ମୁମ୍ବାଇ ଶାନ୍ତାକ୍ରୁଜ ୱେଷ୍ଟ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ
ମୁମ୍ବାଇ(ଏଜେନ୍ସି): ଶାନ୍ତାକ୍ରୁଜ (ୱେଷ୍ଟ) ମୁମ୍ବାଇସ୍ଥିତ ଜୀବନ ସେବା ବିଲଡ଼ିଂରେ ଆକସ୍ମିକ ଅଗ୍ନିକାଣ୍ଡ । ଭାରତୀୟ ଜୀବନବୀମା କାର୍ଯ୍ୟାଳୟରେ ଆଜି ପୂର୍ବାହ୍ନ ୬ଟା ୪୦ ମିନିଟ ସମୟରେ ଆକସ୍ମିକ ଅଗ୍ନିକାଣ୍ଡ ଘଟିଥିଲା । କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ ଘଟିଥିବାବେଳେ ଦୀର୍ଘ ସମୟ ଧରି ହୁତୁହୁତୁ ଜଳୁଥିବା ଦେଖିବାକୁ ମିଳିଥିଲା । ତେବେ ଅଗ୍ନିଶମ ବିଭାଗ ଦୀର୍ଘ ସମୟର କସରତ ପରେ ଅଗ୍ନିକୁ ଆୟତ୍ତ କରିବାରେ ସଫଳ ହୋଇଥିଲେ । ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ିନଥିଲେ ମଧ୍ୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଭଷ୍ମିଭୂତ ହୋଇଥିବା ଜଣାପଡ଼ିଛି । ତେବେ ଗ୍ରାହକମାନେ କୌଣସି ପ୍ରକାର ବ୍ୟସ୍ତ ବିବ୍ରତ ନହେବା ପାଇଁ କାର୍ଯ୍ୟାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି । ଗ୍ରାହକଙ୍କ ସମସ୍ତ ତଥ୍ୟ ଇଣ୍ଟରନେଟରେ ଉପଲବ୍ଧ ରହିଛି । ତେଣୁ ଗ୍ରାହକମାନଙ୍କୁ ପୂର୍ବଭଳି ଉପଯୁକ୍ତ ସେବା ଯୋଗାଇବାରେ କୌଣସି ଅସୁବିଧା ହେବ ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।