ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳଙ୍କ ଦ୍ୱାରା ଉଦଘାଟିତ
ରାଇରଙ୍ଗପୁର(ଏନ୍.ଏମ୍.): ମୟୂରଭଞ୍ଜ ଜିଲ୍ଲାପାଳ ବିନୀତ ଭରଦ୍ୱାଜ ଚାଷୀମାନଙ୍କ ଠାରୁ ଧାନ କିଣିବା ପାଇଁ ପ୍ରଥମ ଥର ପାଇଁ ଧାନମଣ୍ଡି ଖୋଲିବା ନିର୍ଦ୍ଦେଶ ଅନୁସାରେ ଆଜି ରାଇରଙ୍ଗପୁର ଲ୍ୟାମ୍ପରେ ଧାନମଣ୍ଡି ଉପଜିଲ୍ଲାପାଳ ସରୋଜ ଦାସଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି । ଏହି ଶୁଭାରମ୍ଭ ଅବସରରେ ଏସାଆରସିଏସ ରାମଚନ୍ଦ୍ର ବିଶ୍ୱାଳ, ଏସଆରସିଏସ ମନୋରଞ୍ଜନ ବେହେରା, ଅତିରିକ୍ତ ଯୋଗାଣ ଅଧିକାରୀ ସାରଙ୍ଗ ଧର ବେହେରା, ରାଇରଙ୍ଗପୁର ଲ୍ୟାମ୍ପ ଅଧ୍ୟକ୍ଷ ସୁଗଦା ମାରାଣ୍ଡି, ଆରସିଏମଏସ ସମ୍ପାଦକ ହେମନ୍ତ ନାଏକ, ଦୀନେଶ ବେହେରା, ଲ୍ୟାମ୍ପ ମୁଖ୍ୟ ପରିଚାଳିକା ଲୋପାମୁଦ୍ରା ମହାନ୍ତ, ସଞ୍ଜିତ ବାରିକ, ଆଶୁତୋଷ ମହାନ୍ତ, ରୂପାଲି ମହାନ୍ତ, କୃଷ୍ଣ ମହାନ୍ତ, ଇନ୍ଦ୍ରଜିତ ବାରିକ, ବିଶ୍ୱ କଳ୍ପିତା ମହାନ୍ତଙ୍କ ସମେତ ବହୁ ଚାଷୀ ଉପସ୍ଥିତ ଥିଲେ । ପୂଜକ ଶିବ ଦାସ ପୂଜାର୍ଚ୍ଚନା କରିଥିଲେ । ମୁଖ୍ୟଅତିଥି ଉପଜିଲ୍ଲାପାଳ ସରୋଜ ଦାସ ଅନ୍ନଦାତାମାନଙ୍କୁ ନବ ବର୍ଷର ଶୁଭେଚ୍ଛା ଜଣାଇବା ସହ ଧାନ କ୍ରୟ ସରକାରଙ୍କ ନିୟମାବଳୀ ସୂଚାଇ ଥିଲେ । ଚାଷୀ ହସିଲେ ଦେଶ ହସିବ । ଚାଷୀ ତା’ର ବହୁ କଷ୍ଟଲବ୍ଧ ଫସଲର ଉଚିତ ଦର ପାଉ ତାହା ସରକାର ଚାହାନ୍ତି । ଚାଷୀଙ୍କ ପାଇଁ ସରକାରଙ୍କ ଦୁଆର ସବୁବେଳେ ଖୋଲା । ଏଫଏକ୍ଜୁ ଧାନ ସକାଳ ୮ ଠାରୁ ଅପରାହ୍ନ ୨ ଘଟିକା ମଧ୍ୟରେ ଧାନ ଆଣିବା, ପଞ୍ଜିକୃତ ଚାଷୀ ମେସେଜ ଅନୁସାରେ ଅଫିସ ସହ ଯୋଗାଯୋଗ କରି ଧାନ ଆଣିବା, ପ୍ଳାଷ୍ଟିକ ଅଖା ପରିବର୍ତ୍ତେ ଝୋଟ ଅଖା ବସ୍ତାରେ ଧାନ ଆଣିବା, ପରିଷ୍କାର, ପରିଛନ୍ନ ଓ ଶୁଖିଲା ଧାନ ଆଣିବା ଉପରେ ଗୁରୁତ୍ୱ ଦେଇଥିଲେ । ଚାଷୀ ଅସୁବିଧା ଅନୁଭବ କଲେ ସେମାନଙ୍କୁ ବିଡ଼ିଓ, ତହସିଲଦାର, ଯୋଗାଣ ବିଭାଗ ଅଧିକାରୀ ଏସିଆରସିଏସ, ଲ୍ୟାମ୍ପ କର୍ମଚାରୀମାନେ ପୁର୍ଣ୍ଣ ସହଯୋଗ କରିବେ ବୋଲି କହିଥିଲେ । ଲ୍ୟାମ୍ପ ପକ୍ଷରୁ ଟୋକନ ଓ ପରିମାଣ ସୂଚନା ଦିଆଯିବ । ରାଇରଙ୍ଗପୁର ଲ୍ୟାମ୍ପରେ ୧୧୪୫ ଜଣ ପଞ୍ଜିକୃତ ଚାଷୀଙ୍କ ଧାନ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା କିଣାଯିବ । ତେଣୁ ଚାଷୀ ପ୍ରସ୍ତୁତ ହୋଇ ଆସିଲେ ଅସୁବିଧା ହେବ ନାହିଁ ବୋଲି କହିଥିଲେ । ଧାନମଣ୍ଡି ଉଦଘାଟନ ଅବସରରେ ଯୋଗ ଦେଇଥିବା ସମସ୍ତ ସରକାରୀ କର୍ମଚାରୀ ଏବଂ ଚାଷୀଙ୍କୁ ଏସିଆରସିଏସ ରାମଚନ୍ଦ୍ର ବିଶ୍ୱାଳ କୃତଜ୍ଞତା ଜଣାଇଥିଲେ ।