ଶିଖରପୁର ଟ୍ରାଫିକ ଛକ ପାଲଟିଛି ଦୁର୍ଘଟଣାସ୍ଥଳ: ଅଳ୍ପକେ ବର୍ତ୍ତିଗଲେ ବ୍ଲକ ଶିକ୍ଷାଅଧିକାରୀ
କଟକ(ଏନ୍.ଏମ୍.): ଆଜି ପୂର୍ବାହ୍ନରେ କଟକ ଖାନନଗର ହାଇସ୍କୁଲର ଏକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସୁଥିବାବେଳେ ସଡକ ଦୁର୍ଘଟଣାର ଶିକାର ହୋଇଛନ୍ତି । ସ୍ଥାନୀୟ ଖାନନଗର ସ୍ଥିତ ସରକାରୀ ଉଚ୍ଚବିଦ୍ୟାଳୟରେ ରାଜ୍ୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଚାଲିଛି । ତେବେ ଏହି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ନିଶ୍ଚିନ୍ତକୋଇଲି ମଣ୍ଡଳ ଶିକ୍ଷାଧିକାରୀ ଲକ୍ଷେହୀରା ଲାବଣ୍ୟବତୀ ବେହେରା ଓଡି୦୨ବିଏ୩୧୦୪ନମ୍ବର ବିଶିଷ୍ଟ ହୋଣ୍ଡା ସିଟି କାରରେ ଆସୁଥିଲେ । ୧୬ନମ୍ବର ଜାତୀୟ ରାଜପଥ ଶିଖରପୁର ଟ୍ରାଫିକ ପୋଷ୍ଟ ନିକଟରେ ତାଙ୍କ କାରକୁ ପଛପଟୁ ଏପି୨୧ଟିଏ୫୦୫୪ନମ୍ବର ବିଶିଷ୍ଟ ଏକ ଦଶଚକିଆ ମାଲବୋଝେଇ ଟ୍ରକ ଦ୍ରୁତଗତିରେ ଆସି ଧକ୍କା ଦେଇଥିଲା । ଫଳରେ କାରର ଡାହାଣ ପାଶ୍ୱର୍ ପଛ ଡୋରକୁ ଟ୍ରକଟି ଚାପିଦେବା ଯୋଗୁଁ କାରର ପଛ ଚକା ଫାଟି ଯିବା ସହ ଡିଭାଇଡରରେ ପିଟି ହୋଇ ଯାଇଥିଲା । ଏହି ଦୁର୍ଘଟଣାରେ ବ୍ଲକ ଶିକ୍ଷାଅଧିକାରୀ ଶ୍ରୀମତୀ ବେହେରା ଅଳ୍ପକେ ବର୍ତ୍ତିଯାଇଥିବାବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଦୁର୍ଘଟଣା ଫଳରେ ଉକ୍ତ ଛକରେ କିଛି ସମୟ ପାଇଁ ଯାନବାହନ ଚଳାଚଳ ବାଧା ପ୍ରାପ୍ତ ହୋଇଥିଲା । ଖବର ପାଇ ପିସିଆର ଭ୍ୟାନ ଘଟଣାସ୍ଥଳରେ ପହଞ୍ଚି ଦୁର୍ଘଟଣା ଘଟାଇଥିବା ଟ୍ରକକୁ ଜବତ କରି ଡ୍ରାଇଭରକୁ ଚାଉଳିଆଗଞ୍ଜ ଥାନାରେ ଅଟକ ରଖାଯାଇ ତଦନ୍ତ ଜାରି ରହିଛି । ସୂଚନା ଯୋଗ୍ୟ ଯେ, କଟକ ସହରର ଶିଖର ପୁର ଠାରୁ ମଧୁପାଟଣା ପର୍ଯ୍ୟସ୍ତ ରାସ୍ତା ଦୁର୍ଘଟଣା ଜୋନ ପାଲଟି ଯାଇଥିବା ଚର୍ଚ୍ଚା ହେଉଛି । ଏହି ଅଞ୍ଚଳରେ ବାରମ୍ବାର ଦୁର୍ଘଟଣା ଘଟି ବହୁ ଧନଜୀବନ କ୍ଷତି ହେଉଥିଲେ ମଧ୍ୟ ଏହାର ପ୍ରତିକାର ପାଇଁ ରାଜପଥ ପ୍ରାଧିକରଣ କୌଣସି ପଦକ୍ଷେପ ନନେବା ଯୋଗୁଁ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି । ବିଶେଷ କରି ଏହି ଅଞ୍ଚଳରେ ଅଣ୍ଡରପାସ ନିର୍ମାଣ କରିବା ପାଇଁ ସ୍ଥାନୀୟ ବାସିନ୍ଦା ବାରମ୍ବାର ଦାବି କରୁଥିଲେ ମଧ୍ୟ ଏ ନେଇ ବିଭାଗୀୟ ଉଦାସିନତା ଦେଖିବାକୁ ମିଳିଛି । ଯାହାଦ୍ୱାରା ଏଠାରେ ବାରମ୍ବାର ଦୁର୍ଘଟଣା ହେଉଥିବା ଅଭିଯୋଗ ହୋଇଛି ।