ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଲୋକାର୍ପଣ କଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
ପୁରୀ(ଏନ୍.ଏମ୍.): ପୁରୀସ୍ଥିତ କେନ୍ଦ୍ରୀୟ ସଂସ୍କୃତ ବିଶ୍ୱବିଦ୍ୟାଳୟର ଶ୍ରୀସଦାଶିବ କ୍ୟାମ୍ପସ ପରିସରରେ ଦେଶର ଦ୍ୱିତୀୟ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ଓ ହିନ୍ଦୁ ଅଧ୍ୟୟନ କେନ୍ଦ୍ରକୁ କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଲୋକାର୍ପଣ କରିଛନ୍ତି ।ଆୟୋଜିତ ସଭାରେ ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି, ୨୦୨୨-୨୩ ଶିକ୍ଷା ବର୍ଷରେ ଶ୍ରୀ ସଦାଶିବ କ୍ୟାମ୍ପସ ପରିସରରେ ଆରମ୍ଭ ହେବାକୁ ଯାଉ ଥିବା ବେଦ ବିଦ୍ୟାଳୟରେ ବେଦ ଭୁଷଣ ଚତୁର୍ଥ, ବେଦ ବିଭୂଷଣ ପଞ୍ଚମ ତଥା ବେଦ ବିଭୁଷଣ ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଯୋଗ୍ୟତାକୁ ଆଧାର କରି ପ୍ରବେଶ ଦିଆଯିବ । ଏଥି ସହିତ ଛାତ୍ରମାନଙ୍କ ଆବାସ ଓ ଭୋଜନର ବ୍ୟବସ୍ଥା ଛାତ୍ରାବାସରେ ନିଶୁଳ୍କ ରହିବ । ଏହି ଆଦର୍ଶ ବେଦ ବିଦ୍ୟାଳୟରେ ବୈଦିକ ସଂସ୍କୃତି ଓ ଜ୍ଞାନର ଅନୁରୂପ ଛାତ୍ରମାନେ ନିର୍ଦ୍ଧାରିତ ପାରମ୍ପରିକ ବେଶଭୂଷା ପରିଧାନ ଏବଂ ଉଚ୍ଚ ଅନୁଶାସନରେ ରହି ଅଧ୍ୟୟନ କରିବେ । ଛାତ୍ରମାନଙ୍କୁ ବେଦ ଅଭ୍ୟାସ ସହିତ ସଂସ୍କୃତ, ଯୋଗ, ବିଜ୍ଞାନ, ଗଣିତ, ବୈଦିକ ଗଣିତ, ସାମାଜିକ ବିଜ୍ଞାନ, ଇଂରାଜୀ ଭାଷା, କମ୍ପ୍ୟୁଟର ଓ କୃଷି ବିଦ୍ୟା ଭଳି ବିଷୟରେ ଅଧ୍ୟୟନ ଅଭ୍ୟାସ କରାଯିବ । ଏହାଛଡା କୌଶଳ ଉପରେ ଆଧାରିତ ବିଭିନ୍ନ ପାଠ୍ୟକ୍ରମ ଆରମ୍ଭ କରାଯିବାର ଲକ୍ଷ୍ୟ ରଖାଯାଇଛି । ଅନୁରୂପ ଭାବରେ ଛାତ୍ରମାନେ ଋଗବେଦ, ଯଜୁର୍ବେଦ, ସାମବେଦ ଓ ଅର୍ଥବ ବେଦର ଗୋଟିଏ ଗୋଟିଏ ଶାଖାରେ ଛାତ୍ରମାନଙ୍କ ଉପଲବ୍ଧତା ଆଧାରରେ ପ୍ରବେଶ ଦିଆଯିବ । ଏହାଦ୍ୱାରା ବେଦ ପ୍ରତିଷ୍ଠାରେ ଭାରତରେ ଉଚ୍ଚତର ଜ୍ଞାନ ପରମ୍ପରା ସହିତ ଭାରତର ଉଚ୍ଚତର ମୂଲ୍ୟବୋଧ ଓ ଜୀବନର ବିକାଶ ହୋଇପାରିବ ବୋଲି ମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି । ସେ ପୁଣି କହିଛନ୍ତି ଯେ, ଉଜ୍ଜୟିନୀସ୍ଥିତ ମହର୍ଷି ସନ୍ଦୀପନି ରାଷ୍ଟ୍ରୀୟ ବେଦବିଦ୍ୟା ପ୍ରତିଷ୍ଠାନର ମୁଖ୍ୟ କ୍ୟାମ୍ପସ ବ୍ୟତୀତ ବାହାରେ ୫ଟି ନୂଆ ରାଷ୍ଟ୍ରୀୟ ଆଦର୍ଶ ବେଦ ବିଦ୍ୟାଳୟ ପ୍ରତିଷ୍ଠା ଲାଗି ଲକ୍ଷ୍ୟ ରଖାଯାଇଛି । ଆଗାମୀ ଦିନରେ ଅନ୍ୟ ୩ ଟି ଧାମ ସମେତ ଉତ୍ତର-ପୂର୍ବ ରାଜ୍ୟରେ ଗୋଟିଏ ଲେଖାଏଁ ଆଦର୍ଶ ବେଦ ବିଦ୍ୟାଳୟ ପ୍ରତିଷ୍ଠା କରାଯିବ ।