ରୁଚିକାଙ୍କୁ ନ୍ୟାୟ ଦାବିରେ ଡଜିପିଙ୍କୁ ସ୍ମାରକପତ୍ର
କଟକ(ଏନ୍.ଏମ୍.): ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତି ମୃତ୍ୟୁ ଘଟଣାକୁ ୧୬ ଦିନ ବିତି ଯାଇଥିବା ବେଳେ ଏହାର ରହସ୍ୟ ଉପର ପରଦା ଉଠାଇ ପାରିନି କମିଶନରେଟ ପୁଲିସ । ରୁଚିକା ମୃତ୍ୟୁ ପାଇଁ ଯେଉଁମାନେ ଦାୟୀ ସେମାନଙ୍କୁ ଧରିବା ବଦଳରେ ବିଭିନ୍ନ ଆଳ ଦେଖାଇ ଦୋଷୀଙ୍କୁ ଘଣ୍ଟ ଘୋଡ଼ାଉଛି ବୋଲି ଅଭିଯୋଗ କରିଛନ୍ତି ରୁଚିକାଙ୍କ ମା’ ବିଦୁଲତା ମହାନ୍ତି ଓ ନବନିର୍ମାଣ ଛାତ୍ର ସଂଗଠନ । ରୁଚିକା ମୃତ୍ୟୁ ର ସଠିକ ତଦନ୍ତ ଦାବିରେ ନବନିର୍ମାଣ ଛାତ୍ର ସଂଗଠନ ସହିତ ବିଦୁଲତାଙ୍କ ପକ୍ଷରୁ ପୁଲିସ ମହାନିର୍ଦଶକଙ୍କ କାର୍ଯ୍ୟଳୟ ସମ୍ମୁଖରେ ଆଜି ପ୍ରତିବାଦ କରିବା ସହ ଅତିରିକ୍ତ ଆଇଜିଙ୍କୁ ଭେଟି ଏକ ଦାବି ପତ୍ର ପ୍ରଦାନ କରିଛନ୍ତି । ଯେଉଁମାନେ ରୁଚିକାକୁ ରାଗିଙ୍ଗ କରୁଥିଲେ ସମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବି କରି ଏହି ସ୍ମାରକପତ୍ର ପ୍ରଦାନ କରାଯାଇଛି । ଅପରପକ୍ଷେ ବିଦୁଲତା ଏହି ପ୍ରସଙ୍ଗରେ ରେଭେନ୍ସାର ଛାତ୍ରନେତାଙ୍କ ସହ ଆଲୋଚନା କରିବା ସହ ଏନେଇ ଆନ୍ଦୋଳନ କରିବା ଲାଗି ନିବେଦନ କରିଛନ୍ତି । ଅପରପକ୍ଷେ ରୁଚିକାକୁ ନ୍ୟାୟ ଦେବା ଆସନ୍ତା ୧୯ ତାରିଖରେ ଓଡ଼ିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ ଛାତ୍ର ସଂଗଠନ ।