ରୋଷେଇ କରୁଥିବାବେଳେ ଅଗ୍ନିକାଣ୍ଡ: ଘର ସହ ପୋଡ଼ିଯାଇ ମୃତ୍ୟୁବରଣ କଲେ ମହିଳା ୱାର୍ଡ଼ ମେମ୍ବର

ଜଗତସିଂହପୁର(ଏନ୍.ଏମ୍.): ଜଗତପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବିଦ୍ୟାଧରପୁର ପଞ୍ଚାୟତରେ ଜଣେ ମହିଳା ୱାର୍ଡ଼ମେମ୍ବର ପୋଡ଼ିଯାଇ ମୃତ୍ୟୁ ଘଟିବା ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ବିଦ୍ୟାଧରପୁର ଗ୍ରାମପଞ୍ଚାୟତର ୧ନମ୍ବର ୱାର୍ଡରେ ଏହି ଅଭାବନୀୟ ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି । ସୁଚନାନୁଯାୟୀ, ଉକ୍ତ ୱାର୍ଡ଼ର ସୁର ସେଠୀଙ୍କ ପତ୍ନୀ ସରସ୍ୱତୀ ସେଠୀ(୫୨) ଚାଳଛପର ଘରେ ରୋଷେଇ କରୁଥିବା ବେଳେ କୌଣସି କାରଣରୁ ହଠାତ୍ ନିଆଁ ଲାଗିଯାଇଥିଲା । ନିଆଁର ପ୍ରଭାତ ଏତେ ଅଧିକ ଥିଲା ଯେ ସେ ଘରୁ ବାହାରି ପାରିନଥିଲେ । ତେବେ ଚାହୁଁଚାହୁଁ ଘର ଜଳିଯିବା ସହ ସେ ମଧ୍ୟ ଘର ଭିତରେ ପୋଡ଼ିଯାଇଥିଲେ । ତେବେ ଏ ବିଷୟରେ ସୂଚନା ପାଇଁ ଯଥା ସମ୍ଭବ ଅଗ୍ନିଶମ ବାହିନୀ ପହଞ୍ôଚ ନିଆଁ ଆୟତ କରିବା ସହ ଅଧାପୋଡା ଅବସ୍ଥାରେ ତାଙ୍କୁ ଉଦ୍ଧାର କରାଯାଇଥିଲା । ତାଙ୍କର ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ଦମକଳବାହିନୀ ଗାଡ଼ି ସହାୟତାରେ ପ୍ରଥମେ ଜଗତସିଂହପୁର ମୁଖ୍ୟ ଚିକିତ୍ସାଳୟ ଓ ପରେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ତେବେ କଟକରେ ପହଞ୍ôଚବା ପରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ତେବେ ଅଗ୍ନିଶମ ବିଭାଗ ନିଆଁକୁ ଆୟତ୍ତ କରିଥିଲେ ମଧ୍ୟ ସମ୍ପୂର୍ଣ୍ଣ ଘର ପୋଡ଼ି ପାଉଁଶ ହୋଇଯିବା ସହ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଭଷ୍ମିଭୂତ ହୋଇପଡ଼ିଛି । ଏହି ଭୟାବହ ଅଗ୍ନିକାଣ୍ଡରେ ମୃତ୍ୟୁ ବରଣ କରିଥିବା ମହିଳା ସରସ୍ୱତୀ ସେଠୀ ଉକ୍ତ ୱାର୍ଡ଼ର ୱାର୍ଡ଼ମେମ୍ବର ଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଅସ୍ପଷ୍ଟ ଥିବା ବେଳେ ମୃତକଙ୍କ ପରିବାରକୁ ସରକାରୀ ସହାୟତା ଯୋଗାଇ ଦିଆଯିବାକୁ ସ୍ଥାନୀୟ ବାସିନ୍ଦାଙ୍କ ପକ୍ଷରୁ ଦାବି ହେଉଛି ।