ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର

ରାଜ୍ୟ ଆଇନ ସେବା ଭବନରେ ଖୋଲିଲା ମଧ୍ୟସ୍ଥତା କେନ୍ଦ୍ର


#କଟକ(ଏନ୍‌.ଏମ୍‌.): ରାଜ୍ୟ ଆଇନ ସେବା ଭବନରେ ମଧ୍ୟସ୍ଥତା କେନ୍ଦ୍ର ଉଦଘାଟିତ ହୋଇଛି । ଆଜି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର ଓ ଜଷ୍ଟିସ ଏ ଏସ ବୋପାନ୍ନାଙ୍କ ଦ୍ୱାରା ଏହା ଉଦଘାଟିତ ହୋଇଯାଇଛି । ଓଡିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଡକ୍ଟର ଏସ ମୁରଲୀଧର ମଧ୍ୟ ଉପସ୍ଥିତ ଥିଲେ । ଗତ ସେପ୍ଟେମ୍ବର ୨୫ରେ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଜଷ୍ଟିସ ଏନଭି ରମଣା ଏହାକୁ ଲୋକାର୍ପିତ କରିଥିଲେ । ଆଇନ ସେବାରୁ ବଞ୍ଚିତ ହେଉଥିବା ଜନସାଧାରଣଙ୍କୁ ଏହି ଭବନ ଆଇନ ସେବା ଯୋଗାଇବ । ମାମଲାରେ ଓକିଲ ଦେଇ ପାରୁ ନଥିବା ପକ୍ଷଙ୍କୁ ଏହି ମଧ୍ୟସ୍ଥତା କେନ୍ଦ୍ର ମାଗଣାରେ ଓକିଲ ଯୋଗାଇବ । ଆଇନ ସେବା ପ୍ରାଧିକରଣର ନିଜସ୍ୱ ବିଲ୍ଡିଂ ହେଉଛି ଆଇନ ସେବା ଭବନ ।
ଓଡ଼ିଶା ଜୁଡିସିଆଲ ଏକାଡେମିରେ ମଧ୍ୟସ୍ଥତା କେନ୍ଦ୍ରର ଉଦଘାଟନୀ ସମାରୋହ ଓ ୪୦ ଘଣ୍ଟିଆ ମଧ୍ୟସ୍ଥତା ଟ୍ରେନିଂ କର୍ମଶାଳା ଆୟୋଜିତ ହୋଇଥିଲା । ହାଇକୋର୍ଟ ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ ମୁରଲୀଧର ଅଭିଭାଷଣରେ କହିଛନ୍ତି ଯେ, ଓଡିଶା ହାଇକୋର୍ଟରେ ପ୍ରଥମ ଥର ପାଇଁ ଦୁଇଟି ସ୍ଥାୟୀ ଲୋକ ଅଦାଲତ ବେଞ୍ଚ ଗଠିତ ହୋଇଛି । ଓଡିଶା ଜନସାଧାରଣଙ୍କୁ ଏହା ସହଜରେ ନ୍ୟାୟ ପ୍ରଦାନରେ ସହାୟକ ହୋଇ ପାରିବ । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏସ ବୋପାନ୍ନା ଏହି କର୍ମଶାଳାରେ ଉପସ୍ଥିତ ଟ୍ରେନର ଓ ଟ୍ରେନିଂ ଆଇନଜୀବୀଙ୍କ ଉଦ୍ଦେଶ୍ୟରେ କହିଥିଲେ ଯେ, ମଧ୍ୟସ୍ଥତା ମାମଲାର ସଂଖ୍ୟା କମାଇବାରେ ସହାୟକ ହେବା ସହ ଉଭୟ ପକ୍ଷଙ୍କୁ ନ୍ୟାୟ ପାଇବାରେ ସାହାଯ୍ୟ କରିବ ।
ଉଦଘାଟନୀ ସମାରୋହର ମୁଖ୍ୟଅତିଥି ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏ ଏମ ଖାନଉଇଲକର କହିଛନ୍ତି ଯେ, ମଧ୍ୟସ୍ଥତା କିଛି ନୂଆ ବ୍ୟବସ୍ଥା ନୁହେଁ । ଯୁଗ ଯୁଗ ଧରି ଏହି ବ୍ୟବସ୍ଥାରେ ନ୍ୟାୟ ପ୍ରଦାନ କରାଯାଉଛି । ବୈଦିକ ଯୁଗରେ ମଧ୍ୟ ମଧ୍ୟସ୍ଥତା ମାଧ୍ୟମରେ ନ୍ୟାୟ ପ୍ରଦାନ କରାଯାଉଥିଲା । ଓଡିଶାକୁ ଏହା ତାଙ୍କର ପଞ୍ଚମ ଗସ୍ତ ବୋଲି ଜଷ୍ଟିସ ଏ ଏମ ଖାନଉଇଲକର କହିଥିଲେ । ଓଡ଼ିଶାର ବାଲେଶ୍ୱର ଓ କଟକରେ ୧୯୫୫ ମସିହାରୁ ମାମଲା ବିଚାରଧୀନ ହୋଇ ରହିଛି । ମଧ୍ୟସ୍ଥତା କେନ୍ଦ୍ର ସଠିକ ଭାବେ କାର୍ଯ୍ୟ କଲେ ଏଭଳି ଚିତ୍ରରେ ପରିବର୍ତ୍ତନ ଆସି ପାରିବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି । ମଧ୍ୟସ୍ଥତା କେନ୍ଦ୍ର କେବଳ ହାଇକୋର୍ଟସ୍ତରରେ କରିଦେଲେ ହେବ ନାହିଁ ତାଲୁକସ୍ତରରେ ମଧ୍ୟ ମଧ୍ୟସ୍ଥତା କେନ୍ଦ୍ର ଖୋଲି ଆପୋଷ ସମାଧାନ ଉଦ୍ୟମ ହେବା ଆବଶ୍ୟକ । କେଉଁ ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଯିବ ତାହା ବିଚାରପତି ମାନେ ହିଁ ସଠିକ ଭାବେ ନିଷ୍ପତ୍ତି ନେଇ ପାରିବେ । ସେହିଭଳି ମାମଲା ମଧ୍ୟସ୍ଥତା କେନ୍ଦ୍ରକୁ ଗଲେ ଜୁଡିସିଆରି ଉପରୁ ଚାପ କମି ପାରିବ । ଓଡ଼ିଶାରେ ମାମଲା ରୁଜୁ କରୁଥିବା ପକ୍ଷମାନେ ମାମଲାକୁ ଅଧିକ ଦିନ ଧରି ଗଡ଼ାଇ ଚାଲିବା ଅପେକ୍ଷା ଆପୋଷ ସମାଧାନ ପାଇଁ ଅଧିକ ଶ୍ରେୟ ମଣିବେ ବୋଲି ଜଷ୍ଟିସ ଏ ଏମ ଖାନଉଇଲକର ମତବ୍ୟକ୍ତ କରିଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜ୍ୟ ଶିକ୍ଷା ଓ ନିଯୁକ୍ତି