ମୁସ୍ତାକ ଅଲ୍ଳୀ ଟି-୨୦: ବିଜୟରୁ ଓଡ଼ିଶାର ଅଭିଯାନ ଆରମ୍ଭ
![](https://nishkarsha.com/wp-content/uploads/2022/10/index.jpg)
କଟକ(ଏନ୍.ଏମ୍.): ବୋର୍ଡ ଅଫ୍ କଂଟ୍ରୋଲ କ୍ରିକେଟ୍ ଫର ଇଣ୍ଡିଆ(ବିସିସିଆଇ) ଦ୍ୱାରା ପରିଚାଳିତ ସୟଦ ମୁସ୍ତାକଅଲ୍ଲୀ ଟି-୨୦ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ଆଜିଠୁ ଆରମ୍ଭ ହୋଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଓଡ଼ିଶା ସିକିମ୍ ବିରୋଧରେ ବୃହତ ବିଜୟ ହାସଲ କରିବା ସହ ନିଜର ଅଭିଯାନ ଆରମ୍ଭ କରିଛି । ଗ୍ରୁପ୍-ଇରେ ସ୍ଥାନ ପାଇଥିବା ଓଡ଼ିଶା ଆଜି ନିଜର ପ୍ରଥମ ମ୍ୟାଚ୍ ଲକ୍ଷ୍ନୌ ସ୍ଥିତ ଭାରତରତ୍ନ ଅଟଳ ବିହାରୀ ବାଜପେୟୀ ଷ୍ଟାଡିୟମରେ ସିକିମକୁ ଭେଟିଥିଲା । ଏହି ମ୍ୟାଚରେ ସିକିମ୍ ଅଧିନାୟକ ଆଶିଷ ଥାପା ଟସ୍ ଜିତି ବ୍ୟାଟିଂ ପାଇଁ ନିଷ୍ପତି ନେଇଥିଲେ । ତେବେ ଦଳ ଓଡ଼ିଶା ବୋଲରଙ୍କୁ ସିଠିକ୍ ଲାଇନ୍ ଓ ଲେନ୍ଥ ବୋଲିଂ ଯୋଗୁ ବଡ଼ ସଟ୍ ଖେଳିବାରେ ସମର୍ଥ ହୋଇ ପାରି ନଥିଲେ । ଫଳରେ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ୱିକେଟ୍ ହରାଇ ମାତ୍ର ୧୦୦ରନ୍ କରିପାରିଥିଲା । ତେବେ ଓଡ଼ିଶା ୧୦୧ରନର ବିଜୟ ଲକ୍ଷ୍ୟକୁ ୨୮ବଲ୍ ବାକି ଥାଇ ମାତ୍ର ଗୋଟିଏ ୱିକେଟ୍ ହରାଇ ହାସଲ କରି ନେଇଥିଲା । ଓଡ଼ିଶା ପାଇଁ ଆନ୍ତର୍ଜାତୀୟ ଖେଳାଳୀ ଅଂଶୁମାନ ରଥ ଓ ପୂର୍ବତନ ଅଧିନାୟକ ଶୁଭ୍ରାଂଶୁ ସେନାପତି ଅପରାଜିତ ୩୩ ରନ୍ ଲେଖାଏଁ କରିଥିବାବେଳେ ଆଶୀର୍ବାଦ ସ୍ୱାଇଁ ୩୦ରନ୍ କରି ଆଉଟ୍ ହୋଇଥିଲେ ।
ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ସିକିମ୍ ଦଳ ୩୮ରନରେ ପ୍ରଥମ ୱିକେଟ୍ ହରାଇଥିଲା । ତେବେ ପରବର୍ତ୍ତୀ ସମୟରେ ଦଳ କ୍ରମାଗତ ୱିକେଟ୍ ହରାଇ ୨୦ ଓଭରରେ ୧୦୦ରନ୍ କରିଥିଲା । ଦଳ ପାଇଁ ପଙ୍କଜ କୁମାର ରାୱତ ସର୍ବାଧିକ ୩୪ରନ କରିଥିବାବେଳେ ଅନ୍ୱେଶ ଶର୍ମା ୧୫ରନ୍, ଅଧିନାୟକ ଥାପା ୧୪ ରନ୍ ଓ ଅଙ୍କୁର ମଲିକ୍ ୧୩ରନ୍ କରିଥିଲେ । ଓଡ଼ିଶା ପାଇଁ ଜୟନ୍ତ ବେହେରା ୨ଟି ଓ ମୁସ୍ତାକ ବେଗ୍ ଗୋଟିଏ ୱିକେଟ୍ ନେଇଥିବାବେଳେ ଅନ୍ୟ ୩ଜଣ ବ୍ୟାଟ୍ସମ୍ୟାନ୍ ରନ୍ ଆଉଟ୍ ହୋଇଥିଲେ । ଓଡ଼ିଶାର ତା’ର ପରବର୍ତ୍ତୀ ମ୍ୟାଚରେ ଆସନ୍ତାକାଲି ତାମିଲନାଡ଼ୁକୁ ଭେଟିବ ।