ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ

ମୂର୍ତ୍ତି ଉଚ୍ଚତା ନେଇ ଘନଉଛି ବିବାଦ: ବିଜେଡିରେ ବି ମତଭେଦ, ଆରମ୍ଭ ହେଲା ଭର୍ତ୍ତୃହରି-ଦେବାଶିଷ ମତ ଯୁଦ୍ଧ


କଟକ(ଏନ୍‌.ଏମ୍‌.): ପାର୍ବଣରେ ୪ଫୁଟ ଉଚ୍ଚତାର ମୂର୍ତ୍ତି ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । କଟକ ସହରରେ ବିଭିନ୍ନ ପୂଜା କମିଟି ପକ୍ଷରୁ ମଧ୍ୟ ତିବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଗତକାଲି ଶାନ୍ତିକମିଟି ପକ୍ଷରୁ ଆଗତ ବୈଠକରେ ସହରବାସୀଙ୍କ ପୁଞ୍ଜିଭୁତ ଅସନ୍ତୋଷର ଝଲକ ମଧ୍ୟ ଦେଖିବାକୁ ମିଳିଥିଲା । ତେବେ ୪ଫୁଟ ଉଚ୍ଚତାର ମୂର୍ତ୍ତିକୁ ନେଇ ସରକାରଙ୍କ ନିଷ୍ପତ୍ତିକୁ ଘୋର ବିରୋଧ କରାଯାଉଥିବାବେଳେ ଆଜି କେହି କେହି ସପକ୍ଷରେ ମଧ୍ୟ କହିଛନ୍ତି । ସରକାର ଯେଉଁ ନିଷ୍ପତ୍ତି ନେଇଛନ୍ତି ତାହା ଭାବିଚିନ୍ତି ନେଇଛନ୍ତି ଓ ସ୍ୱାଗତ ଯୋଗ୍ୟ ବୋଲି ମତ ଉଠୁଛି । ତେବେ ଏହାକୁ ମଧ୍ୟ ଅନେକ ବିରୋଧ କରିବା ସହ କଟକ ସହରର ପରମ୍ପରାକୁ ସରକାର ଭାଙ୍ଗିଦେବାକୁ ଉଦ୍ୟମ କରୁଥିବା ଭଳି ସଂଗୀନ ଅଭିଯୋଗ ଆଣିଛନ୍ତି । ତେବେ ଏହାକୁ ନେଇ କଟକର ୨ ବିଜେଡି ନେତାଙ୍କ ମଧ୍ୟରେ ମଧ୍ୟ ତେରେଛା ବାଣ ମରାମରି ହୋଇ ମତ ଯୁଦ୍ଧ ଆରମ୍ଭ ହୋଇ ଯାଇଛି । ଯାହା ଆଗାମୀ ଦିନରେ ବିଜେଡିରେ ଦଳୀୟ କନ୍ଦଳ ଆରମ୍ଭ ହୋଇଥିବା ରାଜନୈତିକ ସମୀକ୍ଷକଙ୍କ ମହଲରେ ଆଲୋଚନା ହେଉଛି । ଗତକାଲି ବୈଠକରେ ୪ଫୁଟ ମୂର୍ତ୍ତି ନିର୍ମାଣ ନିଷ୍ପତ୍ତିକୁ ନେଇ ସାଂସଦ ଭର୍ତ୍ତୃହରି ମହତାବ ସରକାର ଓ ପ୍ରଶାସନକୁ ଅଙ୍ଗୁଳି ନିର୍ଦ୍ଦେଶ କରିଥିବାବେଳେ ଏହାର କଡ଼ା ଜବାବ ରଖିଛନ୍ତି ବାରବାଟୀ-କଟକ ପୂର୍ବତନ ବିଧାୟକ ତଥା ବିଜେଡି ଜିଲ୍ଲା ସଭାପତି ଦେବାଶିଷ ସାମନ୍ତରାୟ । ତେବେ ଉଭୟଙ୍କ ମତକୁ ନେଇ କଟକରେ ଏକ ନୂଆ ଚର୍ଚ୍ଚା ମଧ୍ୟ ସୃଷ୍ଟି ହୋଇଛି । ଅନ୍ୟପକ୍ଷରେ ମୂର୍ତ୍ତିର ଉଚ୍ଚତା ୪ ଫୁଟରୁ ଅଧିକ ନହେବା ନେଇ ରାଜ୍ୟ ସରକାର ନିଜ ନିଷ୍ପତ୍ତିରେ ଅଟଳ ଥିବାବେଳେ ପ୍ରତିବାଦରେ ଆସନ୍ତା କାଲି କଟକ ବନ୍ଦ ଡାକରା ଦେଇଛି ବିଜେପି । ଅପରପକ୍ଷେ, ରାଜ୍ୟ ସରକାରଙ୍କ ନିଷ୍ପତ୍ତିକୁ କଟକ ସାଂସଦ ଭର୍ତ୍ତୃହରି ମହତାବ ବିରୋଧ କରୁଥିବା ବେଳେ ସମର୍ଥନ ଜଣାଇଛନ୍ତି ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ।
ଏନେଇ ଗଣମାଧ୍ୟମ ପ୍ରତିନିଧୀଙ୍କୁ ନିଜ ପ୍ରତିକ୍ରିୟା ଦେଇ ଶ୍ରୀ ସାମନ୍ତରାୟ ଜଣାଇଛନ୍ତି କି, ମୂର୍ତ୍ତି ଉଚ୍ଚତା ବଢ଼ାଇବାକୁ ଦାବି ଜଣାଇବା ନିମନ୍ତେ କଟକ ସହରରୁ ଏକ କମିଟି ଯାଇ ପ୍ରଶାସନିକ ଅଧିକାରୀଙ୍କୁ ଭେଟିଥିଲେ । କିନ୍ତୁ ସରକାର ମୂର୍ତ୍ତିର ଉଚ୍ଚତା ବଢ଼ାଇବାକୁ ମନା କଲେ । କଟକ ପାଇଁ ସ୍ୱତନ୍ତ୍ର ନିୟମ ହୋଇ ପାରିବନି । ନିୟମ ରାଜ୍ୟର ସମସ୍ତଙ୍କ ପାଇଁ ସମାନ ବୋଲି ରାଜ୍ୟ ସରକାର କହିଛନ୍ତି । ମୁଖ୍ୟତଃ କୋଭିଡ ତୃତୀୟ ଲହର ଯେପରି ପବାର୍ଣୀ ସମୟରେ ନବ୍ୟାପିବ ସେଥିପାଇଁ ସରକାର ଖୁବ୍ ସତର୍କତାର ସହ ପଦକ୍ଷେପ ଗ୍ରହଣ କରୁଛନ୍ତି । କେରଳରେ ଓମାନ ପର୍ବ ସମୟରେ କଟକଣା ଲାଗୁ ନହେବାରୁ ସେଠାରେ ତୃତୀୟ ଲହର ଆରମ୍ଭ ହୋଇ ଗଲାଣି । ଏପରିକି ସେଠାରୁ ସଂକ୍ରମଣ ମହାରାଷ୍ଟ୍ରରେ ବ୍ୟାପି ପଶ୍ଚିମ ଓଡ଼ିଶାରେ ବି ପହଞ୍ଚିଲାଣି । ତେଣୁ ପୁଣି ଥରେ ଯେପରି ଓଡ଼ିଶାରେ କରୋନା ନ ବ୍ୟାପିବ ସେଥିପ୍ରତି ରାଜ୍ୟ ସରକାର କଡ଼ା ନଜର ରଖିଛନ୍ତି । ପୁଣି ଥରେ ଲକଡାଉନ୍ ଲାଗୁ ହେଲେ ଲୋକଙ୍କ ଜୀବୀକା ଘୋର ବାଧାପ୍ରାପ୍ତ ହେବ । କେବଳ ମୂର୍ତ୍ତିର ଉଚ୍ଚତା ବଢ଼ିଗଲେ, ମା’ଙ୍କ ଦର୍ଶନ କରି ନପାରିଲେ ଉଚ୍ଚତାର ମାନେ କିଛି ନାହିଁ । ଶାସ୍ତ୍ରରେ ସେପରି ଲେଖା ହୋଇନି ମୂର୍ତ୍ତି ୧୦ ଫୁଟର ହେବ ବୋଲି । କେଉଁ ରାଜ୍ୟ କିପରି ପୂଜା ପାଳନ କରିବେ ଏହା ସେମାନଙ୍କ ଦାୟିତ୍ୱ ବୋଲି ଶ୍ରୀ ସାମନ୍ତରାୟ କହିବା ସହ ଭର୍ତ୍ତୃହରିଙ୍କ ଆଡ଼କୁ ତୀର ମାରି କହିଛନ୍ତି ଯେ, ମହତାବ ଜଣେ ବିଜ୍ଞ ସାଂସଦ । ଯେବେଠୁ ପୂଜା ମୂର୍ତ୍ତି ବିବାଦ ଦେଖା ଦେଲାଣି, ବୈଠକ ବସିଲାଣି ସାଂସଦଙ୍କୁ ଦେଖିବାକୁ ମିଳି ନଥିଲା । ହେଲେ ଗତକାଲି ହଠାତ୍ ଆର୍ବିଭାବ ହୋଇ ବିଭ୍ରାଟ ସୃଷ୍ଟିକାରୀ ମତ ଦେବା ଉଚିତ ନୁହେଁ । ସେ ଶାସକ ଦଳର ସାଂସଦ । ତେଣୁ ସରକାରଙ୍କ ନିଷ୍ପତ୍ତି ନେଇ ଯୁକ୍ତି କରିବା ଶୋଭାଜନକ ନୁହେଁ । ଆସନ୍ତାକାଲି ବିଜେପି ପକ୍ଷରୁ କଟକ ବନ୍ଦ ଡାକାରା ଦିଆଯାଇଥିବା ବେଳେ ଏହାକୁ ପୂର୍ବତନ ବିଧାୟକ ଶ୍ରୀ ସାମନ୍ତରାୟ ଟାର୍ଗେଟ କରିଛନ୍ତି । କଟକବାସୀଙ୍କ ଭାବାବେଗକୁ ନେଇ ରାଜନୀତି କରା ନଯାଉ ବୋଲି ସେ କହିଛନ୍ତି । ଏଥିସହ କହିଛନ୍ତି, ପୁରୀ ରଥ ଯାତ୍ରାରେ ପୁରୀବାସୀଙ୍କୁ ଆସିବାକୁ ମନା କରାଗଲା । ଏପରିକି ଛାତ ଉପରେ ବି ଏକତ୍ରିତ ହୋଇ ପ୍ରଭୁଙ୍କ ଦର୍ଶନ କରିବାକୁ ବାରଣ କରାଗଲା । ପୁରୀବାସୀ ସରକାରଙ୍କ ନିୟମକୁ ମାନିଲେ । ତେଣୁ ଆମେ ବି କଟକଣା ମାନିବା ଉଚିତ ବୋଲି କହିଛନ୍ତି ଶ୍ରୀ ସାମନ୍ତରାୟ । ଅପରପକ୍ଷେ ଏନେଇ ସାଂସଦ ଭର୍ତ୍ତୃହରି ମହତାବ କହିଛନ୍ତି, ମୂର୍ତ୍ତି ୪ ଫୁଟରେ ସୀମିତ ରହିବା ନେଇ ସରକାରଙ୍କ ନିଷ୍ପତ୍ତି ହାସ୍ୟାସ୍ପଦ । ଆଉ ୨ ଫୁଟ, ଅଢେଇ ଫୁଟରେ କ’ଣ କରୋନା ଡରି ପଳାଉଛି । ଏପରି ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ଯେ କେହି କୋର୍ଟ ଯାଇପାରନ୍ତି । ତେବେ ସାଂସଦଙ୍କ ଏଭଳି ମତଦେବା ସହରବାସୀଙ୍କୁ ଅସନ୍ତୋଷ ତେଜିବା ପାଇଁ ତାଙ୍କର ଏକ ଉଦ୍ୟମ ବୋଲି ସେ ମତବ୍ୟକ୍ତ କରିଛନ୍ତି । ତେଣୁ ଆଗାମୀଦିନରେ ମୂର୍ତ୍ତିର ଉଚ୍ଚତା କେତେ ରହିବ ତାହା ସମୟ କହିବ ବୋଲି ସହରର ବହୁ ବୁଦ୍ଧିଜୀବୀ ଅପେକ୍ଷା କରିଛନ୍ତି ।

Slider ପପୁଲାର ନିଓଜ ବ୍ରେକିଙ୍ଗ ନିଉଜ ମନୋରଞ୍ଜନ ରାଜନୀତି ରାଜ୍ୟ