ମେୟର ଓ ବିଧାୟକଙ୍କ ପ୍ରତିଶ୍ରୁତି ପାଣିର ଗାର: ଜଳୁନାହିଁ ଷ୍ଟ୍ରିଟ ଲାଇଟ, ସମସ୍ୟାରେ ଜର୍ଜରିତ ସହରବାସୀ
#ଜଗତପୁର (ଏନ୍.ଏମ୍.): କଟକ ସହରରେ ଜନସାଧାରଣଙ୍କୁ ବିଧାୟକ ଓ ମେୟର ଯେଉଁ ପ୍ରତିଶ୍ରୁତି ଦେଇଥିଲେ ତାହା ପାଣିର ଗାର ସାବ୍ୟସ୍ତ ହୋଇଥିବା ସାଧାରଣରେ ଅଭିଯୋଗ ଉଠିଛି । ମେୟର ବିଭିନ୍ନ ବସ୍ତି ଅଞ୍ଚଳରେ ରାତ୍ରୀ ଯାପନ କରିବା ଭଳି କାର୍ଯ୍ୟରୁ କୌଣସି ସୁଫଳ ମିଳୁନଥିବାବେଳେ ଏହା କେବଳ ପ୍ରଚାର ସର୍ବସ୍ୱ ବୋଲି ସର୍ବତ୍ର ଚର୍ଚ୍ଚା ହେଉଛି । ସମ୍ପ୍ରତିରେ ସହରର ସମସ୍ତ ୱାର୍ଡ଼ରୁ ଆବର୍ଜନା ହଟାଇବା ଠାରୁ ଆରମ୍ଭ କରି ଆଲୋକୀକରଣ ବ୍ୟବସ୍ଥା, ବସ୍ତିଗୁଡ଼ିକର ଉନ୍ନତିକରଣ ଆଦି କେବଳ କାଗଜପତ୍ରରେ ରହି ଯାଇଛି । ଦୀର୍ଘ ଦିନ ଧରି ଜନସାଧାରଣ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଦାବି କରୁଥିଲେ ମଧ୍ୟ ମେୟର କେବଳ ସେମାନଙ୍କୁ ନାଲି ଆଖି ଦେଖାଉଥିବା ଯୋଗୁଁ ସହରରେ ଚାପା ଉତ୍ତେଜନା ସୃଷ୍ଟି ହେଉଛି ।
କଟକ ସହରର ବିଭିନ୍ନ ୱାର୍ଡ଼ ଗୁଡ଼ିକରେ ଥିବା ବସ୍ତିମାନଙ୍କରେ ମେୟର କିଛି ଦିନ ରାତ୍ରିଯାପନ କରିବା ଘଟଣା ଗଣମାଧ୍ୟମରେ ବେଶ ଚର୍ଚ୍ଚିତ ହୋଇଥିଲା ହେଲେ ସେଥିରୁ କି ସୁଫଳ ମିଳିଲା ତାହା ତାଙ୍କୁହିଁ ଜଣା ବୋଲି ସହରବାସୀ ଅଭିଯୋଗ ଉଠାଇଛନ୍ତି । ସେହିଭଳି କଟକ ମହାନଗର ଅନ୍ତର୍ଗତ ଜଗତପୁର ୪୮ନମ୍ବର ୱାର୍ଡଟି ସିଏମସି ଅଧିନରେ ଯାଉଥିଲେ ମଧ୍ୟ ସିଏମସି କର୍ତ୍ତୃପକ୍ଷଙ୍କ ବୈମାତୃକ ମନୋଭାବ ଯୋଗୁଁ ଅଞ୍ଚଳବାସୀଙ୍କୁ ମୌଳିକ ସୁବିଧାରୁ ବଞ୍ôଚତ ହେବାକୁ ପଡ଼ୁଛି । ତେବେ ଏହି ୱାର୍ଡ଼ର ଭୁବନପୁର ଅଞ୍ଚଳରେ ଦୀର୍ଘ ଦିନ ଧରି ଆଲୋକୀକରଣ ବ୍ୟବସ୍ଥା ଠପ୍ ହୋଇଥିବାବେଳେ ବାଧ୍ୟହୋଇ ସ୍ଥାନୀୟ ଲୋକେ ନିଜ ଖର୍ଚ୍ଚରେ ରାସ୍ତାକୁ ଆଲୋକୀକରଣ କରୁଛନ୍ତି । ସ୍ଥାନୀୟ ଭୂବନପୁରସ୍ଥିତ କେନ୍ଦ୍ରାପଡା କେନାଲ ବନ୍ଧ ରାସ୍ତାରେ ସିଏମ୍ସି ୪୧୬୦୦୨୦୮୪ ନମ୍ବର ପୋଲ ଖୁଣ୍ଟରେ ଲାଗିଥିବା ଷ୍ଟ୍ରିଟଲାଇଟ ବହୁଦିନ ହେବ ଅଚଳ ହୋଇ ପଡ଼ିଛି । ଏ ନେଇ ବାରମ୍ବାର ସ୍ଥାନୀୟ ଲୋକ ପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଡେପୁଟି ମେୟର, ମେୟର ଓ ବିଧାୟକଙ୍କୁ ଅଞ୍ଚଳବାସୀ ଅଭିଯୋଗ କଲେ ମଧ୍ୟ କୌଣସି ସୁଫଳ ମିଳି ପାରୁନାହିଁ । ପୁନଶ୍ଚ ରାସ୍ତା ଘାଟ ଅନ୍ଧାର ହୋଇଥିବାରୁ ଅସରାଏ ବର୍ଷା ହେଲେ ଘରେ ସରୀଶୃପ ପ୍ରବେଶ କରିଯାଉଛନ୍ତି । ତେଣୁ ଲୋକେ ଭଡାରେ ହାଲୋଜିନ ଲାଇଟ ଆଣି ଘର ଛାତ ଉପରେ ଲାଇଟ ମାରି ଚଳ ପ୍ରଚଳ କରୁଥିବା ଦେଖିବାକୁ ମିଳିଛି । ଏହି କେନାଲ ବନ୍ଧ ରାସ୍ତାଟି ଦୀର୍ଘ ବର୍ଷ ଧରି ଅତି ଦୟନୀୟ ଅବସ୍ଥାରେ ଖାଲ ଖମା ଓ ବଡ ବଡ ଗର୍ତ୍ତରେ ଭରି ରହିଥିଲା । ବାରମ୍ବାର ଅଭିଯୋଗ ହେବା ପରେ ପ୍ରସାଶନ ପକ୍ଷରୁ କିଛି ଦିନ ହେବ ଏହି ଖାଲ ଖମା ରାସ୍ତାରେ ସିମେଣ୍ଟ ଓ ଚିପ୍ସ ଆଣି ଢାଳି ଦିଆଯାଇଛି । କିନ୍ତୁ ନିମ୍ନମାନର କାମ ଯୋଗୁଁ ପବନ ହେଲା ମାତ୍ରେ ସିମେଣ୍ଟ ଗୁଣ୍ଡ, ବାଲି ଉଡି ଘର ଭିତରେ ପଶୁଛି । ବାଧ୍ୟ ହୋଇ ଲୋକେ ଖରାଦିନେ ମଧ୍ୟ କବାଟ ଝରକା ବନ୍ଦ କରି ରହୁଛନ୍ତି । ବହୁଦିନ ଧରି ଗ୍ରାମବାସୀ ମାନେ ଏହି ଭଳି ଅନ୍ଧକାର ଓ ଧୁଳିମୟ ରାସ୍ତା ଉପରେ ନିର୍ଭର କରି ଚଳୁଛନ୍ତି । ତେବେ ଏ ନେଇ ସିଏମସି କର୍ତ୍ତୃପକ୍ଷ ତଥା ସ୍ଥାନୀୟ ଲୋକପ୍ରତିନିଧି ଓ ମେୟରଙ୍କ ଅପାରଗତା ବୋଲି ଅଞ୍ଚଳର ମୁରଲୀଧର ମଲ୍ଲିକ, ରମେଶ ଶରଣ ପ୍ରମୁଖ ଅଭିଯୋଗ କରିବା ସହ ତୁରନ୍ତ ଏହାର ସମାଧାନ ନହେଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଛନ୍ତି ।