ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ

ମେଣ୍ଟ ଚର୍ଚ୍ଚା ଭିତରେ ଧର୍ମେନ୍ଦ୍ରଙ୍କ ଘରେ ଗୁରୁତ୍ୱପୂର୍ଣ୍ଣ ବୈଠକ


#ନୂଆଦିଲ୍ଲୀ(ଏନ୍‌.ଏମ୍‌.): ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବାବେଳେ ଏହା ଏକ ପ୍ରକାର ଚୁଡ଼ାନ୍ତ ହୋଇସାରିଛି । କେବଳ ବିଧିବଦ୍ଧ ଘୋଷଣାକୁ ଅପେକ୍ଷା । ଏ ନେଇ ଏଯାବତ ଶେଷ ହୋଇନି ବିଚାର ବିମର୍ଶ । ଦିଲ୍ଲୀରେ ଅଛନ୍ତି ରାଜ୍ୟ ବିଜେପିର ଶୀର୍ଷ ନେତୃତ୍ୱ । ଏହି ଚର୍ଚ୍ଚା ମଧ୍ୟରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବାସଭବନରେ ବସିଛି ଗୁରୁତ୍ୱପୂର୍ଣ୍ଣ ବୈଠକ । ଧର୍ମେନ୍ଦ୍ରଙ୍କ ନୂଆଦିଲ୍ଲୀ ସ୍ଥିତ ୧୯-କୃଷକ ରୋଡ୍ ସରକାରୀ ଘରେ ବୈଠକ ଚାଲିଥିବାବେଳେ ବୈଠକରେ ଧର୍ମେନ୍ଦ୍ରଙ୍କ ସହ ରାଜ୍ୟ ବିଜେପିର ବରିଷ୍ଠ ନେତା ସାମିଲ ଅଛନ୍ତି । ତେବେ ଆଜି ସନ୍ଧ୍ୟା ସୁଦ୍ଧା ମେଣ୍ଟକୁ ନେଇ ସ୍ପଷ୍ଟ ଚିତ୍ର ଆସିପାରେ ବୋଲି କୁହାଯାଉଛି ।
ସେପଟେ ବିଜେପି-ବିଜେଡି ମେଣ୍ଟକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ବିଜେଡି ବିଧାୟକ ପର୍ଶୁରାମ ଧଡ଼ା କହିଛନ୍ତି ମେଣ୍ଟକୁ ନେଇ ଆମେ ଦ୍ୱନ୍ଦ୍ୱରେ ନାହୁଁ । ଓଡ଼ିଶାବାସୀଙ୍କ ସ୍ୱାର୍ଥ ପାଇଁ ନବୀନ ପଟ୍ଟନାୟକ ସବୁବେଳେ ପଦକ୍ଷେପ ନେଇଛନ୍ତି । ମେଣ୍ଟ କିଛି ନୂଆ କଥା ନୁହେଁ । ବିଗତ ଦିନରେ ବି ହୋଇଥିଲା, ଆଗାମୀ ଦିନରେ ମେଣ୍ଟ ହେବ । ଏହାଦ୍ୱାରା କିଛି ଆଶାୟୀ ରହିଯିବେ; କିନ୍ତୁ ସେମାନଙ୍କୁ ଆଡଜଷ୍ଟ କରାଯିବ । ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ମାନିବୁ । ମେଣ୍ଟ ହେଲେ ବିଜେଡି ସବୁବେଳେ ଲାଭରେ ରହିଛି । ତେବେ ଲାଭ-କ୍ଷତି ସମୟ କହିବ ବୋଲି କହିଛନ୍ତି ବିଧାୟକ ଶ୍ରୀ ଧଡ଼ା । ଅନ୍ୟପଟେ ବିଜେପି ବିଧାୟକ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ମେଣ୍ଟ ଚର୍ଚ୍ଚା ମିଡିଆରେ ହେଉଛି । ଆମ ପାଖକୁ ମେଣ୍ଟ ଚର୍ଚ୍ଚା ଆସିନାହିଁ । ରାଜ୍ୟ ସଭାପତି ଏବଂ ପ୍ରଭାରୀ ଏ ସମ୍ପର୍କରେ ଯାହା କହିବା କଥା କହି ସାରିଛନ୍ତି । ବିଜେପିର ଆଭ୍ୟନ୍ତରୀଣ ଗଣତନ୍ତ୍ର ହିସାବରେ, ଶୀର୍ଷ ନେତା କହି ସରିଲା ପରେ ମୁଁ କହିବାର କିଛି ମାନେ ନାହିଁ । ଶୀର୍ଷ ନେତୃତ୍ୱ ନିଷ୍ପତ୍ତି ନେଇ ସାରିଲା ପରେ କିଛି କହି ହେବ । ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଘରେ ବିଧାୟକମାନଙ୍କ ବୈଠକକୁ ନେଇ ସେ କହିଛନ୍ତି କେବଳ ଅନୌପଚାରିକ କଥା ବାର୍ତ୍ତା ହେଉଥିଲା । ବିଜେଡିର ନୀରବତା ଏବଂ ବିଜେପିର ଶୀର୍ଷ ନେତୃତ୍ୱଙ୍କ ଘନଘନ ବୈଠକ ଜାରି ରହିଥିବା ମେଣ୍ଟ ଚର୍ଚ୍ଚାକୁ ଅଧିକ ଖୋରାକ ଯୋଗାଇଛି । ଏ ନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପୂର୍ବରୁ ମେଣ୍ଟ ନାଁ ଶୁଣିଲେ ଚିହିଁକି ଉଠୁଥିବାବେଳେ ଏବେ ମୁହଁ ନଖୋଲିବା ମେଣ୍ଟର ଚିତ୍ର ସ୍ପଷ୍ଟ ବୋଲି ନିର୍ବାଚନ ସମୀକ୍ଷକମାନେ ମତ ପ୍ରକାଶ କରିଛନ୍ତି ।

Slider ଦେଶ ବିଦେଶ ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ରାଜନୀତି ରାଜ୍ୟ