ ମାଧ୍ୟମରେ ସୂଚନା ଦେଇଥିଲେ ଯେ, ଓଡ଼ିଶାର ଜଙ୍ଗଲରେ କଳାବାଘ ଅଛନ୍ତି । ରାଜ୍ୟ ସରକାରଙ୍କ ପକ୍ଷରୁ ଚାଲିଥିବା ବାଘ ଗଣନା ସମୟରେ କ୍ୟାମେରା ଟ୍ରାପରେ କଳା ରଙ୍ଗର ଏକ କଲରାପତରିଆ ବାଘ ଦେଖିବାକୁ ମିଳିଛି । କିନ୍ତୁ ସେ କେଉଁ ଜଙ୍ଗଲ ଓ କେଉଁ ଜିଲ୍ଲାରେ ଏଭଳି ବିରଳ ପ୍ରଜାତିର ବାଘ ଦେଖିବାକୁ ମିଳିଛି ସେନେଇ ପିସିସିଏଫ୍ କୌଣସି ସ୍ପଷ୍ଟ କରି ନଥିଲେ । ମାତ୍ର ଡିସେମ୍ବର ୨୨ ତାରିଖ ଦିନ ‘ଇଣ୍ଡିଆ ଫରେଷ୍ଟ୍ ସର୍ଭିସ୍ ଅଫିସ’ର୍ ପ୍ରବୀଣ କସ୍ୱାଂ ‘ଏକ୍ସ୍’ରେ ସେୟାର୍ କରିଥିବା ଓଡ଼ିଶାର ଶିମିଳିପାଳରେ ଉଠାଯାଇଥିବା କେତେକ ଦୁର୍ଲଭ କଳାରଙ୍ଗର ମହାବଳ ବାଘ ଫଟୋ ସମ୍ପ୍ରତି ଇଣ୍ଟର୍ନେଟ୍ ବ୍ୟବହାରକାରୀଙ୍କୁ ଚମତ୍କୃତ କରିଥିଲା ବୋଲି କହିଥିଲେ । ଶିମିଳିପାଳର ଏହି କଳାବାଘ ଦେଖାଦେବା ଘଟଣା ପ୍ରଥମେ ୧୯୯୩ରେ ରେକର୍ଡ କରାଯାଇଥିଲା । ୧୯୯୩ ଜୁଲାଇ ୨୧ ତାରିଖ ଦିନ ପୋଡ଼ାଗଡ଼ ଗାଁର ସାଲ୍କୁ ନାଁରେ ଜଣେ ବାଳକ ନିଜ ଜୀବନ ରକ୍ଷା କରିବାକୁ ଧନୁଶରଦ୍ୱାରା ଗୋଟାଏ କଳାବାଘୁଣୀକୁ ମାରିଥିଲା । ଏହି ଦୁର୍ଲଭ ବାଘମାନଙ୍କୁ ପ୍ରଥମେ ୨୦୦୭ରେ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଅଞ୍ଚଳରେ ଔପଚାରିକ ଭାବେ ଆବିଷ୍କାର କରାଯାଇଥିଲା । ସମୟକ୍ରମେ ସେହି ପ୍ରକାରର ଅଧିକ ବାଘ ଥିବା କଥା ରେକର୍ଡ କରାଗଲା । ବିରଳ ଗଣସୂତ୍ର ପରିବର୍ତ୍ତନ ଯୋଗୁଁ ସେମାନଙ୍କ ଦେହର ରଙ୍ଗ କଳା ହେଉଥିବାରୁ ସେମାନଙ୍କ ସଂଖ୍ୟା ମଧ୍ୟ ସ୍ୱଳ୍ପ ।