ଯୋବ୍ରା ଅଞ୍ଚଳରେ ହିତାଧିକାରୀଙ୍କୁ ମଶାରୀ ବଣ୍ଟନ
କଟକ(ଏନ୍.ଏମ୍.): କଟକରେ ଡେଙ୍ଗୁ ସଂକ୍ରମଣ ଦେଖାଯିବା ପରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତ୍ୱରିତ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାପ୍ରଶାସନ, ଜିଲ୍ଲା ସ୍ୱାସ୍ଥ୍ୟବିଭାଗ ଓ କଟକ ମହାନଗର ନିଗମ ପକ୍ଷରୁ ସମସ୍ତ ବସ୍ତିବାସିନ୍ଦା ତଥା ଗରିବ ଲୋକମାନଙ୍କୁ ଔଷଧିୟ ମଶାରୀ ପ୍ରଦାନ କରାଯାଇଛି । ଏହି ମଶାରୀ ବ୍ୟବହାର ଦ୍ୱାରା ମଶା କାମୁଡ଼ାରୁ ଲୋକେ ବର୍ତ୍ତି ପାରିବେ ବୋଲି କୁହାଯାଇଛି । ଆଜି ଏହି ପରିପ୍ରେକ୍ଷୀରେ ସିଏମସି ଅନ୍ତର୍ଗତ ୪୦ ନମ୍ବର ୱାର୍ଡ଼ ଯୋବ୍ରା ଠାରେ ୪ଶହ ଲୋକଙ୍କୁ ଏହି ମଶାରୀ ପ୍ରଦାନ କରାଯାଇଥିଲା । ସ୍ଥାନୀୟ ଯୋବ୍ରାସ୍ଥିତ ପତିତପାବନ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚୌଦ୍ୱାର-କଟକ ପୂର୍ବତନ ବିଧାୟକ ତଥା ଓଡ଼ିଶା ମୋ ପରିବାର ଜୀବନବିନ୍ଦୁ ସଂଯୋଜକ ପ୍ରଭାତ ରଞ୍ଜନ ବିଶ୍ୱାଳ ଯୋଗଦେଇ ମଶାରୀ ବିତରଣ କରିବା ସହ ଡେଙ୍ଗୁ, ମ୍ୟାଲେରିଆରୁ ସୁରକ୍ଷା ପାଇବାକୁ ହେଲେ ନିଜେ ସଚେତନ ରହିବା ଆବଶ୍ୟକ ବୋଲି କହିଥିଲେ । ନିଜର ଆବାସ ସ୍ଥାନର ପରିବେଶକୁ ପରିଚ୍ଛନ୍ନ ରଖିବା ପାଇଁ ସେ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ସ୍ଥାନୀୟ ୱାର୍ଡ଼ର ପୂର୍ବତନ କର୍ପୋରେଟର ଜୟଦେବ ଜେନା ଯୋଗଦେଇ ଅଞ୍ଚଳକୁ ପରିଷ୍କାର ରଖିବା ସହିତ ସ୍ୱଚ୍ଛସାଥୀମାନେ ନିୟମିତ ଆବର୍ଜନା ପରିଚାଳନା କରିବା ଉପରେ ଗୁରୁତ୍ୱ ଦେଇଥିଲେ । ତେବେ ଏହି ମଶାରୀକୁ ସିଧା ଘରେ ରଖିନଦେଇ ନିୟମିତ ବ୍ୟବହାର କରିବାକୁ ଶ୍ରୀ ଜେନା ଲୋକଙ୍କୁ ବୁଝାଇଥିଲେ । କାର୍ଯ୍ୟକ୍ରମକୁ ସ୍ୱାସ୍ଥ୍ୟକର୍ମୀ ଧରିତ୍ରୀ ବେହେରା, ଅଙ୍ଗନୱାଡ଼ି କର୍ମୀ ମମତା ପାଲ, ଆଶା କର୍ମୀ ଛବିରାଣୀ ଦାସ, ଅଙ୍ଗନୱାଡ଼ି ସହାୟିକା ଭାରତୀ ଜେନା ପ୍ରମୁଖ ପରିଚାଳନା କରିଥିଲେ । ତେବେ ଆଗାମୀ ଦିନରେ ଏହି ଅଞ୍ଚଳରେ ରହିଯାଇଥିବା ବ୍ୟକ୍ତିଙ୍କୁ ସରକାରଙ୍କ ପ୍ରଦତ୍ତ ଏହି ଔଷଧିୟ ମଶାରୀ ବିତରଣ କରାଯିବ ବୋଲି ପୂର୍ବତନ ବିଧାୟକ ଶ୍ରୀ ବିଶ୍ୱାଳ କହିଛନ୍ତି ।