ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର

ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର

ମୋର୍ବି ଟ୍ରାଜେଡି ପରେ ଏବେ ଧବଳେଶ୍ୱର ଝୁଲାପୋଲରେ ନଜର
ଥମୁନି ବିବାଦ, ପ୍ରଶାସନ ସହ ସହମତ ନୁହନ୍ତି ସେବାୟତ ଓ ଶ୍ରଦ୍ଧାଳୁ

News by Smruti Ranjan & Maheswar (Athagarh)

ଆଠଗଡ଼(ଏନ୍‍.ଏମ୍‍.): ଗୁଜୁରାଟ ମୋର୍ବି ସହର ଝୁଲାପୋଲ ଟ୍ରାଜେଡି ପରେ ଏବେ ସମସ୍ତଙ୍କ ନଜର କଟକ ଜିଲ୍ଲା ଆଗଠଡ଼ ବ୍ଲକ ପବିତ୍ର ଶୈବପୀଠ ଧବଳେଶ୍ୱରଙ୍କ ଉପରେ । ଏଠାରେ ମଧ୍ୟ ବାବାଧବଳେଶ୍ୱରଙ୍କ ମନ୍ଦିରକୁ ଯିବା ପାଇଁ କୌଣସି ବିକଳ୍ପ ରାସ୍ତା ନଥିବାବେଳେ ଝୁଲାପୋଲ ଏକମାତ୍ର ମାଧ୍ୟମ ସାଜିଥିଲା । ତେବେ ଏହି ଝୁଲାପୋଲ କ୍ରମଶଃ ଦୁର୍ବଳ ହୋଇଥିବା ବିଶେଷଜ୍ଞ ଟିମ ସୂଚନା ଦେବାପରେ ଏହାର ମରାମତି କାର୍ଯ୍ୟ ଆରମ୍ଭ ହୋଇଛି । ଏଥିପାଇଁ ଜିଲ୍ଲାପ୍ରଶାସନ ପକ୍ଷରୁ ୧୪୪ଧାରା ଜାରି ହେବା ସହ ଧବଳେଶ୍ୱର ପୀଠକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କୁ ବାରଣ କରାଯାଇଛି । ତେବେ ଏ ନେଇ ବହୁ ବାଦବିବାଦ ମଧ୍ୟ ସୃଷ୍ଟି ହୋଇଛି । ସମ୍ପ୍ରତି କାର୍ତ୍ତିକମାସ ଚାଲିଥିବାବେଳେ ବାବା ଧବଳେଶ୍ୱରଙ୍କ ବଡ଼ଓଷା ପାଳନ ହେବ । ଆଉ ମାତ୍ର ୪ଦିନ ପରେ ବାବାଙ୍କ ପୀଠରେ ପବିତ୍ର ବଡ଼ଓଷା ପାଳନହେବାକୁ ଥିବାବେଳେ ଶ୍ରଦ୍ଧାଳୁଙ୍କ ଦର୍ଶନ ବାରଣ କରାଯିବା ଜନସାଧାରଣଙ୍କୁ ହଜମ ହୋଇ ପାରିନାହିଁ । ତେବେ ଶ୍ରଦ୍ଧାଳୁଙ୍କ ଭାବାବେଗ ଉପରେ କୌଣସି ସମସ୍ୟା ସୃଷ୍ଟି ନକରି କିଭଳି ଜିରୋ କାଜୁଆଲିଟି ରହିବ ସେ ନେଇ ଜିଲ୍ଲାପ୍ରଶାସନ ବିକଳ୍ପ ବ୍ୟବସ୍ଥା ଚିନ୍ତା କରିଛି । ବିଶେଷ କରି ଜିଲ୍ଲାପାଳ ଡକ୍ଟର ଭବାନୀଶଙ୍କର ଚୟନୀ ଧବଳେଶ୍ୱରଙ୍କ ପୀଠରେ କୌଣସି ଅଘଟଣ ନଘଟିବା ଉପରେ ଗୁରୁତ୍ୱ ଦେବା ସହ ଶ୍ରଦ୍ଧାଳୁଙ୍କ ପାଇଁ କି ବ୍ୟବସ୍ଥା କରାଯାଇ ପାରିବ ସେ ନେଇ ଆଜି ପୀଠକୁ ପରିଦର୍ଶନ କରିବା ସହ ବିଭାଗୀୟ ପଦାଧିକାରୀଙ୍କ ସହ ଦୀର୍ଘ ସମୟ ଆଲୋଚନା କରିଥିଲେ ।
ଜୀବନ ଆଗ ନ୍ୟାୟରେ ଝୁଲାପୋଲର ଦୁର୍ବଳ ସ୍ଥିତିକୁ ଦେଖି ଶ୍ରଦ୍ଧାଳୁମାନଙ୍କୁ ମନ୍ଦିରକୁ ନଯିବା ପାଇଁ ପରାମର୍ଶ ଜିଲ୍ଲାପାଳ ଦେଇଛନ୍ତି । କିନ୍ତୁ ଧର୍ମୀୟ ଭାବନା ଯେଭଳି ପ୍ରଭାବିତ ନହେବ ସେ ନେଇ ଚଳିତ ବର୍ଷ ଭର୍ଚ୍ଚୁଆଲ ମାଧ୍ୟମରେ ଶ୍ରଦ୍ଧାଳୁମାନେ ବାବାଙ୍କ ପୂଜା କରିବେ ବୋଲି ଜିଲ୍ଲାପାଳ ଡକ୍ଟର ଚୟନୀ କହିଛନ୍ତି । ୨୦୦୬ ମସିହାରୁ ଏହି ସେତୁ ଉଦ୍‍ଘାଟନ ହୋଇଥିବାବେଳେ ଇତି ମଧ୍ୟରେ ୧୫ବର୍ଷ ଅତିକ୍ରାନ୍ତ ହୋଇ ସାରିଲାଣି । ତେଣୁ ଲୁହା ତିଆରି ସେତୁ କ୍ରମଶଃ ଦୁର୍ବଳ ହେବା ସ୍ୱାଭାବିକ । ତେଣୁ ଏହାକୁ ଯେବେ ମରାମତି କରାଯାଇଥାନ୍ତା ସେତେବେଳେ ମଧ୍ୟ ସେତୁ ବନ୍ଦ ରହିଥାନ୍ତା । ତେଣୁ କୌଣସି ଅଘଟଣ ଘଟିବା ପୂର୍ବରୁ ଏହି ସେତୁ ମରାମତି ହୋଇଯିବା ଆବଶ୍ୟକ । ଏଥି ନିମନ୍ତେ ସମସ୍ତ ଶ୍ରଦ୍ଧାଳୁ, ଅଞ୍ଚଳବାସୀ, ବୁଦ୍ଧିଜୀବୀ ସହଯୋଗ କରିବା ଆବଶ୍ୟକ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ପୁନଶ୍ଚ ଧବଳେଶ୍ୱରଙ୍କ ଯାତ୍ରା ଉପରେ ନିର୍ଭରକରୁଥିବା ବ୍ୟବସାୟୀମାନେ ମଧ୍ୟ ନିରାଶ ହେବାକୁ ପଡ଼ିବ ନାହିଁ । ସେତୁ ଚଢ଼ିବାକୁ ଦିଆନଗଲେ ମଧ୍ୟ ସେତୁର ଏହି ପଟରେ ରହି ଏଲଇଡ଼ି ଡିସପ୍ଲେ ଜରିଆରେ ଶ୍ରଦ୍ଧାଳୁ ବାବାଙ୍କ ଦର୍ଶନ କରିବା ସହ ଭର୍ଚ୍ଚୁଆଲ ମାଧ୍ୟମରେ ପାଣି ଢାଳିପାରିବେ । ତେବେ ଶ୍ରଦ୍ଧାଳୁମାନେ କେଉଁ ପର୍ଯ୍ୟନ୍ତ ଆସିପାରିବେ ସେ ନେଇ ପୁଲିସ ପ୍ରଶାସନ ବ୍ୟବସ୍ଥା କରିବ ବୋଲି ଜିଲ୍ଲାପାଳ କହିଛନ୍ତି । ତେବେ ଏହାକୁ ଅଞ୍ଚଳବାସୀ ନାପସନ୍ଦ କରିଛନ୍ତି । ଜିଲ୍ଲାପାଳ ମନଇଚ୍ଛା କାମ କରିବା ଅତ୍ୟନ୍ତ ଦୁର୍ଭାଗ୍ୟ ଜନକ ବୋଲି ବାବା ଧବଳେଶ୍ୱରଙ୍କ ସେବାୟତମାନେ କହିଛନ୍ତି । ପୂର୍ବ ମିଟିଂରେ ଧବଳେଶ୍ୱରକୁ ଶ୍ରଦ୍ଧାଳୁଙ୍କ ଆଗମନ ନିମନ୍ତେ ଡଙ୍ଗା ବ୍ୟବହାର କରିବାକୁ ନିଷ୍ପତ୍ତି ନିଆଯାଇଥିଲା । ଯଦି ଶ୍ରଦ୍ଧାଳୁ ଚାହିଁବେ ଡଙ୍ଗାରେ ବାବାଙ୍କ ପୀଠକୁ ଯାଇ ପାରିବେ । ହେଲେ ଏବେ ଜିଲ୍ଲାପାଳ ହଠାତ ନିଷ୍ପତ୍ତି ବଦଳାଇଦେଲେ କହିଲେ ଭର୍ଚ୍ଚୁଆଲ ପୂଜା କରାଯିବ । କିନ୍ତୁ ଏହି ସେତୁର ରକ୍ଷଣାବେକ୍ଷଣ ପାଇଁ ପ୍ରତିବର୍ଷ ଟଙ୍କା ଆସୁଥିବାବେଳେ ଏହାକୁ କାହିଁକି ସଦ୍‍ବ୍ୟବହାର କରାଗଲା ନାହିଁ । କାହିଁକି ସେତୁ ଏତେ ଦୁର୍ବଳ ହେବା ପର୍ଯ୍ୟନ୍ତ ରହିଲା ସେ ବିଷୟରେ ଜିଲ୍ଲାପାଳ ତଦନ୍ତ ନକରି ନିଜର ବାହାଦୁରୀ ପାଇଁ ଏଭଳି ପଦକ୍ଷେପ ନେଉଥିବା ଅଭିଯୋଗ ହୋଇଛି । ବାବାଧବଳେଶ୍ୱରଙ୍କ ପୀଠକୁ ଯିବା ପାଇଁ ପ୍ରଶାସନିକ କଟକଣା ରହିଛି । ଗୋଟିଏ ପଟେ ଡଙ୍ଗାରେ ଯିବାକୁ ଶ୍ରଦ୍ଧାଳୁ ତଥା ସେବାୟତ ଚାହୁଁଥିବାବେଳେ ଅନ୍ୟପକ୍ଷେ ଡଙ୍ଗାରେ ଯିବା ମଧ୍ୟ ଭରଷା ଯୋଗ୍ୟ ନୁହେଁ । ପ୍ରଶାସନ ଭର୍ଚ୍ଚୁଆଲ ମାଧ୍ୟମରେ ପୂଜା କରିବାକୁ ନିଷ୍ପତ୍ତି ନେଇଥିବାବେଳେ ଏହାକୁ ସେବାୟତ କିମ୍ବା ଶ୍ରଦ୍ଧାଳୁ ମଧ୍ୟ ମାନିବାକୁ ରାଜି ନୁହଁନ୍ତି । ତେବେ ଆଗକୁ ପ୍ରଶାସନ ଓ ସେବାୟତଙ୍କ ମଧ୍ୟରେ ଏବିବାଦର କିଭଳି ସମାଧାନ ହେବ ତାହା ସେହି ବାବା ଧବଳେଶ୍ୱରଙ୍କୁ ଜଣା ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜ୍ୟ