ଶିକ୍ଷକଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ଏବିଇଓ
କଟକ (ଏନ୍.ଏମ୍.): ଜଣେ ଶିକ୍ଷକଙ୍କ ଠାରୁ ଲାଞ୍ଚ ନେଉଥିବାବେଳେ ମୁରିବାହାଲ ଏବିଇଓ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି । ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକର ଏବିଇଓ ଦେବରାଜ ଦାସଙ୍କୁ ସମ୍ବଲପୁର ଭିଜିଲାନ୍ସ ଗିରଫ କରିଛି । ସୂଚନା ଅନୁଯାୟୀ, ୨୦୧୯ ମସିହାରେ ମେଡିକାଲ୍ ଛୁଟିରେ ଥିବା ଚାଉଲଫୁଫୁଡ଼ା ସ୍କୁଲର ଶିକ୍ଷକ ବଇଦ୍ରୁତ ସାହୁ ସ୍ୱାଧୀନତା ଦିବସରେ ଅନୁପସ୍ଥିତ ଥିବା ଯୋଗୁ ମୁରିବାହାଲର ତତ୍କାଳୀନ ବିଇଓ ତାଙ୍କୁ ନିଲମ୍ବନ କରିଥିଲେ । ଏହି ଘଟଣାର ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । ଏହି ଘଟଣାର ତଦନ୍ତ ଅଧିକାରୀ ଥିଲେ ଏବିଇଓ ଦେବରାଜ ଦାସ । ବିଇଓଙ୍କ ନିକଟରେ ଶୀଘ୍ର ରିପୋର୍ଟ ଦାଖଲ କରିବାକୁ ଶିକ୍ଷକ ବଇଦ୍ରୁତ ସାହୁ ଏବିଇଓଙ୍କୁ ଅନୁରୋଧ କରିଥିଲେ । ଏହାପରେ ଏବିଇଓ ତାଙ୍କ ସପକ୍ଷରେ ରିପୋର୍ଟ ଦେବା ପାଇଁ ୧୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଶେଷରେ ୫ହଜାର ଟଙ୍କାରେ ଡିଲ୍ ହୋଇଥିଲା । ବଇଦ୍ରୁତ ଏନେଇ ସମ୍ବଲପୁର ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ । ଭିଜିଲାନ୍ସ ତରଫରୁ ଶିକ୍ଷକଙ୍କୁ କେମିକାଲ ଲଗା ଟଙ୍କା ଦିଆଯାଇଥିଲା । ନିଜ ଅଫିସରେ ଶିକ୍ଷକଙ୍କଠାରୁ ଏବିଇଓ ସେହି ଟଙ୍କା ଗ୍ରହଣ କରୁଥିବା ବେଳେ ପୂର୍ବ ଯୋଜନା ମୁତାବକ ଭିଜିଲାନ୍ସ ଚଢାଉ କରି ଏବିଇଓ ଦେବରାଜ ଦାସଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ନିର୍ଦ୍ଦେଶାଳୟ ପକ୍ଷରୁ ସୂଚନା ଦିଆଯାଇଛି ।