ରାସ୍ତା ମାପ ନକରି ଡ୍ରେନକାମକୁ ନେଇ ଜଗତପୁରରେ କୁହୁଳୁଛି ଅସନ୍ତୋଷ
ଲୋକପ୍ରିୟତା ହରାଉଛନ୍ତି ବିଧାୟକ ଓ ତାଙ୍କ ବାପା !
#କଟକ(ଏନ୍.ଏମ୍.): କଟକ ମହାନଗର ନିଗମ ୪୮ନମ୍ବର ୱାର୍ଡ଼ ଅଞ୍ଚଳରେ ରାସ୍ତା ମାପ ନକରି ଡ୍ରେନ କାମ ଆରମ୍ଭକୁ ନେଇ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ କୁହୁଳିବାରେ ଲାଗିଛି । ତେବେ ଶାସକ ଦଳ କର୍ମୀଙ୍କ ଏଭଳି ମେରୀ ରାୟ ନୀତି ଏବଂ ଏହାକୁ ବିଭାଗୀୟ ଅଧିକାରୀମାନେ ସମର୍ଥନ କରୁଥିବାରୁ ସେମାନଙ୍କ ସହ ଅଧିକାରୀ ଓ କର୍ମଚାରୀଙ୍କ ଅସାଧୁ ମେଣ୍ଟ ରହିଥିବା ଅଭିଯୋଗ ଉଠିଛି । ଗୋଟିଏ ପଟେ ଏହି ରାସ୍ତାକୁ ନେଇ ଅଞ୍ଚଳରେ ବହୁ ବାଦ ବିବାଦ ଦେଖାଦେଇଥିଲଶ । ଫଳରେ ଅଞ୍ଚଳବାସୀଙ୍କ ଅଭିଯୋଗ କ୍ରମେ ଟାଙ୍ଗୀ-ଚୌଦ୍ୱାର ତହସିଲ ପକ୍ଷରୁ ଚିଠି ନମ୍ବର ୫୧୩୦ ତା ୧୨.୭.୨୧ରେ ଜଗତପୁର ଆରଆଇ କାର୍ଯାଳୟ, ଅମିନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବାବେଳେ ମହାନଦୀ ନର୍ଥ ଡିଭିଜନ ନିର୍ବାହୀ ଯନ୍ତ୍ରୀ ଏବଂ ସିଏମସିର ଦାୟିତ୍ୱରେ ଥିବା ଅଧିକାରୀ ଉପସ୍ଥିତ ରହିବାକୁ ନୋଟିସ ହୋଇଥିଲା । କିନ୍ତୁ ଏହି ମାପଚୁପ କରାନଯାଇ ଏବେ ମନମୁଖୀ ଭାବେ ରାସ୍ତା କଡ଼ରେ ଡ୍ରେନ ନିର୍ମାଣ ଆରମ୍ଭ ହେବାକୁ ନେଇ ଅଞ୍ଚଳବାସୀ ତିବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି । ଏଥିସହିତ ଶାସକ ଦଳର ଏଭଳି କାର୍ଯ୍ୟକୁ ଆଗାମୀ ଦିନରେ ବିରୋଧ କରାଯିବ ବୋଲି ଅଞ୍ଚଳର ବୁଦ୍ଧିଜୀବୀ ମୁରବୀମାନେ ମଧ୍ୟ ନିଷ୍ପତ୍ତି ନେଇଛନ୍ତି । ତେବେ ଏହି ରାସ୍ତାରେ ଡ୍ରେନ ନିର୍ମାଣକୁ ନେଇ ଗତକାଲି ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଶିଳାନ୍ୟାସ କରିଥିଲେ । ଏପରିକି ଶିଳାନ୍ୟାସ ଉତ୍ସବରେ ସ୍ଥାନୀୟ କର୍ପୋରେଟର ମଧ୍ୟ ଉପସ୍ଥିତ ନଥିବା ଏହି କାମକୁ ନେଇ ଅଞ୍ଚଳବାସୀ ଅସନ୍ତୁଷ୍ଟ ରହିଥିବା ପ୍ରମାଣ ଦେଉଛି । ତେବେ ଶିଳାନ୍ୟାସର କିଛି ସମୟ ପରେ ଅଞ୍ଚଳବାସୀ ଫଳକ ଭାଙ୍ଗି ଦେବା ବିଧାୟକଙ୍କ ଲୋକପ୍ରିୟତା ମଧ୍ୟ ଅଙ୍ଗୁଳି ନିର୍ଦ୍ଦେଶ କରୁଛି । ତଥାପି ବିଭାଗୀୟ ଅଧିକାରୀ ତଥା ବିଧାୟକ ଏ ନେଇ ସମାଧନ କରିବା ପରିବର୍ତ୍ତେ ରାତି ଅଧିଆ କାମ କରାଇବା ଯୋଗୁଁ ଜନସାଧାରଣଙ୍କ ମଧ୍ୟ ଅସନ୍ତୋଷ ଘନେଇବାରେ ଲାଗିଛି । ଫଳରେ ଏହାର ପ୍ରଭାବ ଆଗାମୀ ନିର୍ବାଚନରେ ପଡ଼ିବ ବୋଲି ଅଞ୍ଚଳବାସୀ ସିଧାସିଧା କହିଦେଇଛନ୍ତି । ତେବେ ଏହି ଅଞ୍ଚଳରେ ପୂର୍ବତନ ବିଧାୟକ ଡକ୍ଟର ପ୍ରଭାତ ରଞ୍ଜନ ବିଶ୍ୱାଳ ଏବଂ ତାଙ୍କ ପୁଅ ସୌଭିକ ବିଶ୍ୱାଳ ଦିନକୁ ଦିନ ଲୋକପ୍ରିୟତା ହରାଉଥିବା ଜଣାପଡ଼ିଛି ।