ରାଜ୍ୟସଭା ପାଇଁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି

ରାଜ୍ୟସଭା ପାଇଁ ୨ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କଲା ବିଜେଡି


#ଭୁବନେଶ୍ୱର (ଏନ୍‌.ଏମ୍‌.): ଶେଷରେ କଳ୍ପନାଜଳ୍ପନାର ଅନ୍ତ ଘଟାଇ ବିଜେଡି ପକ୍ଷରୁ ଆଜି ରାଜ୍ୟସଭା ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି । ତେବେ ରାଜ୍ୟରୁ ୩ଜଣ ସାଂସଦଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଥିବାବେଳେ ଆଜି ବିଜେଡି ୨ଜଣଙ୍କ ନାମ ଘୋଷଣା କରିଛି । କଟକ ଜିଲ୍ଲା ବିଜେଡି ସଭାପତି ତଥା ବାରବାଟୀ-କଟକର ପୂର୍ବତନ ବିଧାୟକ ଦେବାଶିଷ ସାମନ୍ତରାୟ ଓ ଯୁବ ନେତା ତଥା ବିଜେଡି ରାଜ୍ୟ ଉପସଭାପତି ଶୁଭାଶିଷ ଖୁଣ୍ଟିଆଙ୍କ ନାମ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି । ବିଜେଡି ପକ୍ଷରୁ ଜାରି କରାଯାଇଥିବା ପ୍ରେସ ବିଜ୍ଞପ୍ତି ମୁତାବକ ଏହି ଦୁଇ ଜଣଙ୍କୁ ରାଜ୍ୟସଭା ପଠାଇବାକୁ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଉଲ୍ଲେଖ ଯୋଗ୍ୟ ଯେ, ଓଡ଼ିଶାର ୩ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଓ ଅଶ୍ୱିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଆସନ୍ତା ଏପ୍ରିଲ୍ ୩ରେ ଶେଷ ହେଉଛି । ଏହି ତିନିଟି ଆସନ ପାଇଁ ଫେବ୍ରୁଆରି ୨୭ ତାରିଖରେ ନିର୍ବାଚନ ହେବ । ଆଉ ଆଜି ୨ଟି ଆସନ ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲେ ବି ଆଉ ଜଣଙ୍କ ନାମ ଘୋଷଣା ହୋଇନାହିଁ । କୁହାଯାଉଛି ଯେ, ଆସନ୍ତାକାଲି ଆଉ ଜଣେ ପ୍ରାର୍ଥୀଙ୍କ ନାମ ଘୋଷଣା କରି ବିଜେଡି ସୁପ୍ରିମୋ ସମସ୍ତଙ୍କୁ ଚମକାଇ ଦେଇପାରନ୍ତି । ଅମର ପଟ୍ଟନାୟକ ଓ ପ୍ରଶାନ୍ତ ନନ୍ଦ ବିଜେଡିରୁ ଏବଂ ବିଜେଡି ସମର୍ଥନରେ ବିଜେପି ପ୍ରାର୍ଥୀ ଅଶ୍ୱିନୀ ବୈଷ୍ଣବ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ । ବର୍ତ୍ତମାନ ବିଧାନସଭାରେ ସଂଖ୍ୟା ଦୃଷ୍ଟିରୁ ବିଜେଡି ୩ଟି ଯାକ ଆସନ ଦଖଲ କରିବାରେ ଆପାତତଃ କୌଣସି ସମସ୍ୟା ନଥିବା କୁହାଯାଉଛି । ଏବେ ବିଧାନସଭାରେ ବିଜେଡିର ୧୦୯ ଜଣ ବିଧାୟକ ଥିଲା ବେଳେ ବିଜେପିର ୨୨, କଂଗ୍ରେସର ୯, ସିପିଆଇ(ଏମ୍‌)ର ଜଣେ ବିଧାୟକ ଅଛନ୍ତି । ଏହା ବାଦ୍ ୫ ଜଣ ସ୍ୱାଧୀନ ବିଧାୟକ ଅଛନ୍ତି, ଯେଉଁମାନଙ୍କ ମଧ୍ୟରେ ୪ ଜଣ ବିଜେଡିରୁ ବହିଷ୍କୃତ ହୋଇଛନ୍ତି । ସୂର୍ଯ୍ୟନାରାୟଣ ପାତ୍ରଙ୍କ ପରଲୋକ ପରେ ଗୋଟିଏ ଆସନ ଖାଲି ରହିଛି । ତେବେ ତୃତୀୟ ପ୍ରାର୍ଥୀଙ୍କ ନାମକୁ ନେଇ ଚାଲିଛି ଅଙ୍କକଷା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ