ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ

ମୋଦୀଙ୍କ ମନ୍ତ୍ରୀମଣ୍ଡଳର ବଦଳିବ ରୂପରେଖ: ୪୩ ଜଣ ନେବେ ଶପଥ


ନୂଆଦିଲ୍ଲୀ (ଏନ୍‌.ଏମ୍‌.): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ୟାବିନେଟରେ ନୂଆ ଓ ପୁରୁଣାଙ୍କୁ ମିଶାଇ ମୋଟ ୪୩ ଜଣ ସଦସ୍ୟ ମନ୍ତ୍ରୀ ଭାବେ ଶପଥ ନେବେ । ୨୦୧୯ ଲୋକସଭା ନିର୍ବାଚନ ଜିତିବା ପରେ ଏହା ମୋଦି ସରକାରଙ୍କ ପ୍ରଥମ ମନ୍ତ୍ରିମଣ୍ଡଳ ସଂପ୍ରସାରଣ । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବାରୁ ମନ୍ତ୍ରିମଣ୍ଡଳ ସଂପ୍ରସାରଣ ଉପରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେହିପରି କିଛି ମନ୍ତ୍ରୀ ଅଦଳବଦଳ ପୂର୍ବରୁ ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେଇଛନ୍ତି ।
ପ୍ରାପ୍ତ ସୂଚନା ଅନୁଯାୟୀ, ମୋଦିଙ୍କ ମନ୍ତ୍ରିମଣ୍ଡଳରେ ୭ ଜଣ ପିଏଚଡି, ୩ ଜଣ ଏମବିଏ, ୧୩ ଜଣ ଓକିଲ, ୬ ଜଣ ଡାକ୍ତର, ୫ ଜଣ ଇଞ୍ଜିନିୟର, ୭ ଜଣ ପ୍ରଶାସନିକ ଅଧିକାରୀ ଓ ଗ୍ରାଜ୍ୟୁଏଟ ଡିଗ୍ରୀ ଧାରଣ କରିଥିବା ୬୮ଜଣ ସଦସ୍ୟ ରହିବେ । ଏହାର ଅର୍ଥ ଶିକ୍ଷାଗତ ଯୋଗ୍ୟତାଙ୍କୁ ମୋଦିଙ୍କ ମନ୍ତ୍ରିମଣ୍ଡଳରେ ଯଥେଷ୍ଟ ଗୁରୁତ୍ୱ ଦିଆଯାଇଛି । ସେହିପରି ପଛୁଆ ଓ ସଂଖ୍ୟାଲଘୁ ସଂପ୍ରଦାୟର ସଦସ୍ୟଙ୍କୁ ମଧ୍ୟ ମନ୍ତ୍ରିମଣ୍ଡଳ ଅଦଳବଦଳ ବେଳେ ବିଶେଷ ଧ୍ୟାନ ଦିଆଯାଇଛି । ନୂଆ ମନ୍ତ୍ରିମଣ୍ଡଳରେ ୧୨ ଜଣ ସଦସ୍ୟ ଦଳିତ ସଂପ୍ରଦାୟରୁ ରହିବେ । ପ୍ରତ୍ୟେକ ମନ୍ତ୍ରୀ ବିଭିନ୍ନ ଏସ୍‌ସି ସଂପ୍ରଦାୟରୁ ଆସିଛନ୍ତି । ୨ ଜଣ ଏସ୍‌ସି ମନ୍ତ୍ରୀଙ୍କୁ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିବ ବୋଲି ଜଣାପଡ଼ିଛି । ସରକାରୀ ସୂତ୍ର ଅନୁସାରେ, ଏଥର ରେକର୍ଡ ୨୭ ଜଣ ଓବିସି ସଂପ୍ରଦାୟର ସଦସ୍ୟ ମନ୍ତ୍ରୀ ରହିବେ । ଯାଦବ, କୁରମି, ଜାଟ, ଦରଜି, କୋଲି ଓ ଭୋକାଲିଗାସ ଭଳି ୧୯ଟି ପଛୁଆ ବର୍ଗରୁ ଏହି ୨୭ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ । ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବ । ବିଭିନ୍ନ ସଂଖ୍ୟାଲଘୁ ସଂପ୍ରଦାୟରୁ ୫ ଜଣଙ୍କୁ ମୋଦି ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିବେ । ଏମାନଙ୍କ ମଧ୍ୟରେ ଜଣେ ମୁସଲିମ, ଜଣେ ଶିଖ, ୨ ଜଣ ବୌଦ୍ଧ ଓ ଜଣେ ଖ୍ରୀଷ୍ଟିଆନ ସଂପ୍ରଦାୟର ଅଛନ୍ତି । ସେହିଭଳି ବିଭିନ୍ନ ଏସଟି ସଂପ୍ରଦାୟର ୮ ଜଣ ଆଦିବାସୀ ନେତାଙ୍କୁ ମଧ୍ୟ ମନ୍ତ୍ରୀ ପଦ ମିଳିବ । ବ୍ରାହ୍ମଣ, ଭୂମିହର, କ୍ଷେତ୍ରୀୟ, ଲିଙ୍ଗାୟତ, ପଟ୍ଟେଲ, ମରାଠା ଓ ରେଡ୍ଡୀ ସମ୍ପ୍ରଦାୟର ୨୯ ଜଣଙ୍କୁ ମନ୍ତ୍ରୀ ପଦ ମିଳିବ । ୨ କ୍ୟାବିନେଟ ପାହ୍ୟା ସହ ୧୧ ଜଣ ମହିଳାଙ୍କୁ ମନ୍ତ୍ରୀ ପଦ ପାଇଁ ସୁଯୋଗ ଦିଆଯିବ । କ୍ୟାବିନେଟରେ ୧୪ ଜଣ ମନ୍ତ୍ରୀଙ୍କ ବୟସ ୫୦ ତଳେ ରହିଥିବା ବେଳେ ୬ଜଣଙ୍କୁ କ୍ୟାବିନେଟ ପାହ୍ୟା ମିଳିବ । ୨୫ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ସଦସ୍ୟଙ୍କୁ ମନ୍ତ୍ରିମଣ୍ଡଳରେ ସୁଯୋଗ ଦିଆଯିବ ବୋଲି ଜଣାପଡ଼ିଛି କେବଳ ଉତ୍ତରପୂର୍ବ ରାଜ୍ୟରୁ ୫ ଜଣ ସଦସ୍ୟ ମନ୍ତ୍ରୀ ପଦ ପାଇବେ ।
ତେବେ କେନ୍ଦ୍ର ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ କିଛି ମନ୍ତ୍ରୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସନ୍ତୋଷ ଗଙ୍ଗୱାର ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ ରାଷ୍ଟ୍ରମନ୍ତ୍ରୀ(ସ୍ୱାଧୀନ ଦାୟିତ୍ୱ) ଭାବେ କାମ କରୁଥିବାବେଳେ ଆଜି ଇସ୍ତଫା ଦେଇଛନ୍ତି । ୭୨ ବର୍ଷୀୟ ଗଙ୍ଗୱାର ଉତ୍ତର ପ୍ରଦେଶର ବରେଲୀ ନିର୍ବାଚନ ମଣ୍ଡଳୀକୁ ନିର୍ବାଚିତ ହୋଇଛନ୍ତି । ସେ ଶ୍ରମ ମନ୍ତ୍ରୀ ହେବା ପୂର୍ବରୁ ଟେକ୍ସଟାଇଲ ଓ ଅର୍ଥ ବିଭାଗର ରାଷ୍ଟ୍ରମନ୍ତ୍ରୀ ଭାବେ କାମ କରିଥିଲେ । ସେହିଭଳି ମହାମାରୀ କରୋନାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ଅଭିଯୋଗକୁ ନେଇ ଚାପରେ ଥିବା କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ମଧ୍ୟ ଇସ୍ତଫା ଦେଇଛନ୍ତି । ନୂଆଦିଲ୍ଲୀରୁ ସାଂସଦ ହୋଇଥିବା ହର୍ଷବର୍ଦ୍ଧନ ୨୦୧୯ରୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଭାବେ କାମ କରୁଥିଲେ । ମହାମାରୀ କରୋନାର ଦ୍ୱିତୀୟ ୱେଭକୁ ସରକାର ଠିକ ଭାବେ ମୁକାବିଲା କରିପାରୁ ନଥିବାରୁ ବିରୋଧୀ ତାଙ୍କ ଇସ୍ତଫା ଦାବି କରୁଥିଲେ । ପୁନଶ୍ଚ ଓଡ଼ିଶାରୁ ମନ୍ତ୍ରୀ ହୋଇଥିବା ପ୍ରତାପ ଷଡ଼ଙ୍ଗୀ ମଧ୍ୟ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ସେ ୨୦୧୯ ଲୋକସଭା ନିର୍ବାଚନରେ ବାଲେଶ୍ୱରରୁ ଜିତିବା ପରେ ଏମଏସ୍‌ଏମଇ ସହ ପଶୁ ସମ୍ପଦ ରାଷ୍ଟ୍ରମନ୍ତ୍ରୀ ଦାୟିତ୍ୱରେ ଥିଲେ । ଏହି ପଦରେ ପ୍ରାୟ ୨ବର୍ଷ ରହିବା ପରେ ସେ ଆଜି ମନ୍ତ୍ରିମଣ୍ଡଳ ଅଦଳବଦଳ ପୂର୍ବରୁ ଇସ୍ତଫା ଦେଇଛନ୍ତି । ମୟୂରଭଞ୍ଜ ସାଂସଦ ବିଶ୍ୱେଶ୍ୱର ଟୁଡୁ ମନ୍ତ୍ରୀ ହେବାକୁ ଯାଉଥିବାରୁ ପ୍ରତାପଙ୍କୁ ଇସ୍ତଫା ଦେବାକୁ ପଡ଼ିଛି ବୋଲି ଚର୍ଚ୍ଚା ହେଉଛି । ତେବେ ନୂଆ ମନ୍ତ୍ରିମଣ୍ଡଳରେ ଓଡ଼ିଶାରୁ ୨ ଜଣ ସଦସ୍ୟ ସ୍ଥାନ ପାଇବେ । ରାଜ୍ୟସଭା ସାଂସଦ ଅଶ୍ୱିନୀ ବୈଷ୍ଣବ ଓ ଶ୍ରୀ ଟୁଡୁ ଆଜି ରାଷ୍ଟ୍ରପତି ଭବନରେ କେନ୍ଦ୍ରମନ୍ତ୍ରୀ ଭାବେ ଶପଥ ନେବେ । ପୂର୍ବରୁ ଧର୍ମେନ୍ଦ୍ର ପ୍ରଧାନ କେନ୍ଦ୍ର କ୍ୟାବିନେଟରେ ମନ୍ତ୍ରୀ ଭାବେ କାର୍ଯ୍ୟ କରୁଛନ୍ତି । ଏହାକୁ ମିଶାଇ ଓଡ଼ିଶାରୁ ୩ ଜଣ କେନ୍ଦ୍ରମନ୍ତ୍ରୀ ଭାବେ ମୋଦିଙ୍କ ମନ୍ତ୍ରିମଣ୍ଡଳରେ କାମ କରିବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନୂଆ ଟିମରେ ୨୦ ଜଣ ନୂଆ ସଦସ୍ୟ ସାମିଲ ହେବା ନେଇ ଏକ ପ୍ରକାରର ସ୍ପଷ୍ଟ ହୋଇଛି । ଯେଉଁମାନେ ମନ୍ତ୍ରୀ ପଦ ପାଇବେ, ସେମାନେ ଆଜି ମୋଦିଙ୍କ ବାସଭବନକୁ ଆସି ବୈଠକ କରିଛନ୍ତି । ସେହିପରି ୩ ଜଣ ରାଷ୍ଟ୍ରମନ୍ତ୍ରୀଙ୍କୁ ପଦୋନ୍ନତି ସହ କ୍ୟାବିନେଟ ପାହ୍ୟା ମଧ୍ୟ ମିଳିବ ବୋଲି ଜଣାପଡ଼ିଛି । ଆଜି ସନ୍ଧ୍ୟା ୬ଟାରେ ନୂଆ ମନ୍ତ୍ରୀମାନେ ଶପଥ ନେବେ । ଏ ସମ୍ପର୍କରେ ରାଷ୍ଟ୍ରପତି ଭବନରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସେପଟେ ମୋଦୀଙ୍କ ଟିମ୍‌ରୁ ମାନବ ସମ୍ବଳ ମନ୍ତ୍ରୀ ରମେଶ ପୋଖରିୟାଲ ନିଶଙ୍କ ଓ ବିଜେପିର ବେଙ୍ଗଲ ସାଂସଦ ଦେବଶ୍ରୀ ଚୌଧୁରୀ ବାଦ ପଡ଼ିବେ ବୋଲି ଜଣାପଡ଼ିଛି । ସେହିପରି ଦେବଶ୍ରୀ ଚୌଧୁରୀ ଶିଶୁ, ମହିଳା ବିକାଶ ରାଷ୍ଟ୍ରମନ୍ତ୍ରୀ ଭାବେ ମୋଦି ସରକାରରେ କାମ କରୁଥିଲେ ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ