ଯୁକ୍ତ ଦୁଇ ଶେଷ ବର୍ଷ ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ
ଭୁବନେଶ୍ୱର(ଏନ୍.ଏମ୍.): ଚଳିତ ବର୍ଷ +୨ ଶେଷ ବର୍ଷର ପ୍ରୋଜେକ୍ଟ ପେପର ହ୍ୱାଟସ୍ ଆପରେ ସବମିଟ୍ ହେବ । ତେବେ ଏହା ସବୁ ବିଭାଗ ଛାତ୍ରଛାତ୍ରୀଙ୍କ ପାଇଁ ଲାଗୁ ହେବନାହିଁ । ଇଣ୍ଡିଆନ ମ୍ୟୁଜିକ, ଡ୍ୟାନ୍ସ, ଡ୍ରାମା, ମ୍ୟୁଜିକ ଇନ୍ଷ୍ଟ୍ରୁମେଣ୍ଟ, ଗୀତ ବିଭାଗର ଛାତ୍ରଛାତ୍ରୀଙ୍କ ପାଇଁ ଏହା ଲାଗୁ ହୋଇଛି । ଏହି ବିଭାଗୀୟ ଛାତ୍ରଛାତ୍ରୀ ନିଜ ନିଜର ଅଡିଓ ଏବଂ ଭିଡିଓ କ୍ଲିପ କରି ବିଭାଗୀୟ ଅଧ୍ୟାପକଙ୍କୁ ପଠାଇବେ । ଅଡିଓ ଏବଂ ଭିଡିଓ କ୍ଲିପର ଅବଧି ୩ ରୁ ୫ ମିନିଟ୍ ରହିବ । ଏହାରି ଆଧାରରେ ସେମାନଙ୍କୁ ପ୍ରାକ୍ଟିକାଲ ବା ପ୍ରୋଜେକ୍ଟ ମାର୍କ ଦିଆଯିବ । ଏ ସବୁ ବିଷୟରେ ପ୍ରୋଜେକ୍ଟ ପେପର ବ୍ୟବସ୍ଥା ନଥିବାରୁ ଏଭଳି ପଦ୍ଧତି ଅପଣାଇବାକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବିଜ୍ଞପ୍ତି ପ୍ରକାଶ କରିଛି ।
ସୂଚନାଯୋଗ୍ୟ, ସମ୍ପ୍ରତି କରୋନା ମହାମାରୀ କାୟା ବିସ୍ତାର କରୁଥିବାରୁ ଚଳିତ ବର୍ଷ ହେବାକୁ ଥିବା ମାଟ୍ରିକ, ଯୁକ୍ତ ୨ ପରୀକ୍ଷା ଆଦି ବାତିଲ କରାଯାଇଥିଲା । ମାଟ୍ରିକ ରେଜଲ୍ଟ ବାହାରି ସାରିଥିବାବେଳେ ଚଳିତ ମାସ ଶେଷ ସୁଦ୍ଧା ଯୁକ୍ତ ୨ରେଜଲ୍ଟ ବାହାରିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ସୂଚନା ଦେଇଛନ୍ତି । ଗତ ବର୍ଷ ଅପେକ୍ଷା ଚଳିତ ବର୍ଷ ଯୁକ୍ତ ୨ରେ ମୋଟ ପାସ୍ ହାର ୯୦ ପ୍ରତିଶତରୁ ଅଧିକ ରହିବ ବୋଲି ମୂଲ୍ୟାୟନ ପ୍ରକ୍ରିୟା ଉପରେ ସିଏଚ୍ଏସ୍ଇ ପରୀକ୍ଷା ନିୟନ୍ତ୍ରକ ବିଜୟ ସାହୁ ମତ ବ୍ୟକ୍ତ କରିଛନ୍ତି । ସେ କହିଛନ୍ତି, ମାଟ୍ରିକ୍ ପରୀକ୍ଷାରେ ଛାତ୍ରଛାତ୍ରୀ ଯେତିକି ମାର୍କ ରଖିଥାନ୍ତି, ସାଧାରଣତଃ ଯୁକ୍ତ ୨ରେ ସେମାନଙ୍କ ମଧ୍ୟରୁ ଅଧିକାଂଶ ପିଲାଙ୍କର ମାର୍କ କମିଯାଇଥାଏ । ତେବେ ଏଥର ଯେଉଁ ବିକଳ୍ପ ପଦ୍ଧତିରେ ମୂଲ୍ୟାୟନ କରାଯାଉଛି, ସେଥିରେ ଛାତ୍ରଛାତ୍ରୀଙ୍କ ମାର୍କ ଦଶମ ଶ୍ରେଣୀ ମାର୍କ ପାଖାପାଖି କିମ୍ବା ତାଠାରୁ ଅଧିକ ରହିବ । ସେହିପରି ପ୍ରଥମ ଓ ଦ୍ୱିତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ପାସ୍ ହାର ମଧ୍ୟ ଗତବର୍ଷ ତୁଳନାରେ ଅଧିକ ରହିବ ।