ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ଝୁଲନ୍ତା ଅବସ୍ଥାରେ ଶବ ଜବତ କଲା ପୁଲିସ

ଟାଙ୍ଗୀ-ଚୌଦ୍ୱାର(ଏନ୍.ଏମ୍.): ଚୌଦ୍ୱାର ଥାନା ଅଞ୍ଚଳରେ ଆଜି ଜଣେ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ତେବେ ଖବର ପାଇ ଚୌଦ୍ୱାର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କ ଝୁଲନ୍ତା ମୃତ ଦେହକୁ ଉଦ୍ଧାର କରିବା ସହ ବ୍ୟବଚ୍ଛେଦ ନିମନ୍ତେ କଟକ ବଡ଼ଡାକ୍ତରଖାନା ପଠାଇଛି । ଏ ନେଇ ଚୌଦ୍ୱାର ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ।
ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳୁ ସକାଳୁ ଚୌଦ୍ୱାରଥାନା ଅନ୍ତର୍ଗତ ଇନ୍ଦ୍ରାଣୀପାଟଣା ଅଞ୍ଚଳରେ ଥିବା ତୋଟାରେ ଗଛରେ ଜଣେ ଯୁବକ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା । ଉକ୍ତ ଯୁବକ ଜଣକ ବେକରେ ରସି ଲାଗିଥିବାବେଳେ ତାହା ଗଛ ଡାଳରେ ଝୁଲୁଥିବା ସ୍ଥାନୀୟ ଲୋକେ ଦେଖି ଚୌଦ୍ୱାର ଥାନାକୁ ଖବର ଦେଇଥିଲେ । ତେବେ ଉକ୍ତ ଯୁବକ ଜଣ ଆତ୍ମହତ୍ୟା କରିଥିବା କୁହାଯାଉଥିବାବେଳେ ଆଉ କେହି କେହି ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି କହିଛନ୍ତି । ତେବେ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିଥିଲେ ମଧ୍ୟ ଚୌଦ୍ୱାର ଥାନା ପୁଲିସ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି । ତେବେ ମୃତକ ଜଣକ ଟାଙ୍ଗୀ ଅଞ୍ଚଳ ଆଞ୍ଜୁଆ ଗ୍ରାମର ଅବକାଶ ପ୍ରଧାନ(୨୨) ବୋଲି ଜଣାପଡ଼ିଛି । ସେ ଚୌଦ୍ୱାର ଇନ୍ଦ୍ରାଣୀପାଟଣା ପଞ୍ଚାୟତରେ ଥିବା ଏକ ଘରୋଇ କମ୍ପାନରେ କାଯ୍ୟ କରୁଥିଲା । ଗତକାଲି ରାତି ୧୦ଟା ବେଳେ କମ୍ପାନୀରୁ ବାହାରକୁ ଆସିଥିବାବେଳେ ଅବକାଶ ଘରକୁ ପଳାଇଯାଇଥିବା ସହକର୍ମୀମାନେ ଭାବିଥିବା କହିଥିଲେ । ହେଲେ ଆଜି ସକାଳୁ କମ୍ପାନୀ ନିକଟରେ ଥିବା ଏକ ଆମ୍ବଗଛରେ ଯୁବକଟି ଝୁଲୁଥିବା ଦେଖିବାକୁ ମିଳିଥିଲା । ତେବେ ମୃତ ଯୁବକ ଜଣକ ଝୁଲୁଥିବା ଅଞ୍ଚଳରେ ଭଙ୍ଗା ମଦବୋତଲ, କିଛି ଚାଖଣା ସାମଗ୍ରୀ ମଧ୍ୟ ପଡ଼ିଥିବା ଦେଖିବାକୁ ମିଳିଥିଲା; ଯାହା ତାଙ୍କ ମୃତ୍ୟୁକୁ ଅଧିକ ସନ୍ଦେହ ଘେରକୁ ଟାଣି ଆଣିଛି । ତେବେ ଖବର ପାଇ ଯୁବକର ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଶବ ଚିହ୍ନଟ କରିଥିବାବେଳେ ଏହା ଏକ ସୁକଳ୍ପିତ ହତ୍ୟାକାଣ୍ଡ ବୋଲି ଅଭିଯୋଗ କରିଛନ୍ତି । ତେଣୁ ତଦନ୍ତ ପରେ ପ୍ରକୃତ ରହସ୍ୟ ଜଣାପଡ଼ିବ ବୋଲି ଚୌଦ୍ୱାର ଥାନା ଆଇଆଇସି ବିରଞ୍ଚିନାରାୟଣ ପତି ପ୍ରକାଶ କରିଛନ୍ତି ।